ତିହାର ଜେଲରେ ରାତି କାଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଇଡି ରିମାଣ୍ଡ ଅବଧି ଶେଷ ପରେ ୧୫ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବେ ଅରବିନ୍ଦ କେଜ୍ରିୱାଲ

148

କନକ ବ୍ୟୁରୋ : ତିହାର ଜେଲରେ ପ୍ରଥମ ରାତି କାଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅବକାରୀ ନୀତି ଦୁର୍ନୀତି ମାମଲାରେ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ଯାଇଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ତିହାରର ୨ ନମ୍ବର ଜେଲେରେ ରଖାଯାଇଛି । ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ବ୍ୟାରେକ୍ ପରିବର୍ତେ ସେଲରେ ରଖାଯାଇଛି । ବ୍ୟାରେକ୍ ହେଉଛି ବଡ଼ ହଲ୍ ଯେଉଁଥିରେ ୨୫-୩୦ ଜଣ କଏଦୀ ରହିପାରିବେ ଏବଂ ଗୋଟିଏ ସେଲରେ ସର୍ବନିମ୍ନ ଜଣେ ଏବଂ ସର୍ବାଧିକ ୫ ଜଣ କଏଦୀ ରହିପାରିବେ । ସେଲରେ କେଜ୍ରିୱାଲ ଏବେ ଏକୁଟିଆ ଅଛନ୍ତି ।

ଜେଲ୍ ପ୍ରଶାସନର ସୂଚନା ଅନୁଯାୟୀ, କୋର୍ଟଙ୍କ ନିର୍ଦ୍ଦେଶ ବ୍ୟତୀତ ଏଠାରେ ମୁଖ୍ୟମନ୍ତ୍ରୀଙ୍କୁ କୌଣସି ବିଶେଷ ବ୍ୟବହାର କରାଯିବ ନାହିଁ । ଜେଲ୍ ମାନୁଆଲ୍ ଅନୁଯାୟୀ କେଜ୍ରିୱାଲ କେବଳ ଜଣେ କଏଦୀଙ୍କୁ ଦିଆଯାଉଥିବା ସୁବିଧା ପାଇବେ । ପୁଲିସର ତୃତୀୟ ବାଟାଲିୟନର ସହାୟତାରେ କେଜ୍ରିୱାଲ ଅପରାହ୍ନ ୪ଟା ୩ ମିନିଟରେ ଜେଲ୍ ଭ୍ୟାନରେ ୨ ନମ୍ବର ଗେଟରୁ ଜେଲ୍ ପରିସରରେ ପ୍ରବେଶ କରିଥିଲେ । ତାଙ୍କୁ ୨ ନମ୍ବର ଜେଲକୁ ନିଆଯାଇଥିଲା । କଏଦୀ ଭାବେ ତାଙ୍କ ସହ ଜଡ଼ିତ ସମସ୍ତ ତଥ୍ୟ ଓ ପିଏମଏସ୍ ଓ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଜେଲ୍ ପରିସରରେ ଭର୍ତି କରାଯାଇଥିଲା । ସେଠାରୁ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ତାଙ୍କ ସେଲକୁ ନିଆଯାଇଥିଲା । ସପ୍ତାହକୁ ଦୁଇଥର ସର୍ମ୍ପକୀୟଙ୍କୁ ଭେଟି ପାରିବେ କେଜ୍ରିୱାଲ । ଖେଳ, ମନୋରଞ୍ଜନ ଓ ନ୍ୟୁଜ ଚ୍ୟାନେଲ ଦେଖପାରିବେ । ଅବକାରୀ ଦୁର୍ନୀତି ମାମଲାରେ ପୂର୍ବରୁ ୩ ଜଣ ନେତାଙ୍କୁ ଗିରଫ କରାଯାଇ ତିହାର ଜେଲରେ ରଖାଯାଇଛି । ସାଉଥ୍ ସିଣ୍ଡିକେଟ୍ ଲିଙ୍କରେ ବିଆରଏସ୍ ନେତ୍ରୀ କେ.କବିତାକୁ ମଧ୍ୟ ବାନ୍ଧିଛି ଇଡି । ପଢିବା ପାଇଁ ଶ୍ରୀମଦ ଭାଗବତ ଗୀତା, ରାମାୟଣ ଏବଂ ହାଓ ପ୍ରାଇମିନିଷ୍ଟର ଡିସାଇଡ ପସ୍ୱୃଳ ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ