ପଟ୍ଟାମୁଣ୍ଡାଇରୁ ଆସିଲା ଟିକା ହେରଫେରର ସାଂଘାତିକ ଅଭିଯୋଗ : ଟିକା ନେଇ ନାହାନ୍ତି…ହେଲେ ମୋବାଇଲକୁ ଆସିଲା ମେସେଜ୍; ଏବେ ଟିକା ମିଳିବ କି ନାହିଁ ଚିନ୍ତାରେ ଗୋବିନ୍ଦ

152

କନକ ବ୍ୟୁରୋ : ଟିକାକରଣରେ ବ୍ୟାପକ ଅନିୟମିତତା ଅଭିଯୋଗ । ଟିକା ନେଇ ନଥିବା ବେଳେ ପ୍ରଥମ ଡୋଜ୍ ଟିକା ନେଇସାରିଥିବା ମୋବାଇଲକୁ ଆସିଲା ମେସେଜ୍ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ କଷଣଅଂଟା ଗାଁର ଗୋବିନ୍ଦ ସାହୁ କରୋନା ଟିକା ନେବା ପାଇଁ କୋ-ୱିନ ପୋର୍ଟାଲରେ ପଞ୍ଜିକରଣ କରିଥିଲେ । ସକାଳ ୯ଟାରୁ ୧୨ ମଧ୍ୟରେ ଟିକା ନେବାପାଇଁ ତାଙ୍କ ନିକଟକୁ ମେସେଜ ଆସିଲା । ହେଲେ ଟିକାକେନ୍ଦ୍ରରେ ପହଂଚିବାପରେ ନାଁ ନଥିବା କୁହାଗଲା । ବୃଦ୍ଧ ଜଣକ ଟିକା ନେବାପାଇଁ ଧାଡିରେ ପ୍ରାୟ ୨ ଘଂଟା ଛିଡା ହୋଇରହିଲେ । ମୋବାଇଲକୁ ମେସେଜ ଆସିଥିବା ଜଣାଇଲେ ମଧ୍ୟ କେହି ଶୁଣିଲେ ନାହିଁ । ନିରାଶ ହୋଇ ସେ ଘରକୁ ଫେରିଆସିଲେ ।

ଆଶ୍ଚର୍ଯ୍ୟର କଥା ଘରେ ପହଂଚିବା ପରେ ମୋବାଇଲକୁ ଆଉ ଏକ ମେସେଜ ଆସିଲା । ଏଥିରେ ସେ ଟିକା ନେଇସାରିଥିବା ସୂଚନା ଥିଲା । ଏପରିକି କୋ-ୱିନ ପୋର୍ଟାଲରେ ସେ ପ୍ରଥମ ଡୋଜ୍ କୋଭିସିଲ୍ଡ ଟିକା ନେଇଥିବା ସାର୍ଟିଫିକେଟ ମଧ୍ୟ ରହିଥିଲା । ପଞ୍ଜିକରଣ କରି ଟିକା କେନ୍ଦ୍ରକୁ ଯାଇ ଟିକା ନନେଇ ଫେରିଥିବାବେଳେ ଟିକା ନେଇଛନ୍ତି ବୋଲି କିଭଳି ରିପୋର୍ଟ ଆସିଲା ତାକୁ ନେଇ ଏବେ ଚିନ୍ତାରେ ଗୋବିନ୍ଦ ଓ ତାଙ୍କ ପରିବାର । କିଏ ନେଇଗଲା ତାଙ୍କ ଟିକା, ସେ ଏହି ପ୍ରଶ୍ନ ପଚାରୁଛନ୍ତି ।

ପ୍ରଥମ ଡୋଜ୍ ଟିକା ତ ମିଳିଲା ନାହିଁ, ଏବେ ସେ ଦ୍ୱିତୀୟ ଡୋଜ୍ ଟିକା ନେବେ ନା ନାହିଁ ତାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱରେ ଅଛନ୍ତି । ଏହିପରି ଅନେକ ଲୋକଙ୍କ କ୍ଷେତ୍ରରେ ଘଟୁଥିବା ଦେଖାଯାଉଛି । ତେଣୁ ଟିକାକରଣରେ ସଂପୃକ୍ତ କର୍ମଚାରୀ ଏଭଳି ଟିକା ଜାଲିଆତିରେ ସଂପୃକ୍ତ ଥିବା ସନ୍ଦେହ ବଢିବାରେ ଲାଗିଛି ।