ଚରମ ସୀମାରେ ପହଞ୍ଚିଲା କେନ୍ଦ୍ରାପଡା ପଦନୀପାଳ ପଂଚାୟତର ଦୁର୍ନୀତି…ପୁରୁଣା ଘରେ ଚୂନ ମାରି ଚଳୁ କରିଦେଲେ ଲକ୍ଷ ଲକ୍ଷ ଟଙ୍କା !

ନୂଆ ଘର ନିର୍ମାଣ ନକରି ସରକାରୀ ଟଙ୍କା ଆତ୍ମସାତ୍

273

କନକ ବ୍ୟୁରୋ: ଘର ନକରି ଟଙ୍କା ହଡପ । ପୁଣି ଏମିତି ସେମିତି ଘର ନୁହେଁ ରାଜୀବ୍ ଗାନ୍ଧୀ ସେବା କେନ୍ଦ୍ର ଓ ହରିଜନ ସାହି ଅଙ୍ଗନୱାର୍ଡି କେନ୍ଦ୍ର । କେନ୍ଦ୍ରାପଡା ପଦନୀପାଳ ପଂଚାୟତରେ ଦୁର୍ନୀତି ଚରମ ସୀମାରେ ପହଂଚିଛି । ଘର ନିର୍ମାଣ ସଂପୂର୍ଣ୍ଣ ନକରି ସ୍ଥାନୀୟ ସରପଂଚ ଓ ବିଭାଗୀୟ ବିଲ୍ କରି ଟଙ୍କା ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଆଉ ଏହି ଦୁର୍ନୀତିର ଗୁମର ଖୋଲିଛନ୍ତି ସୋସିଆଲ ଅଡିଟ୍ କରୁଥିବା ଅଧିକାରୀ । ସରକାରୀ ଯୋଜନାକୁ ସଠିକ୍ ବାଟରେ ନେବା ପାଇଁ ସରକାରଙ୍କ ଫାଇଭ-ଟି ଛାଟ । ହେଲେ ତୃଣମୂଳ ସ୍ତରରେ ଏବେ ବି ଦୁର୍ନୀତି ଚରମ ସୀମାରେ ପହଂଚିଛି । କେନ୍ଦ୍ରାପଡା ଆଳି ବ୍ଲକ ପଦନୀପାଳ ପଂଚାୟତରେ ରାଜୀବ୍ ଗାନ୍ଧୀ ସେବା କେନ୍ଦ୍ର ଓ ହରିଜନ ସାହି ଅଙ୍ଗନୱାର୍ଡି କେନ୍ଦ୍ର ନିର୍ମାଣ ନକରି ସ୍ଥାନୀୟ ସରପଂଚ ଓ ବିଭାଗୀ ଅଧିକାରୀ ଟଙ୍କା ଆତ୍ମସାତ୍ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପଦନୀପାଳ ସ୍କୁଲ ପରିସରରେ ଥିବା ଏକ ପୁରୁଣା ଘରକୁ ରଙ୍ଗ ଦେଇ ସେଠାରେ ଲେଖାଯାଇଛି ରାଜୀବ ଗାନ୍ଧୀ ସେବା କେନ୍ଦ୍ର । ଏବେ ସେହି ଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । କେବଳ ଏତିକି ନୁହେଁ ଦୁର୍ନୀତିର ଚେର ବହୁ ତଳେ ରହିଛି । ୧୫ ବର୍ଷ ତଳର ଭଙ୍ଗା ଘରେ ଛାତ ପକାଇ ଲକ୍ଷାଧିକ ହଡପ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

୨ଟି ଘର ବାବଦକୁ ପ୍ରାୟ ୧୮ ଲକ୍ଷ ଟଙ୍କା ହଡପ ହୋଇଥିବା କଥାକୁ ଲୋକଲୋଚନକୁ ଆଣିଛନ୍ତି ସରକାରଙ୍କ ସୋସିଆଲ ଅଡିଟ୍ ଅଧିକାରୀ । ଅଡିଟ୍ ପାଇଁ ଯାଇଥିବା ଅଧିକାରୀଙ୍କ ସ୍ଥାନୀୟ ସରପଂଚ ଧମକ ଦେଇଥିବା ବେଳେ ଏହି ଘଟଣାକୁ ନେଇ ଆଳି ଥାନାରେ ଅଭିଯୋଗ ହୋଇଛି । ଘଟଣାର ତଦନ୍ତ ପାଇଁ ପିଡିଙ୍କୁ ନିର୍ଦେଶ ଦିଆଯାଇଛି, ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । କେବଳ ଏହି ଦୁର୍ନୀତି ନୁହେଁ ପଦନୀପାଳ ଅଂଚଳରେ ଅନେକ ଦୁର୍ନୀତି ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି ।