କନକ ବ୍ୟୁରୋ : ସବୁଦିନ ଭଳି ଆଜି ସକାଳୁ ବି ବ୍ରାହ୍ମଣୀ ନଦୀରେ ଯାତ୍ରୀଙ୍କୁ ନେଇ ବାହାରିଥିଲା ଡଙ୍ଗା । ହେଲେ ସବୁ ଦିନ ଭଳି ଆଜି ଯାତ୍ରୀଙ୍କୁ ନେଇ କୂଳରେ ପହଂଚି ପାରିଲା ନାହିଁ ଡଙ୍ଗା । ସକାଳ ସାଢେ ୫ଟା ବେଳେ ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଡ଼ଙ୍ଗାଟି ମଝି ନଇରେ ବୁଡିଯାଇଛି । କେନ୍ଦ୍ରାପଡ଼ା ଆଳି ବ୍ଲକ ଏକମଣିଆ ବ୍ରାହ୍ମଣୀ ନଦୀରେ ଏଭଳି ଅଘଟଣା ଘଟିଛି । ଯାତ୍ରୀବାହୀ ଡଙ୍ଗାଟି ଆଳି ଏକମଣିଆରୁ ରାଜନଗର ବ୍ଲକ କେରଡ଼ାଗଡ଼ ଯାଉଥିବା ବେଳେ ମଝୀ ନଇରେ ଭାରସ୍ୟାମ ହରାଇ ବୁଡି ଯିବାରୁ ଜଣେ ନାବାଳକଙ୍କ ଜୀବନ ଦୀପ ଲିଭି ଯାଇଛି ।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଏକମଣିଆ ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ିବା ଘଟଣାସ୍ଥଳକୁ ଯାଇଥିଲେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ବ୍ରାହ୍ମଣୀରେ ଅଘଟଣ ପରେ ତାତି ଉଠିଥିବା ଲୋକେ ମନ୍ତ୍ରୀଙ୍କୁ ବିରୋଧ କରିବା ସହ ଘେରି ଯାଇଥିଲେ । ଯାତାୟତ ପାଇଁ ସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ଦାବି କରିଥିଲେ । ସ୍ଥାୟୀ ପୋଲ ନଥିବାରୁ ଲୋକଙ୍କ ଜୀବନ ଯାଉଥିବା ଅଭିଯୋଗ କରି ମନ୍ତ୍ରୀଙ୍କୁ ଘେରିଥିଲେ ଉତ୍ୟେକ୍ତ ଲୋକେ ।
ଏକମଣିଆ ଡଙ୍ଗା ବୁଡି ଘଟଣାରେ ୨ ଜଣ ନାବାଳକ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ବି ଆଉ ଜଣେ ନିଖୋଜ ଅଛନ୍ତି ।