ଉଇଁଲା ପାଠ ପଢିବାର ଆଶା । ଅନାଥ ଦୁଇ ଭଉଣୀଙ୍କ ସବୁ ଦାୟିତ୍ୱ ନେବ ପ୍ରଶାସନ । ଖବର ବାଜିବା ପରେ ବଢିଲା ସହାୟତାର ହାତ ।

124

କନକ ବ୍ୟୁରୋ: ଆଖିରେ ଆଖିଏ ଆଶା, ଓଠରେ ଚେନାଏ ହସ । ଏବେ ସେମାନେ ହାରିଯିବେନି କି ଜୀବନର ବାଜିରେ ବିଫଳ ହେବେନି । ସେମାନେ ପଢିବେ, ବଢିବେ, ଭଲ ମଣିଷ ହୋଇ ସ୍ୱର୍ଗରେ ଥିବା ବାପାମାଆଙ୍କ ସ୍ୱପ୍ନ ପୂରା କରିବେ । ପ୍ରଶାସନ ପାଖରୁ ଭରସା ଯୋଗ୍ୟ ପ୍ରତିଶ୍ରୁତି ମିଳିବା ପରେ ସେମାନଙ୍କ ମୁହଁରେ ଉଙ୍କି ମାରିଛି ନିଜ ଭବିଷ୍ୟତକୁ ନେଇ ଆଶା, ଭିତରେ ଭିତରେ ବଢିଯାଇଛି ବଞ୍ଚିବା ଆତ୍ମବିଶ୍ୱାସ । ସବୁ ପରିସ୍ଥିତିକୁ ସାମ୍ନା କରି ଆଗକୁ ଆଗେଇବାର ସାହସର ଶୁଭ ମହୁରତ ହୋଇଛି ନିଜ ଛାତି ଭିତରେ ।

ହଁ, ବାପାମାଆ ଅକାଳରେ ଆଖିବୁଜିବା ପରେ ସିନା ସେମାନେ ଅନାଥ ହୋଇଗଲେ । ହେଲେ ସେହି ଅନାଥପଣ ଭିତରୁ ଆତ୍ମଶକ୍ତିକୁ ଜାଗ୍ରତ କରି ଜୀବନର ସବୁ ବାଜି ଜିତିବାକୁ ସଙ୍ଘର୍ଷ ଆରମ୍ଭ କରିଛନ୍ତି ଦୁହେଁ । ଆଉ ଦୁଇ ଭଉଣୀଙ୍କ ବିଶ୍ୱାସ ସେମାନେ ଜିତିବେ, ନିଶ୍ଚୟ ଜିତିବେ…

କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋପାଳପୁର ଗାଁର ଅର୍ପିତା ଓ ଅଙ୍କିତା । ଜଣେ ନବମ ଶ୍ରେଣୀରେ ପଢୁଥିବା ବେଳେ ଆଉ ଜଣେ ସପ୍ତମ ଶ୍ରେଣୀ ପଢୁଛନ୍ତି । ୯ ବର୍ଷ ତଳେ ବାପା ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ବାପାଙ୍କ ଆକସ୍ମିକ ମୃତ୍ୟୁ ପରେ ପରେ ମାଆ ବି କ୍ୟାନସରରେ ପିଡୀତ ହୋଇ ସେପାରିକୁ ଚାଲିଗଲେ । ବାସ୍ ପିଲାଙ୍କ ପାଖରୁ ବାପାମାଆ ଦୂରେଇଯିବା ପରେ ଅନାଥ, ବେସାହାରା ହୋଇଗଲେ ଦୁଇ ନାବାଳିକା କନ୍ୟା । କେମିତି ଚଳିବେ ? କେମିତି ପଢିବେ? କେମିତି ବଞ୍ଚିବେ? କିଏ ହେବ ଏହି ଅସହାୟଙ୍କୁ ସାହା? ଦୁଇ ଅନାଥ ଝିଅଙ୍କ ଅସ୍ପଷ୍ଟ ଭବିଷ୍ୟତ ନେଇ କନକ ନ୍ୟୁଜରେ ଦୁହିଁଙ୍କ କଷ୍ଟର କାହାଣୀ ପ୍ରକାଶ ହୋଇଥିଲା । ଆଉ ଖବର ବାଜିବା କ୍ଷଣି ହିଁ ଦୁଇ ଶିଶୁଙ୍କୁ ସାହାଯ୍ୟର ହାତ ବଢାଇଛି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ।

ସରକାରୀ ଅଧିକାରୀମାନେ ଅର୍ପିତା ଓ ଅଙ୍କିତାଙ୍କ ଘରେ ପହଞ୍ଚିବା ସହ ଅବସ୍ଥା ବାବଦରେ ଅବଗତ ହୋଇଥିଲେ । ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଓ ରାଜନଗର ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କ ଭଲମନ୍ଦ ବୁଝିବା ସହ ଆଗାମୀ ଭବିଷ୍ୟତ ପାଇଁ ପାଠପଢା ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ଦୁହେଁ ବଡହେବା ଯାଏଁ ନିଜ ଦାଦାଖୁଡିଙ୍କ ପାଖରେ ରହିବେ ବୋଲି ପ୍ରଶାସନକୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ଅଙ୍କିତା- ଅର୍ପିତାଙ୍କ ଦାଦାଖୁଡି ।
ବାପାମାଆଙ୍କୁ ହରାଇବାର ଦୁଃଖ କେବେ ମନରୁ ଲିଭିବନି । ବାପାମାଆଙ୍କ କ୍ଷତି କେବେ ଭରଣା ହେବନି । ହେଲେ ତାରି ଭିତରେ ସବୁ ଦୁଃଖ, କୋହକୁ ଛାତିରେ ଚାପି ଜୀବନର ଚଲାପଥରେ ଆଗେଇଯିବାକୁ ଦୁଇ ଭଉଣୀଙ୍କ ଭଗବାନ ଶକ୍ତି ଦିଅନ୍ତୁ ଏହାହିଁ ପ୍ରାର୍ଥନା ।