ଜବର ଦଖଲରେ ତଟବନ୍ଧ ବିଭାଗର ସୁଇସଗେଟ୍ ! ମାଛ ମାରି ମାଲାମାଲ ହେଉଛନ୍ତି ଦଲାଲ

26

କନକ ବ୍ୟୁରୋ: ଜବର ଦଖଲରେ ତଟବନ୍ଧ ବିଭାଗର ସୁଇସଗେଟ୍ । ବର୍ଷ ବର୍ଷ ଧରି ଦଲାଲମାନେ ବେଆଇନ୍ ଭାବେ ସୁଇସଗେଟ୍ ପାଣି ବାଟ ବନ୍ଦ କରି ଜାଲ ଦେଇ ମାଛ ମାରି ମାଲାମାଲ ହେଉଛନ୍ତି । ଫଳରେ ହଜାର ହଜାର ହେକ୍ଟର ପାଚିଲା ଧାନ ଜମିରୁ ବର୍ଷା ଜଳ ନିଷ୍କାସନ ହୋଇନପାରି ପାଣିରେ ବୁଡ଼ି ରହିଛି । ଅଭିଯୋଗ ହେଉଛି, ବିଭାଗୀୟ କର୍ତ୍ତୃପକ୍ଷ ସବୁ ଜାଣି ନିରବ ଦ୍ରଷ୍ଟା ସାଜିଛନ୍ତି ।

ପାଣି ଘେରରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ବଉଳକଣୀ ଓ ବାରଡ଼ାଙ୍ଗ ପଂଚାୟତର ହେକ୍ଟର ହେକ୍ଟର ଧାନ ଜମି । କାରଣ ଜମିରୁ ନିଷ୍କାସନ ବର୍ଷା ଜଳ ହୋଇପାରୁନି । ତାର କାରଣ ଆହୁରି ସାଂଘାତିକ । ଜଳ ନିଷ୍କାସନ ପାଇଁ ଥିବା ସୁଇସ୍ ଗେଟକୁ ଜବରଦଖଲ କରିଛନ୍ତି କିଛି ଅସାମାଜିକ ବ୍ୟକ୍ତି । ଏସବୁ ଅଚଂଳର ଜମିରୁ ପାଣି ନିଷ୍କାସନ ହୋଇ ଶଙ୍ଖ ଜୋର ଦେଇ ଗୋଦାବରୀ ନଦୀରେ ମିଶିଥାଏ । ଶଙ୍ଖ ଜୋରରୁ ଗୋବରୀ ନଦୀକୁ ଜଳ ନିଷ୍କାସନ ପାଇଁ ତଟବନ୍ଧ ବିଭାଗ ନିର୍ମାଣ କରିଛି ସୁଇସ୍ ଗେଟ୍ । ଏହି ସୁଇସଗେଟର ଜଳ ନିଷ୍କାସନ ବାଟକୁ ବେଆଇନ୍ ଭାବେ ନିଲାମ କରି ଏଥିରୁ ମାଛ ମାରି ଲକ୍ଷାଧିକ ଟଙ୍କାର ମୁନାଫା ପାଉଛନ୍ତି ଦଲାଲ ଆଉ ଅସୁବିଧା ଭୋଗ କରୁଛନ୍ତି ଚାଷୀ । ଏନେଇ ଅଂଚଳବାସୀ ପ୍ରଶାସନକୁ ବାରମ୍ବାର ଅବଗତ କରାଇଥିଲେ ସୁଦ୍ଧା ସବୁ ଜାଣି ବିଭାଗ ଚୂପ୍ ବସିଛି ।

୪ ଦିନର ଲଗାଣ ବର୍ଷାରେ ଜଳମଗ୍ନ ହୋଇଯାଇଛି ମହାକାଳପଡ଼ା ବ୍ଲକର ଚାଷ ଜମି । ବର୍ଷା ପାଣି ନିଷ୍କାସନ ହୋଇ ନପାରି ସୁଇସଗେଟ୍ ନିକଟ ତଳମୁଣ୍ଡରେ ଜମା ହୋଇ ରହିଛି । ବର୍ଷା ପାଣିରେ ବୁଡି ରହିଥିବା ଜମିରେ ପାଚିଲା ଧାନ ଗଜା ହୋଇଯିବା ଆଂଶଙ୍କା ଦେଖାଦେଇଛି । ସମସ୍ୟା ନେଇ ତଟବନ୍ଧ ବିଭାଗ ଅଧିକାରୀ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଥିବା ବେଳେ ସ୍ଥାନୀୟ ତହସିଲଦାର ଓ ପୁଲିସ ସାହାର୍ଯ୍ୟରେ ସୁଇସ୍ ଗେଟ୍ ଜବରଦଖଲ ହଟାଯାଇ ଚାଷୀକୂଳର ରକ୍ଷା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ବିଭାଗୀୟ କର୍ତ୍ତୃପକ୍ଷ ଯଥାଶିଘ୍ର ସୁଇସଗେଟ୍ ଜବରଦଖଲ ଉଚ୍ଛେଦ କରି ଚାଷୀଙ୍କ ସମସ୍ୟା ସମାଧାନ କରିବା ପାଇଁ ଦାବି ହୋଇଛି ।