କନକ ବ୍ୟୁରୋ: ଅସହାୟ ପବିତ୍ର ବେହେରାଙ୍କର ଖବର କନକ ନ୍ୟୁଜରେ ପ୍ରସାରଣ ହେବାପରେ ତାଙ୍କୁ ବିଭିନ୍ନ ଆଡୁ ସହାୟତା ମିଳିବା ସହ ଜିଲ୍ଲା ପ୍ରଶାସନ ଏବଂ ମହାକାଳପଡା ବିଧାୟକ ସହାୟତାର ହାତ ବଢାଇଥିଲେ । ରୋଗାଗ୍ରସ୍ତ ପବିତ୍ର ବେହେରାଙ୍କ ଚିକିତ୍ସା ପାଇଁ କଟକ ବଡ ମେଡିକାଲ ପଠାଇଥିଲା ପ୍ରଶାସନ । ୧୩ ଦିନ ଧରି କଟକରେ ଚିକିତ୍ସିତ ହୋଇ ପବିତ୍ର ସୁସ୍ଥ ହୋଇ ଘରକୁ ଫେରିବା ପରେ ପରିବାରରେ ଖୁସି ଫେରିଛି । କୁନି ପୁଅ ପ୍ରଥମେଶ ମୁହଁରେ ହସ ଫୁଟିଛି । ବାପା ଅସୁସ୍ଥ ହେବା ପରେ ପରିବାରର ବୋଝ କାନେ୍ଧଇ ଥିବା ୯ ବର୍ଷର ପ୍ରଥମେଶର ଗୁହାରୀ ଶୁଣି ସହାୟତାର ହାତ ବଢାଇ ଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଦେଇଛି କୁନି ପୁଅ ।
କୁନି ପୁଅ ମୁହଁରେ ଚେନାଏ ହସ । ଏ ହସ! ଦୁଃଖ ପରର, ଯନ୍ତ୍ରଣାକୁ ଜିତିବାର । ଘର ଅଗଣାରେ ତା ବାପା ଚାଲୁଛନ୍ତି, ସେଥିପାଇଁ ତ, ତା’ ମୁହଁରେ ଫୁଟି ଉଠିଛି ଆତ୍ମସନ୍ତୋଷର ହସ । କୁନି ପୁଅର ଗୁହାରି ଶୁଣିଛି ପ୍ରଶାସନ । ବଦାନ୍ୟ ବ୍ୟକ୍ତି ବିଶେଷ ଓ ପ୍ରଶାସନର ସହାଯ୍ୟ ସହଯୋଗରେ ବାପା ସୁସ୍ଥ ହୋଇ ଘରକୁ ଫେରିବା ପରେ ପୁଅର ଖୁସି କହିଲେ ନସରେ । ବାପା, ପୁଣି ଥରେ ଦୋକାନ ଖୋଲିବେ, ଦୁଇ ପଇସା ରୋଜଗାର କରିବେ, ଆଉ ସେ ଭଲ ପାଠପଢି ସ୍କୁଲରେ ପ୍ରଥମ ହେବ । ଏମିତି କିଛି ଆଶା ନେଇ ନିଜ ପରିବାରକୁ ବଂଚାଇବା ପାଇଁ ପ୍ରଶାସନ ଓ ଆପଣମାନଙ୍କ ପାଖରେ ଗୁହାରି କରିଥିଲା କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ଆଠବାଟିଆ ଗାଁ ପବିତ୍ର ବେହେରାଙ୍କ ପୁଅ ପ୍ରଥମେଶ ।
ବାପା ପବିତ୍ର, ମାଆ ଚମ୍ପାବତୀ ରୋଗାଗ୍ରସ୍ତ ହୋଇ ବିଛଣାରେ ପଡିଯିବା ପରେ ୯ ବର୍ଷର ପ୍ରଥମେଶ ମୁଣ୍ଡରେ ଥିଲା ପୁରା ପରିବାର । ଦିବ୍ୟାଙ୍ଗ ବଡ ଭାଇ ପ୍ରଦ୍ୟୁମ୍ନର ସେବା କରିବା ସହ ବାପାମାଆଙ୍କ ସେବା ସୁଶୁସା କରୁୁଥିଲା ପ୍ରଥମେଶ । ଆଉ ତାର ସେହି ସମସ୍ୟାକୁ ଆପଣମାନଙ୍କୁ ଜଣାଇବା ସହ ପ୍ରଶାସନକୁ ଉତରଦାୟୀ କରିବା ପାଇଁ ଆମେ ପ୍ରସାରଣ କରୁଥିଲ କୁନି ପୁଅର ଯନ୍ତ୍ରଣା ଜର୍ଜରିତ ଖବର । ଯେଉଁ ଖବର ଦେଖି ପ୍ରଥମେଶ ବାପାଙ୍କୁ କଟକ ଡାକ୍ତରଖାନାକୁ ପଠାଇଥିଲେ ଜିଲ୍ଲା ପ୍ରଶାସନ ଓ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ । ଗଲାବେଳେ ଷ୍ଟ୍ରେଚର ଉଠା ହୋଇ ଆମ୍ବୁଲାନ୍ସକୁ ଯାଇଥିବା ବାପା ଫେରିବା ବେଳେ ଚାଲି ଚାଲି ଘରକୁ ଆସିବା ଦେଖି ପରିବାରର ଖୁସି କହିଲେ ନସରେ ।