କନକ ବ୍ୟୁରୋ: ଓଡ଼ିଶା ରାଜନୀତିର ସବୁଠାରୁ ସମ୍ବେଦନଶୀଳ କେନ୍ଦ୍ରାପଡା ଲୋକସଭା ଆସନରେ କିଏ ହେବ ବିଜେଡି ପ୍ରାର୍ଥୀ? ଜିଲ୍ଲାର ଅଭିଜ୍ଞ ତଥା ବିଚକ୍ଷଣ ବିଧାୟକମାନଙ୍କୁ ଏଠାରେ ପ୍ରାର୍ଥୀ କରାଯିବ ନା ଅପେକ୍ଷାକୃତ ଜଣେ ସ୍ବଚ୍ଛ ଓ ନିର୍ମଳ ବ୍ୟକ୍ତିଙ୍କୁ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ବୈଜୟନ୍ତଙ୍କ ବିରୋଧରେ ଅସ୍ତ୍ର କରି ସଫଳ ହେବେ? ବିଜେଡିର ଏକ ନମ୍ବର ଶତ୍ରୁ ବୋଲି କୁହାଯାଉଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେପି ଏହି ଗୁରୁତ୍ବପୂର୍ଣ୍ଣ ଆସନରୁ ପ୍ରାର୍ଥୀ କରିବା ପରେ ଏବେ ରାଜନୈତିକ ମହଲରେ ଏଭଳି କିଛି ପ୍ରଶ୍ନ ଉପରେ ତର୍ଜମା ଚାଲିଛି। ବୈଜୟନ୍ତଙ୍କୁ ଧୂଳି ଚଟାଇ ନବୀନ ତାଙ୍କର ଲୋକପ୍ରିୟତା ପ୍ରମାଣ କରିବେ ନା କେନ୍ଦ୍ରାପଡା ଜିଲ୍ଲା ରାଜନୀତିର ଚିତ୍ର ପାଞ୍ଚ ଦଶନ୍ଧି ପରେ ବଦଳିବ, ସେ ନେଇ ହିସାବ ନିକାସ ଆରମ୍ଭ ହୋଇଗଲାଣି। ବିଜେଡି ଠୋସ୍ କି ପଦକ୍ଷେପ ନେବାକୁ ଯାଉଛି, ରଣନୀତି କ’ଣ, ସେକଥା କେହି ଠଉରାଇ ପାରୁନାହାନ୍ତି। ଅନ୍ୟପକ୍ଷରେ ବିଜେଡି ଆଭ୍ୟନ୍ତରୀଣ ଖବରକୁ ବିଶ୍ବାସ କରାଗଲେ, ଜିଲ୍ଲାର ଅତ୍ୟନ୍ତ କ୍ଷମତାଶାଳୀ ନେତାମାନେ ଏ ପର୍ୟ୍ୟନ୍ତ ଏହି ଆସନରେ ବିଜେଡି ଏକପାଖିଆ ଭାବେ ସବୁଥର ଭଳି ଜିତିବ, ଏ ଭରସା ଦେଇପାରିନାହାନ୍ତି। ଫଳରେ କେନ୍ଦ୍ରାପଡା ଜିଲ୍ଲା ରାଜନୀତି ଗଣିତ ଅଧିକ ରୋଚକ ସ୍ଥିତିକୁ ଚାଲିଯାଇଛି।
ଉଲ୍ଲେଖଯୋଗ୍ୟ, ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏବେ ବିଜେଡି ନେତୃତ୍ବ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀ ଚୟନ କସରତ ଚଳାଇଛନ୍ତି। ବାଲେଶ୍ବର, ଭଦ୍ରକ ଠାରୁ ଆରମ୍ଭ କରି ଯାଜପୁର, ଜଗତସିଂହପୁର, କଟକ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ଜିଲ୍ଲାରେ କିଏ ପ୍ରାର୍ଥୀ ହେବେ ସେ ନେଇ ସହମତି ଗୋଟାଉଛନ୍ତି ନେତାମାନେ। ହେଲେ କେନ୍ଦ୍ରାପଡା ଲୋକସଭା ଆସନ କିନ୍ତୁ ଶାସକ ବିଜେଡି ପାଇଁ ଏକରକମ ମୁଣ୍ଡ ବିନ୍ଧାର କାରଣ େହାଇଛି। ବିଜେଡି ପାଇଁ ଏହି ଆସନ ତିନିଟି ଦୃଷ୍ଟିରୁ ମହତ୍ତ୍ବ ରଖୁଛି। ପ୍ରଥମତଃ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୯ ମସିହାରେ ଏହି ଆସନରୁ ବୈଜୟନ୍ତଙ୍କୁ େଲାକସଭା ପାଇଁ ପ୍ରାର୍ଥୀ କରିଥିଲେ। ସେ ୨୦୧୪ରେ ବି ନିର୍ବାଚନ ଜିତିଥିଲେ। ବିଜେଡିରୁ ବିଦା ହୋଇଥିବା ସାଂସଦ ବୈଜୟନ୍ତ ପଣ୍ଡା ଏଠାରୁ ବିଜେପି ପ୍ରାର୍ଥୀ ଭାବେ ଲଢୁଛନ୍ତି। ଏଥର ପରୀକ୍ଷା ହେବ ଯେ ନବୀନଙ୍କ ଲୋକପ୍ରିୟତା ଓ ପ୍ରତିଷ୍ଠା ବିନା ବୈଜୟନ୍ତଙ୍କ ଅସ୍ତିତ୍ବ ଅଛି ନା ନାହିଁ?
ଦ୍ବିତୀୟତଃ, ବୈଜୟନ୍ତ ପଦ୍ମ ଧରିବା ପରେ ନିଜକୁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ଚିତ୍ରଣ କରିଚାଲିଛନ୍ତି। ନିଜ ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବି ହାତେଇଛନ୍ତି ଓ ଯେଉଁମାନଙ୍କ ପାଇଁ ଦଳର ଦ୍ବାର ଏକଦା ବନ୍ଦ ଥିଲା, ଜଣକ ପରେ ଜଣଙ୍କୁ ସାମିଲ କରି ନିଜର ପତିଆରା ପ୍ରଦର୍ଶନ କରୁଛନ୍ତି। ଯଦି ବୈଜୟନ୍ତ କେନ୍ଦ୍ରାପଡାରେ ନିଜ ଲୋକପ୍ରିୟତା ପ୍ରମାଣ କରିପାରିବେ, ତେବେ ଆଗାମୀ ଦିନରେ ରାଜ୍ୟ ବିଜେପି ନିୟନ୍ତ୍ରଣ କରିବା ତାଙ୍କ ପାଇଁ ବେଶି ଦୂର ନୁହେଁ। ଏ ନିର୍ବାଚନରେ ସେ ପ୍ରମାଣ କରିବାକୁ ଚାହିଁବେ େଯ ସେ ରାଜ୍ୟ ବିଜେପିର ଅନ୍ୟ ନେତାଙ୍କ ଠାରୁ ଅତ୍ୟନ୍ତ ଦକ୍ଷ ଓ ଯୋଗ୍ୟ ବି। ବରଂ ଅନ୍ୟମାନଙ୍କ ଭଳି ଦଳ ତାଙ୍କୁ ଅନୁଗ୍ରହ ପ୍ରଦର୍ଶନ କରିନାହିଁ। ଏମିତି ହେଲେ, ଅସନ୍ତୁଷ୍ଟ ବିଜେଡି ନେତାଙ୍କ ପାଇଁ ନିର୍ବାଚନ ପରେ ବିଜେପି ବେଶି ଦୂର ହୋଇନପାରେ।
ତୃତୀୟତଃ,କେନ୍ଦ୍ରାପଡା ହେଉଛି ବିଜୁ ବାବୁଙ୍କର କର୍ମଭୂମି। ତାଙ୍କରି ଆଦର୍ଶକୁ ଦଶନ୍ଧି ଧରି ସାଙ୍ଗରେ ରଖି ଏହି ଆସନ ପୂର୍ବରୁ ଜନତାଦଳ ଦଖଲ କରୁଥିଲା ଓ ଏବେ ବିଜେଡି ଜିତି ଆସୁଛି। ଏଣୁ ଏହି ଧାରା ବଜାୟ ରହିବ ନା ୨୦୧୯ ନିର୍ବାଚନ ଏଥିରେ ପୂର୍ଣ୍ଣଛେଦ ଟାଣିବ, ତାହା ଦେଖିବା କଥା। ଏେତ ସବୁ କଥା ପାଇଁ କେନ୍ଦ୍ରାପଡା ଲୋକସଭା ଆସନର ପ୍ରାର୍ଥୀ ଚୟନ ପାଇଁ ବିଜେଡି ନେତୃତ୍ବ ଚାପରେ ରହିବା ସ୍ବାଭାବିକ। ରାଜନୈତିକ ପର୍ୟ୍ୟବେକ୍ଷକ ମହଲର ଯୁକ୍ତି କିନ୍ତୁ ଏ କ୍ଷେତ୍ରରେ ଟିକିଏ ଭିନ୍ନ। ଏହି ମହଲର କହିବା କଥା ହେଉଛି, ଉଭୟ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ କେନ୍ଦ୍ରାପଡାର ନେତାମାନଙ୍କୁ ମନ୍ତ୍ରିମଣ୍ଡଳରେ ଓ ସଂଗଠନରେ ମାତ୍ରାଧିକ ଗୁରୁତ୍ବ ଦେଇଛନ୍ତି। ଏକଦା ବିଜୁ ବାବୁଙ୍କ ସରକାରରେ ଅର୍ଥ ମନ୍ତ୍ରୀ ଥିବା ବେଦ ପ୍ରକାଶ ଅଗ୍ରଵାଲଙ୍କୁ ନବୀନଙ୍କ କ୍ୟାବିନେଟରେ ଗ୍ରାମ୍ୟ ଉନ୍ନୟନ ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିଥିଲା। ସେ ହାରିଯିବା ପରେ ବି ତାଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା।
ଦଳୀୟ ପଦ ପଦବିରେ ମଧ୍ୟ ତାଙ୍କୁ ସବୁ ସମୟରେ ଅନୁରୂପ ସ୍ବୀକୃତି ମିଳିଛି। ଏବେ ସେ ଦଳ ପାଇଁ ତୃଣମୂଳସ୍ତରରେ ଯୁଝୁଥିବା ଯୁବ ନେତାଙ୍କୁ ବିଧାନସଭା ଆସନ ପାଇଁ ଟିକେଟ୍ ଦେବାକୁ ସୁପାରିସ କରି ନିଜ ଆଡୁ ବୈଜୟନ୍ତଙ୍କ ବିରୋଧରେ ଲଢିବା ଲାଗି ହୁଂକାର ଦେବା କଥା। ସେହିପରି ବିଜେଡିର ପ୍ରତିଷ୍ଠାତା ସଭ୍ୟ ବିଜୟ ମହାପାତ୍ରଙ୍କ ଟିକେଟ୍ କାଟିବା ପରେ ରାଜନୀତିର ଧାର ଧାରିନଥିବା ତଥା ସାମ୍ବାଦିକ ବୃତ୍ତିରେ ଥିବା ଅତନୁ ସବ୍ୟସାଚୀ ନାୟକଙ୍କୁ ନବୀନ ପାଟକୁରା ଭଳି ଆସନ ଟେକି ଦେଇଥିଲେ। ଯୁବ ସଂଗଠନ ଦାୟିତ୍ବ ଦେଇଥିଲେ ଓ ପରେ ମନ୍ତ୍ରୀ ପଦ ବି। ଜିଲ୍ଲା ରାଜନୀତିରେ ଅତନୁଙ୍କ ଦବଦବା କିଛି କମ ନାହିଁ। ସେ ନିଜ ଆଡୁ ଲୋକସଭା ଆସନ ପାଇଁ ଆଗ୍ରହ ଦେଖାଇବା ସହିତ ବାସ୍ତବରେ ବୈଜୟନ୍ତଙ୍କ ତୁଳନାରେ ତାଙ୍କର ଲୋକପ୍ରିୟତା ଅଧିକ ଏ ଅଗ୍ନି ପରୀକ୍ଷା ଦେବାପାଇଁ ଏହାକୁ ଏକ ପ୍ରକୃଷ୍ଟ ସୁଯୋଗ ଭଳି ବ୍ୟବହାର କରିପାରିବେ।
ସେହିଭଳି ଏକଦା ବୈଜୟନ୍ତଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ରାଜ୍ୟସଭା ସାଂସଦ ପ୍ରତାପ ଦେବ ଓ ତାଙ୍କ ପରିବାର ପ୍ରତି ନବୀନଙ୍କ ଅନୁଗ୍ରହ କିଛି କମ ନାହିଁ। ସେ ନିଜ ଆସନ ଅନ୍ୟ କନିଷ୍ଠ ବା ଛାମୁଆ ନେତାଙ୍କୁ ଛାଡି ବଲାଙ୍ଗୀର ରାଜ ପରିବାର ଭଳି ଲୋକସଭା ପ୍ରାର୍ଥୀ ଭାବେ ମଧ୍ୟ ଲଢିବା ଲାଗି ସାହସ ଦେଖାଇଲେ କର୍ମୀ ନିଶ୍ଚିତ ଉତ୍ସାହିତ ହେବେ। କେବଳ ସେତିକି ନୁହଁ, ମାହାଙ୍ଗା ବିଧାୟକ ପ୍ରତାପ ଜେନା ମଧ୍ୟ ଏହି ଧାରାରେ ସାମିଲ ହେବାର ଆବଶ୍ୟକତା ରହିଛି। ତେବେ ଜିଲ୍ଲା ନେତାମାନେ ଏଯାଏ ଆଗ୍ରହ ନ ଦେଖାଇବା ଘଟଣା ସେମାନଙ୍କର ଜିଲ୍ଲା ଉପରେ ଥିବା କର୍ତୃତ୍ବ ପ୍ରତି କେବଳ ପ୍ରଶ୍ନ ଚିହ୍ନ ଲଗାଉଛି ତା ନୁହଁ, ତାଙ୍କ କର୍ମୀଙ୍କ ଉପରେ ସେତିକି ପ୍ରଚଣ୍ଡ ବିଶ୍ବାସ ନାହିଁ, ଏହା ବି ପରୋକ୍ଷରେ ସୂଚାଉଛି।
ଏହି ମହଲର ଆହୁରି କହିବା କଥା ହେଉଛି, ଏସବୁ ନେତାମାନେ ନିଜେ ନ ଲଢିଲେ ନାହିଁ, ନେତୃତ୍ବକୁ ଏ ବିଶ୍ବାସ ଅନ୍ତତଃ ଦେବା ଦରକାର ଯେ ବୈଜୟନ୍ତଙ୍କୁ ଗୁରୁତ୍ବ ନ ଦେଇ ନବୀନ ସେମାନଙ୍କୁ ଭରସା ରଖନ୍ତୁ। ନିଜ ନିଜ ନିର୍ବାଚନମଣ୍ଡଳୀରୁ ଏତେ ଅଧିକ ଭୋଟ ଲୋକସଭା ପ୍ରାର୍ଥୀଙ୍କୁ ଅଜାଡି ଦିଆଯିବ ଯେମିତି ବୈଜୟନ୍ତଙ୍କ ବିରୋଧରେ ଦଳର ଯେ କୌଣସି କର୍ମୀ ମଧ୍ୟ ଲଢି ଜିତିପାରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସ୍କାରେ ଯେଭଳି ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରି ସମଗ୍ର ଓଡ଼ିଶାରେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି, ଠିକ୍ ସେହିଭଳି ଏକ ପ୍ରାର୍ଥୀଙ୍କୁ ଆଣି କେନ୍ଦ୍ରାପଡାରେ ପ୍ରାର୍ଥୀ କରାଗଲେ, ଏକଥା ନିଶ୍ଚିତ ପ୍ରମାଣିତ ହେବ ଯେ ବୈଜୟନ୍ତଙ୍କ ପ୍ରତିଷ୍ଠା ନୁହଁ, ବରଂ ନବୀନଙ୍କ ଲୋକପ୍ରିୟତା ହିଁ ବିଜେଡିର ଅସଲ ସମ୍ପତ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/BAIJANTA.jpg)
/kanak/media/post_attachments/wp-content/uploads/2018/09/BAIJAYANTPANDA-300x206.jpg)
/kanak/media/post_attachments/wp-content/uploads/2019/03/BAIJAYANTA-300x169.jpg)
/kanak/media/post_attachments/wp-content/uploads/2018/05/80101-owcfgzcdtg-1516866059-300x158.jpg)
/kanak/media/post_attachments/wp-content/uploads/2017/08/Screen-shot-2017-08-03-at-7.47.20-AM-300x205.png)
/kanak/media/post_attachments/wp-content/uploads/2017/05/naveen-1-300x144.jpg)
/kanak/media/post_attachments/wp-content/uploads/2019/03/bjd-300x183.jpg)