କନକ ବ୍ୟୁରୋ : ଇଣ୍ଡିଆ ମେଣ୍ଟର ଆଗାମୀ ବୈଠକ ୩୧ ଅଗଷ୍ଟ ଓ ୧ ସେପ୍ଟେମ୍ବରରେ ମୁମ୍ବାଇରେ ହେବାକୁ ଯାଉଛି । ଏହି ବୈଠକ ବିରୋଧୀ ମେଣ୍ଟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ତେବେ ଏହି ବୈଠକ ପୂର୍ବରୁ ଆମ୍ ଆଦମୀ ପାର୍ଟି ପ୍ରଧାନମନ୍ତ୍ରୀ ଚେହେରା ଭାବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଣିବାକୁ ଇଚ୍ଛା ପ୍ରକାଶ କରିଛି । ଆପର ରାଷ୍ଟ୍ରୀୟ ପ୍ରବକ୍ତା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଯଦି ମୋତେ କେହି ପଚାରନ୍ତି ତେବେ ମୁଁ ଚାହିଁବି ଅରବିନ୍ଦ କେଜ୍ରିୱାଲଙ୍କୁ  ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଉ । ଏହାପଛର କାରଣ କହିଛନ୍ତି ଆପ୍ ମୁଖପାତ୍ର ପ୍ରିୟଙ୍କା କକ୍କଡ । ସେ କହିଛନ୍ତି. ଦେଶରେ ମହଙ୍ଗା ମାଡ ଜାରି ରହିଥିଲେ ମଧ୍ୟ ଦିଲ୍ଲୀରେ ଏହା ବେଶ କମ । ଏଠାରେ ମାଗଣାରେ ପାଣି, ଶିକ୍ଷା, ବିଜୁଳି, ମହିଳାଙ୍କ ପାଇଁ ମାଗଣାରେ ବସ୍ ଯାତ୍ରା, ବୟସ୍କଙ୍କ ପାଇଁ ମାଗଣାରେ ତୀର୍ଥ ଯାତ୍ରା ଯୋଗାଇ ଦିଆଯାଇଛି । ଏହାପରେ ମଧ୍ୟ ସରପ୍ଲସ ବଜେଟ୍ ଉପସ୍ଥାପନ କରାଯାଇଛି । କେଜ୍ରିୱାଲ ଲୋକଙ୍କ ଦାବି ଉଠାନ୍ତି ଏବଂ ଶାସକ ଦଳ ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛନ୍ତି ।

Advertisment

ଇଣ୍ଡିଆ ମେଣ୍ଟର ବୈଠକରେ ସାମିଲ ହେବାକୁ ଆସନ୍ତାକାଲି ସବୁ ବିରୋଧୀ ଦଳର ନେତା ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏକଜୁଟ୍ ହେବେ । ସନ୍ଧ୍ୟା ୬.୩୦ରେ ବିରୋଧୀ ଦଳର ନେତାଙ୍କୁ ସ୍ୱାଗତ କରାଯିବ । ଏହାପରେ ଏକ ଅନୌପଚାରିକ ବୈଠକ ହେବ । ରାତି ୮ଟାରେ ରାତ୍ରଭୋଜନର ଆୟୋଜନ ହୋଇଛି । ସେପ୍ଟେମ୍ବର ୧ ତାରିଖ ଦିନ ବିରୋଧୀ ମେଣ୍ଟର ଔପଚାରିକ ବୈଠକ ହେବ, ଯେଉଁ ବୈଠକରେ ମେଣ୍ଟର ଲୋଗୋ ଜାରି କରାଯିବ । ତେଣୁ ଏହି ଦୃଷ୍ଟିରୁ ମୁମ୍ବାଇରେ ହେବାକୁ ଥିବା ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି ।