କେଉଁଠି କଣ କହୁଛନ୍ତି ବୁଝି ପାରୁନାହାନ୍ତି କେଜ୍ରିୱାଲ? କେତେବେଳେ କଂଗ୍ରେସ ସହ ମେଣ୍ଟ କରୁଛନ୍ତି ତ  ପୁଣି କେତେବେଳେ ଦୁର୍ନୀତି ଦଳର ଟ୍ୟାଗ୍ ଦେବାକୁ ଭୁଲୁନାହାନ୍ତି

187

କନକ ବ୍ୟୁରୋ :  ବଢି ଚାଲିଛି କେଜ୍ରିୱାଲଙ୍କ କନଫ୍ୟୁଜନ । ବହୁରୂପୀ ଏଣ୍ଡୁଅ ଭଳି ପ୍ରତିଦିନ ରଙ୍ଗ ବଦଳାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସ୍ଥାନ ବଦଳିବା ସହ କେଜ୍ରିୱାଲଙ୍କ ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳୁଛି । କେଉଁଠି କଂଗ୍ରେସକୁ ଗାଳି ଦେଉଛନ୍ତି ତ ପୁଣି କେଉଁଠି କଂଗ୍ରେସର ହାତ ଧରି ଶାସନ କରିବାକୁ ସ୍ୱପ୍ନ ଦେଖୁଛନ୍ତି । ଆଉ ଏସବୁ ଭିତରେ ଓଡିଶା ଗସ୍ତରେ ଆସିଥିବା କେଜ୍ରିୱାଲଙ୍କ ଆଉ ଏକ ରୂପ ଦେଖିବାକୁ ମିଳିଛି ।

ଆଜି ଓଡିଶା ଗସ୍ତରେ ଆସି କଂଗ୍ରେସ, ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି କେଜ୍ରିୱାଲ । ୭୦ ବର୍ଷ ହେଲା ଏହିଭଳି କିଛି ରାଜନୈତିକ ଦଳ ଦେଶକୁ ଭିତରୁ ଦେବାଳିଆ କରିଦେଇଛନ୍ତି । ଦୁର୍ନୀତିରେ ବୁଡି ରହିଥିବା ଏହି ଦଳ ଗୁଡିକ ପାଇଁ ଦେଶକୁ କେବଳ ଲୁଟିଛନ୍ତି । ଖାସକରି କଂଗ୍ରେସକୁ ଦୁର୍ନୀତିର ଦଳ ବୋଲି ଟ୍ୟାଗ୍ ଦେବାକୁ ପଛାଇ ନାହାନ୍ତି କେଜ୍ରିୱାଲ । ଏହାସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ମଧ୍ୟ ବିଭିନ୍ନ ପ୍ରସଙ୍ଗ ନେଇ ନିଶାନା କରିଛନ୍ତି କେଜ୍ରିୱାଲ ।

ତେବେ କେଜ୍ରିୱାଲଙ୍କ ଏଭଳି ଆଭିମୁଖ୍ୟ ନେଇ ଏବେ ଉଠିଛି ପ୍ରଶ୍ନ । କଂଗ୍ରେସ, ବିଜେପି ଓ ବିଜେଡିକୁ ଟାର୍ଗେଟ କରିବା ସହ ନିଜର ଅସଲ ଚେହେରାକୁ ପଦାରେ ପକାଇଛନ୍ତି କେଜ୍ରିୱାଲ । କଂଗ୍ରେସକୁ ଦୁର୍ନୀତିର ଦଳ ବୋଲି କହି କେଜ୍ରିୱାଲ ଦୋମୁହାଁ ନୀତିର ପରିଚୟ ଦେଇଛନ୍ତି । ଗୋଟିଏ ପଟେ କଂଗ୍ରେସକୁ ଦେଶକୁ ଲୁଟିଥିବା ନେଇ କେଜ୍ରିୱାଲ କହୁଥିବା ବେଳେ ଅନ୍ୟପଟେ କେନ୍ଦ୍ରରେ ବିଜେପିକୁ ଶାସନ ଗାଦିରୁ ହଟାଇବା ପାଇଁ ମହାମେଣ୍ଟରେ କଂଗ୍ରେସ ସହ ହାତ ମିଳାଇଛି । ଯାହାର ଝଲକ ପଶ୍ଚିମବଙ୍ଗରେ ହୋଇଥିବା ମହାମେଣ୍ଟ ସଭାରେ ଦେଖିବାକୁ ମିଳିଥିଲା । ବିଜେପିକୁ ଶାସନରୁ ହଟାଇବା ପାଇଁ ୨୦ ଦଳ ମହାମେଣ୍ଟ ସଭାରେ ସାମିଲ ହୋଇଥିବା ବେଳେ ଉଭୟ କେଜ୍ରିୱାଲଙ୍କ ଆପ ଓ କଂଗ୍ରେସ ମଧ୍ୟ ସାମିଲ ଥିଲା ।

ଆଉ ଏଭଳି ସମୀକରଣ ସାମ୍ନାକୁ ଆସିବା ପରେ ମଧ୍ୟ କେଜ୍ରିୱାଲ କିଭଳି ନିଜକୁ ସ୍ୱଚ୍ଛ ବୋଲି କହୁଛନ୍ତି ତାହା ସବୁଠୁ ବଡ ପ୍ରଶ୍ନ । ଏହାପୂର୍ବରୁ ମଧ୍ୟ ଶାସନ ଗାଦିରେ ବସିବା ପାଇଁ କଂଗ୍ରେସର ହାତ ଧରିଥିଲା କେଜ୍ରିୱାଲଙ୍କ ଆପ । ଯେତେବେଳେ ଦିଲ୍ଲୀରେ ସରକାର ଗଢିବାକୁ ଦଳ ମ୍ୟାଜିକ ନମ୍ବର ହାସଲ କରିପାରିନଥିଲା ସେତେବେଳେ କଂଗ୍ରେସ ସହାୟତାରେ ପ୍ରଥମଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ କେଜ୍ରିୱାଲ । ସେତେବେଳେ ମଧ୍ୟ ବିଜେପିକୁ  ଶାସନ ଗାଦିରୁ ଦୂରେଇ ରଖିବା ପାଇଁ ହାତ ମିଳାଇଥିଲେ ଦୁଇ ଦଳ । ଆଉ ସମୟକ୍ରମେ ଏବେ ମଧ୍ୟ ବିଜେପିକୁ ଶାସନ କ୍ଷମତାରୁ ହଟାଇବା ପାଇଁ ମହାମେଣ୍ଟରେ ହାତ ମିଳାଇଛନ୍ତି ଦୁଇ ଦଳ । ଯେଉଁ ଦଳ ଗୋଟିଏ ପଟେ କଂଗ୍ରେସକୁ ଦୁର୍ନୀତି ଦଳ ବୋଲି କହୁଛି ସେହି ଦଳ କିଭଳି ମହାମେଣ୍ଟରେ କଂଗ୍ରେସ ସହ ହାତ ମିଳାଉଛି ତାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିବା ସହ କେଜ୍ରିୱାଲଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ରେ ଦାଗ ଲଗାଇଛି ।