ଘରପାଖ ନଦୀରେ ବୁଲୁଛି କୁମ୍ଭୀର । ମାର୍ଶାଘାଇରେ କୁମ୍ଭୀର ଭୟର ଗୋବରୀ ନଦୀକୁ ଯାଉନାହାନ୍ତି ଲୋକେ

120

କନକ ବ୍ୟୁରୋ : ନଦୀନାଳ ଘେରା କେନ୍ଦ୍ରାପଡାରେ କୁମ୍ଭୀର ଆକ୍ରମଣରେ ମୃତାହତ ଖବର ବାରମ୍ବାର ଆସିଛି । ଜିଲ୍ଲାର ବିଭିନ୍ନ ନଦୀରେ କୁମ୍ଭୀର ଦେଖି ଆତଙ୍କିତ ଗ୍ରାମବାସୀ । ମାର୍ଶାଘାଇ ବ୍ଲକ ଡରମୁଁଣଡୁ ଗ୍ରାମରେ ଲୋକଙ୍କୁ ଘାରିଛି କୁମ୍ଭୀର ଭୟ । ଗାଁ କଡରେ ପ୍ରବାହିତ ଗୋବରୀ ନଦୀରେ ପ୍ରଥମ ଥର ପାଇଁ କୁମ୍ଭୀର ଦେଖିବାକୁ ମିଳିଛି । କେତେବେଳେ ନଦୀ ପଠାରେ ପାଟି ମେଲାଇ ଶୋଉଛି ତ ପୁଣି କେତେବେଳେ ପାଣିରେ ଭାସୁଛି । ତାକୁ ଦେଖି ନଦୀରେ ଗାଧୁଆପାଧୁଆ ଛାଡନ୍ତୁ, ପାଣିରେ ଗୋଡ ବୁଡାଇବାକୁ ଡରୁଛନ୍ତି ଗ୍ରାମବାସୀ ।

ଡରମୁଁଣଡୁ, ଶାସନ, ବାଲିସାହି ଭଳି ଗ୍ରାମବାସୀଙ୍କ ଜୀବନରେଖା ଗୋବରୀ ନଦୀ । ଗାଧୁଆପାଧୁଆ ଓ ଚାଷ ବାସ ପାଇଁ ନଦୀ ଉପରେ ନିର୍ଭର କରିଥାନ୍ତି । ଗ୍ରାମବାସୀ ପୁର୍ବରୁ କେବେ କୁମ୍ଭୀର ଦେଖିନଥିବା ପ୍ରକାଶ କରିଛନ୍ତି । କୁମ୍ଭୀର ଭୟରେ ମତ୍ସଜୀବୀମାନେ ମଧ୍ୟ ନଦୀକୁ ମାଛ ଧରିବାକୁ ଯାଉନଥିବା ଅଭିଯୋଗ ହୋଇଛି । ଏପରି ପରିସ୍ଥିତିରେ ଗୃହପାଳିତ ପଶୁଙ୍କୁ ଭୟରେ ନଦୀ ପାଖକୁ ଛାଡୁନାହାନ୍ତି ଗ୍ରାମବାସୀ ।

ନଦୀରୁ କୁମ୍ଭୀରକୁ ଉଦ୍ଧାର କରି ଅନ୍ୟତ୍ର ଛାଡିବାକୁ ବନ ବିଭାଗ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି ।