କନକ ବ୍ୟୁରୋ : ଟ୍ରାଫିକ ସମସ୍ୟା ଦୂର କରିବା ଉଦ୍ଦେଶ୍ୟରେ କେନ୍ଦ୍ରାପଡା ସହରର ପ୍ରବେଶ ପଥ ତିନିମୁହାଣି ଛକ ନିକଟରେ, ଗୋବରୀ ନଦୀ ଉପରେ ପୋଲ ନିର୍ମାଣ ଯୋଜନା କରିଥିଲେ ସରକାର । କୋଟି କୋଟି ଟଙ୍କା ବ୍ୟୟରେ ୨୦୨୧ରେ ପୋଲ କାମ ଆରମ୍ଭ ହୋଇଥିଲା । ପୋଲର ଅଧିକାଂଶ ଅଂଶର ନିର୍ମାଣ କାର୍ଯ୍ୟ ବି ସରି ଯାଇଥିଲା । କିନ୍ତୁ ବିଡମ୍ବନାର ବିଷୟ ଗତ ମାର୍ଚ୍ଚ ମାସରେ ଶେଷଭାଗ କାମ ଚାଲିଥିବା ବେଳେ ପୋଲଟି ଭୁଷୁଡି ପଡିଥିଲା । ପୋଲ ଭୁଷୁଡି ପଡିବା ପରେ ଠିକାଦାର ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବା ସହ ମୁଖ୍ୟଯନ୍ତ୍ରୀ. ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଛି । ହେଲେ, ପରିତାପର ବିଷୟ ଅଧାପନ୍ତରିଆ ସେବେଠୁ ଆଗେଇ ପାରୁନି ପୋଲ ନିର୍ମାଣ ।
ଏସବୁ ଭିତରେ ପୋଲ ନିର୍ମାଣ କରୁଥିବା ଠିକାଦାର ସଂସ୍ଥା ପ୍ରକଳ୍ପ ସ୍ଥଳରୁ ସମସ୍ତ ଯନ୍ତ୍ରପାତି ଉଠାଇ ନେଇଛି । ଯାହା ପୋଲ ନିର୍ମାଣ କାର୍ଯ୍ୟକୁ ଅନିଶ୍ଚିତ ଆଡକୁ ଠେଲି ଦେଇଛି । ତେବେ ପ୍ରକଳ୍ପ କାର୍ଯ୍ୟକୁ ଖୁବଶୀଘ୍ର ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ତେବେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ ହେଉଥିବା ପ୍ରକଳ୍ପ କାର୍ଯ୍ୟ ଅଧାରେ ଅଟକିବା, ପ୍ରଶାସନ ଓ ବିଭାଗର ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ବଢ଼ିବାରେ ଲାଗିଛି ଅସନ୍ତୋଷ ।