କ୍ଷମତା ଯୁଦ୍ଧର କାହାଣୀ ! ବୈଜୟନ୍ତ ବିବାଦ ମୂଳରେ କେନ୍ଦ୍ରାପଡ଼ା ରାଜନୀତି

42

କନକ ବ୍ୟୁରୋ : ଦଳୀୟ ନେତାଙ୍କ ବୟାନବାଜୀକୁ ନେଇ ଏବେ ବିଜେଡି ରାଜନୀତିରେ ଝଡ଼ । ଆଉ ଏହି ଝଡର କେନ୍ଦ୍ରରେ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା । ପ୍ରଥମେ ଟ୍ୱିଟ୍ ତାପରେ ଖବରକାଗଜରେ ଆର୍ଟିକିଲ୍ । ପରାମର୍ଶ ଆଳରେ ସେ ନିଜର ଅସନ୍ତୋଷ ଜାହିର କରୁଛନ୍ତି ନା’ ସମୀକ୍ଷା ପାଇଁ ବାଟ ଦେଖାଉଛନ୍ତି, ତାକୁ ନେଇ ଏବେ ବି ସନ୍ଦେହ ଲାଗି ରହିଛି ।

ବିଜେଡି-ବୈଜୟନ୍ତ ଓ ବିବାଦର ମୂଳ କେଉଁଠି? କାହିଁକି ଦଳ ଭିତରେ ଏତେ ବଡ ଅସନ୍ତୋଷ ସୃଷ୍ଟି ହେଲା ? କାହିଁକି ସାଂସଦ ବୈଜୟନ୍ତ ପଣ୍ଡା, ସର୍ବ ସାଧାରଣରେ ଦଳକୁ ପରାମର୍ଶ ଦେବାକୁ ବାହାରିଲେ ? ଯାହା ତାଙ୍କୁ ଏକ ପ୍ରକାର ବିଦ୍ରୋହୀ ଭାବରେ ଛିଡ଼ା କରିଦେଲା । ଅସନ୍ତୋଷର ମୁଳଦୁଆ ପଡ଼ିଥିଲା କେନ୍ଦ୍ରାପଡ଼ାରୁ । ଯେଉଁଠି ଚାଲିଛି ଅତନୁ-ବୈଜୟନ୍ତ ଗୋଷ୍ଠି ଭିତରେ କଡା ଟକ୍କର ।

ବିଜେଡିର ଗୋଷ୍ଠୀ କନ୍ଦଳ ହିଁ ପୋତିଥିଲା ଅସନ୍ତୋଷର ମଂଜି । ପରିସ୍ଥିତି ଏମିତି ହେଲା ଯେ, ଖୋଦ୍ କେନ୍ଦ୍ରାପଡ଼ା ସାଂସଦ, କେନ୍ଦ୍ରାପଡ଼ା ଯିବା ରାସ୍ତାରେ ବାଟ ଓଗାଳିଲେ ଅତନୁ ଗୋଷ୍ଠି । ଏହି ଦୁଇ ନେତା ପରଦା ଆଢ଼ୁଆଳରେ ରହୁଥିଲେ ବି ସମର୍ଥକଙ୍କ ଭିତରେ ଚାଲିଲା ସମ୍ମୁଖ ଯୁଦ୍ଧ । ଅନୁରୁପ ଦୃଶ୍ୟ ଦେଖିବାକୁ ମିଳିଥିଲା ଅତନୁଙ୍କ ସମର୍ଥକଙ୍କ ଭିତରେ । ଅତନୁ ଜିନ୍ଦାବାଦ ନାରା ଭିତରେ ସ୍ପଷ୍ଟ ବାରି ହୋଇପଡୁଥିଲା ବୈଜୟନ୍ତ ବିରୋଧୀ ସ୍ୱର । ମହାକାଳପଡ଼ାରେ ବି ଏହି ସମର୍ଥକମାନେ ବୈଜୟନ୍ତଙ୍କୁ ବିରୋଧ କରିଥିଲେ ।

ଦିଲ୍ଲୀ ଦରବାରରେ ଦବଦବା ଦେଖାଉଥିବା ବୈଜୟନ୍ତଙ୍କୁ କିନ୍ତୁ ଖୋଦ୍ ନିଜ ନିର୍ବାଚନ ମଣ୍ଡଳୀରେ ହତାସ୍ କରିଥିଲା ଅତନୁ ସମର୍ଥକଙ୍କ ବିରୋଧ । ଦଳୀୟ ସୁପ୍ରିମୋ ବି ଏହାକୁ ଅଣଦେଖା କଲା ବୋଲି ବି ଚର୍ଚ୍ଚା ହୁଏ । ବୈଜୟନ୍ତଙ୍କୁ ଏହି କେନ୍ଦ୍ରାପଡ଼ା ଅସନ୍ତୋଷ ହିଁ ବିବ୍ରତ କରିଥିଲା । ଯାହା ପରବର୍ତୀ ସମୟରେ ଦଳକୁ ପରାମର୍ଶ ଦେବା ଆଳରେ ବାହାରିପଡ଼ିଲେ ବୈଜୟନ୍ତ ।