ଦିଲ୍ଲୀରେ ବଡୁଛି କରୋନା ସଂକ୍ରମଣ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଲେ, ରାଜଧାନୀରେ ଚାଲିଛି ସଂକ୍ରମଣ ଚତୁର୍ଥ ଲହର । ଏବେ ପାଇଁ ଲକଡାଉନ କରିବାର ନାହିଁ କୌଣସି ଯୋଜନା…

93

କନକ ବ୍ୟୁରୋ: ବର୍ତ୍ତମାନ ଲକଡାଉନ ବାବଦରେ ଦିଲ୍ଲୀ ସରକାର କୌଣସି ବିଚାର କରିନାହାନ୍ତି । ଏକଥା ସ୍ପଷ୍ଟ କରିଛନ୍ତି ଖୋଦ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି ଯେ ସହରରେ କରୋନା ଭାଇରସର ସଂକ୍ରମଣ ବଢିଚାଲିଥିଲେ ବି ଲକଡାଉନର କୌଣସି ସମ୍ଭାବନା ନାହିଁ। ଯଦି ଏପରି ପରିସ୍ଥିତି ଉପୁଜେ, ତେବେ ସମସ୍ତ ଦିଗ ଉପରେ ବିଚାର କରିବା ପରେ ହିଁ ଏହି ଶେଷ ବିକଳ୍ପ ଉପରେ ନିଷ୍ପତ୍ତି ନିଆଯିବ ।

ଶୁକ୍ରବାର ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀରେ ପୁଣିଥରେ କରୋନା ଭାଇରସ ମାମଲା ଶୀଘ୍ର ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଏହି ମହାମାରୀକୁ ରୋକିବା ପାଇଁ ଟେଷ୍ଟିଙ୍ଗ, ଟ୍ରେସିଙ୍ଗ ଓ ଆଇସୋଲେସନ ଉପରେ ଗୁରୁତ୍ୱ ଦିଆଯାଉଛି। ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ଆସିଥିବା କରୋନାର ତିନୋଟି ୱେଭକୁ ଦିଲ୍ଲୀର ଲୋକମାନେ ସମ୍ଭାଳି ନେଇଛନ୍ତି । ଏଥର ମଧ୍ୟ ସହରର ଲୋକମାନେ ସହଯୋଗ କରିବେ ଏବଂ ଏହି ଚତୁର୍ଥ ୱେଭକୁ ମଧ୍ୟ ପରାସ୍ତ କରିବେ ବୋଲି ଆଶା କରାଯାଉଛି ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି ଯେ ସରକାର ଲକଡାଉନ ପାଇଁ ଚିନ୍ତା କରୁନାହାଁନ୍ତି। ଭବିଷ୍ୟତରେ ଯଦି ଲକଡାଉନ୍ ଆବଶ୍ୟକ ହୁଏ ତେବେ ମାମଲାର ସମସ୍ତ ଦିଗ ଉପରେ ଦୃଷ୍ଟି ଦିଆଯିବ । ସେ କହିଛନ୍ତି ଯେ ଆଜି ଡାକ୍ତରଖାନାର ଅବସ୍ଥା, ଆମ୍ବୁଲାନ୍ସ, ଭେଣ୍ଟିଲେଟର ଏବଂ ଆଇସିୟୁ ବ୍ୟବସ୍ଥାର ଯାଞ୍ଚ କରାଯାଇଛି। କରୋନା ଭୂତାଣୁକୁ ମୁକାବିଲା ପାଇଁ ଏକ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରାଯାଇଛି।

ସରକାର ୩ଟି ଦିଗରେ କାର୍ଯ୍ୟ କରୁଛନ୍ତି। ଏଗୁଡିକ ହେଉଛି ଟେଷ୍ଟିଙ୍ଗ, ଟ୍ରେସିଙ୍ଗ ଓ ଆଇସୋଲେସନ । ଏହି ମହାମାରୀକୁ ରୋକିବାରେ ସରକାରଙ୍କ ବଦଳରେ ଜନସାଧାରଣଙ୍କ ଭୂମିକା ଅଧିକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯଦି ଲୋକମାନେ ସମର୍ଥନ କରନ୍ତି, ତେବେ ଏହି ଯୁଦ୍ଧ ଶୀଘ୍ର ଜିତାଯାଇପାରିବ ।