ତିହାର ଜେଲକୁ ଯିବେ କେଜ୍ରିୱାଲ, ଇଡିର ୧୫ ଦିନିଆ ନ୍ୟାୟିକ ହେପାଜତ ଆବେଦନରେ ମୋହର ମାରିଲେ କୋର୍ଟ ।

360

କନକ ବ୍ୟୁରୋ : ତିହାର ଜେଲରେ ରହିବେ କେଜ୍ରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୧୫ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ରାଉଜ ଏଭିନ୍ୟୁ କୋର୍ଟ । ତେବେ କୋର୍ଟରେ ହାଜର ହେବା ପୂର୍ବରୁ କେଜ୍ରିୱାଲ କହିଥିଲେ, ପ୍ରଧାନମନ୍ତ୍ରୀ ଯାହା କରୁଛନ୍ତି, ତାହା ଠିକ୍ କରୁନାହାନ୍ତି ।

ଅନ୍ୟପଟେ କେଜ୍ରିୱାଲଙ୍କ ପାଇଁ ତିହାର ଜେଲରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । କେଜ୍ରିୱାଲଙ୍କୁ କେତେ ନମ୍ବର ଜେଲରେ ରଖାଯିବ ସେନେଇ ଜେଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି । ତିହାର ଜେଲରେ ମୋଟ ୯ଟି ଜେଲ ରହିଛି ଏବଂ ୧୨ ହଜାର କଏଦୀ ଅଛନ୍ତି । ଇଡି କୋର୍ଟରେ ସ୍ପଷ୍ଟ ଭାବେ କହିଥିଲେ ଯେ, କେଜ୍ରିୱାଲ ଯାଞ୍ଚରେ କୌଣସି ପ୍ରକାର ସହଯୋଗ କରୁନାହାନ୍ତି । ପ୍ରତିଟି ପ୍ରଶ୍ନର ଭିନ୍ନ ଭିନ୍ନ ଉତ୍ତର ରଖୁଛନ୍ତି । ଏପରିକି ନିଜ ମୋବାଇଲ ଫୋନର ପାସୱାର୍ଡ ଦେଉନାହାନ୍ତି ଯାହାଦ୍ୱାରା ଯାଞ୍ଚ ପ୍ରକ୍ରିୟାକୁ ଆଗକୁ ବଢାଇ ହେବ ।

ଗତ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି । ପ୍ରଥମେ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଥିଲା ଇଡି । ପରେ ଏହି ରିମାଣ୍ଡ ଅବଧିକୁ ୧ ଏପ୍ରିଲ ଯାଏଁ ବୃଦ୍ଧି କରିବାକୁ କୋର୍ଟଙ୍କ ଅନୁମତି ନେଇଥିଲା ଇଡି । ଆମ ଆଦମୀ ପାର୍ଟିର ଅନ୍ୟ ନେତାଙ୍କ ମଧ୍ୟରେ ସଞ୍ଜୟ ସିଂ ୫ ନମ୍ବର, ମନୀଷ ସିସୋଦିଆ ୧ ନମ୍ବର ଓ ସତ୍ୟେନ୍ଦ୍ର ଜୈନଙ୍କୁ ୭ ନମ୍ବର ଜେଲରେ ରଖାଯାଇଛି ।

ଅନ୍ୟପଟେ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ପୂରା ଦେଶରେ ବିରୋଧୀ ନଳ ବିରୋଧ ପ୍ରଦର୍ଶନ କରୁଛନ୍ତି । ଗତକାଲି ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଲ୍ଲୀରେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲା । ନିର୍ବାଚନ ପରାଜୟକୁ ନେଇ ଭୟଭୀତ ଥିବା ବିଜେପି ବିରୋଧୀଙ୍କ ଉପରେ ଚାପ ପକାଇବାକୁ ଇଡି ଜରିଆରେ ବିରୋଧୀ ଦଳ ନେତାଙ୍କୁ ଗିରଫ କରୁଥିବା ଅଭିଯୋଗ ଆଣିଥିଲେ ।