କେନ୍ଦ୍ରାପଡାରେ କେଳେଙ୍କାରୀ: ମହିଳା କର୍ମଚାରୀଙ୍କୁ ଯୌନଶୋଷଣ କରିଥିବା ନେଇ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ସଭାପତିଙ୍କ ବିରୋଧରେ ଅଭିଯୋଗ

କନକ ନ୍ୟୁଜରେ ପୀଡ଼ିତା କହିଲେ ମୋବାଇଲ ଶିଖାଇବା ବାହାନାରେ ଚାମ୍ବରକୁ ଡାକନ୍ତି ସଭାପତି; ସାମନାକୁ ଆସିଲା ଅଡିଓ ଟେପ୍

433

କନକ ବ୍ୟୁରୋ: କେନ୍ଦ୍ରାପଡାରେ କେଳେଙ୍କାରୀ । କ୍ରେଡିଟ୍ କୋଅପରେଟିଭ୍ ସୋସାଇଟିର ସଭାପତି ମହିଳା କର୍ମଚାରୀଙ୍କୁ ଯୌନଶୋଷଣ କରିଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ । କେଳେଙ୍କାରୀର ଅଡିଓ ଟେପ୍ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ରହିଛି କୋଅପରେଟିଭ୍ ସୋସାଇଟିର ସଭାପତିଙ୍କ କେଳେଙ୍କାରୀର କାହାଣୀ । ଏପରିକି ଏହି ଯୌନ ଶୋଷଣ ଅଭିଯୋଗ ପୀଡିତା ୬ ମାସ ତଳେ କରିଥିବା ବେଳେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ମଧ୍ୟ ହୋଇଛି । ନ୍ୟାୟ ପାଇଁ ପୀଡିତା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ପରେ ମାମଲାର ତଦନ୍ତ ଭାର ଲୋକାଲ କଂପ୍ଲେଂଟ୍ କମିଟିକୁ ଦିଆଯାଇଛି । ତେବେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପୁଲିସ ଅଭିଯୁକ୍ତଙ୍କ ସହ ପୀଡିତାଙ୍କ ହୋଇଥିବା ବାର୍ତାଳାପର ଅଡିଓ ଟେପ ଯାଂଚ ପାଇଁ ଫରେନସିକ୍ ଲାବକୁ ପଠାଇଛି ।

କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ଏହି କାହାଣୀ କେତେ ସାଂଘାତିକ ତାହା ଏହି ଯୁବତୀଙ୍କ ବୟାନ ଶୁଣିଲେ ଆପଣ ବି ଅନୁମାନ କରିପାରିବେ । ଯୌନ କେଳେଙ୍କାରୀ ମାମଲାରେ ଏବେ ନୂଆ ନୂଆ ଅଭିଯୋଗ ଯୋଡି ହେବାରେ ଲାଗିଛି । ପୀଡ଼ିତା ଓ ତାଙ୍କ ମାଆ କନକ ନ୍ୟୁଜ ଆଗରେ ଏପରି କିଛି ଅଭିଯୋଗ ଆଣିଛନ୍ତି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏପରିକି ପୀଡ଼ିତା ଅଭିଯୋଗ କରିଛନ୍ତି, ଅନେକ ମହିଳା କର୍ମଚାରୀଙ୍କୁ ଯୌନଶୋଷଣ କରି ଆସିଛନ୍ତି କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ସଭାପତି ପ୍ରମୋଦ ସାହୁ । ପ୍ରମୋଦଙ୍କ ପ୍ରେମ ନିବେଦନରେ ସେ ରାଜି ନହେବାରୁ ତାଙ୍କ ସହ ଦୁଷ୍କର୍ମ କରି ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦିଆଯାଇଥିବା କହିଛନ୍ତି ପୀଡ଼ିତା । ସଭାପତିଙ୍କ ଏହିସବୁ ଅପକର୍ମ ପାଇଁ ସୋସାଇଟି କିଛି କର୍ମଚାରୀ ସହାୟତା କରୁଥିବା ସେ ଅଭିଯୋଗ କରିଛନ୍ତି । ଥାନାରେ ଯୌନ ଶୋଷଣର ଅଭିଯୋଗ ପାଇଁ କିପରି ମାସ ମାସ ଧରି ବିଭିନ୍ନ ଫୋରମରେ ଗୁହାରି କରିଛନ୍ତି, ତାହା ମଧ୍ୟ ବର୍ଣ୍ଣନା କରିଛନ୍ତି ପୀଡ଼ିତା । ଏହି ମାମଲାରେ ପୋଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠାଇବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି ପୀଡ଼ିତା ।

ନ୍ୟାୟ ପାଇଁ ପୀଡିତା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ପରେ ମାମଲାର ତଦନ୍ତ ଭାର ଲୋକାଲ କଂପ୍ଲେନ୍ କମିଟିକୁ ଦିଆଯାଇଛି । ଅଭିଯୁକ୍ତଙ୍କ ସହ ପୀଡିତାଙ୍କ ହୋଇଥିବା ବାର୍ତାଳାପର ଅଡିଓ ଟେପ ଯାଂଚ ପାଇଁ ଫରେନସିକ୍ ଲାବକୁ ପଠାଇଛି ପୁଲିସ । ଶୁଣନ୍ତୁ, ଅଭିଯୁକ୍ତ ପ୍ରମୋଦ ସାହୁ ଓ ଅଭିଯୋଗକାରୀଣିଙ୍କ ମଧ୍ୟରେ ହୋଇଥିବା ବାର୍ତାଳାପର ଅଡିଓ ଟେପ୍ । ସେପଟେ ଅଭିଯୁକ୍ତ ପ୍ରମୋଦଙ୍କର ରାଜନୈତିକ ପ୍ରଭାବ ଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର । ତେବେ ଧୀରେ ଧୀରେ ଏହି ମାମଲା ରାଜନୈତିକ ମୋଡ ନେବା ସହ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।