ଅସହାୟ ବୃଦ୍ଧାଙ୍କ ଉପରେ ପଡୁନି ପ୍ରଶାସନର ଶୁଭ ନଜର: ଘର ନାହିଁ, ଗଛ ମୁଳେ ପଲିଥିନ ତଳେ ବିତିଲାଣି ୧୫ବର୍ଷ

ଜନପ୍ରତିନିଧି ଓ ସରକାରୀ ବାବୁଙ୍କୁ ଦେଖାଯାଉ ନାହିଁ କେନ୍ଦ୍ରାପଡା ଜିଲ୍ଲା ମହାନପୁର ଗାଁର ବାସନ୍ତୀ ମଳିକଙ୍କ ଦହଗଞ୍ଜ ଜୀବନ

184

କନକ ବ୍ୟୁରୋ: ଗରିବ ଲୋକଙ୍କ ପାଇଁ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି । ହେଲେ ପ୍ରକୃତ ଗରିବ ଲୋକଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଂଚି ପାରୁ ନାହିଁ । କେନ୍ଦ୍ରାପଡା ଆଳି ବ୍ଲକ ସାଇରା ପଂଚାୟତ ମହାନପୁର ଗାଁର ୭୦ବର୍ଷ ବୟସ୍କ ବୃଦ୍ଧା ବାସନ୍ତି ମଳିକଙ୍କୁ ଦେଖିଲେ ଆପଣ ମଧ୍ୟ ସେୟା କହିବେ । ଗାଁ ମୁଣ୍ଡରେ ଥିବା ଏକ ବରଗଛ ମୂଳରେ ଦୀର୍ଘ ୧୫ ହେଲା ପଡି ରହିଛନ୍ତି ।

ନିଜ ମାନସିକ ବିକାରଗ୍ରସ୍ତ ବଢିଲା ଝିଅ ସହ ବାସନ୍ତି ଏହି ଛିଣ୍ଡା ପଲିଥିନ ତଳେ ୧୫ବର୍ଷ ହଲା ଖରା, ବର୍ଷା, ଶୀତରେ ପଡି ରହିଛନ୍ତି । ଘର ଖଣ୍ଡେ ପାଇଁ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ସମସ୍ତଙ୍କୁ ଜଣାଇ ନିରାଶ ହୋଇଛନ୍ତି ବାସନ୍ତୀ । ବାର୍ଧକ୍ୟ ଭତା ଓ ରାସନ ଚାଉଳ ସହ ପାଖ ପଡିଶାଙ୍କ ସହଯୋଗରେ ସେ କଷ୍ଟେ ମଷ୍ଟେ ଚଳିଯାଉଛନ୍ତି । ବାସନ୍ତୀଙ୍କ ଦୁଃଖଦ ଅବସ୍ଥା ନେଇ ଆଳି ବିଡିଓଙ୍କୁ ଆମ ପ୍ରତିନିଧି ଜଣାଇବା ପରେ ତୁରନ୍ତ ଘର ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।