ଚାକିରି ମିଳିବା ପର୍ଯ୍ୟନ୍ତ ବେକାରୀଙ୍କୁ ୩୦୦୦ ଟଙ୍କା ଭତ୍ତା, ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି । ଗୋଆରେ କେଜ୍ରିୱାଲଙ୍କ ବଡ ଘୋଷଣା ।

201

କନକ ବ୍ୟୁରୋ : ଗୋଆରେ ବିଧାନସଭା ନିର୍ବାଚନ ପୂର୍ବରୁ ବଡ ଘୋଷଣା କରିଛନ୍ତି ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗୋଆରେ ଆପ୍ ସରକାର ଗଢିଲେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣାରେ ବିଦ୍ୟୁତ ଯୋଗାଇ ଦିଆଯିବ । ଏହାସହ ପ୍ରତ୍ୟେକ ଘରୁ ଜଣେ ବେରୋଜଗାର ବ୍ୟକ୍ତି ରୋଜଗାର ଦିଆଯିବ ଓ ଚାକିରି ଖୋଜୁଥିବା ବେରୋଜଗାରୀ ବ୍ୟକ୍ତିଙ୍କୁ ଚାକିରି ନ ମିଳିବା ଯାଏଁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ଭତ୍ତା ମିଳିବ । ଆସନ୍ତାବର୍ଷ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ, ଯେଉଁଥିରେ ଗୋଆ ମଧ୍ୟ ରହିଛି । ଆଉ ସବୁଠୁ ବଡ କଥା ହେଲା ଗୋଆକୁ ନେଇ ବେଶ ଆଶାବାଦୀ ଅଛନ୍ତି କେଜ୍ରିୱାଲ ।

ବିଜେପି ଓ କଂଗ୍ରେସକୁ ଟକ୍କର ଦେବାକୁ କେଜ୍ରିୱାଲ ଗୋଆ ପାଇଁ ବଡ ଘୋଷଣା କରୁଛନ୍ତି । ଯାହାଦ୍ୱାରା ଭୋଟରଙ୍କ ଭରସା ଜିତିପାରିବ ଆପ୍ । କେଜ୍ରିୱାଲ ଗୋଆବାସୀଙ୍କୁ ପ୍ରତିଶ୍ରୁତି ଦେବା ସହ କହିଛନ୍ତି, ଗୋଆରେ ଆପ୍ ସରକାର ଆସିଲେ ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ରୋକିବ ଓ ରାଜ୍ୟରେ ଯୁବବର୍ଗଙ୍କ ନିଯୁକ୍ତିକୁ ନିଶ୍ଚିତ କରିବ । କେଜ୍ରିୱାଲ କହିଛନ୍ତି, ରୋଜଗାରକୁ ନେଇ ଗୋଆର ଯୁବବର୍ଗ ବେଶ ଚିନ୍ତିତ । ପିଲା ପାଠ ପଢିବା ପରେ ମଧ୍ୟ ନିଯୁକ୍ତି ମିଳୁନି । କିନ୍ତୁ ଆପ୍ ସରକାରକୁ ଆସିଲେ ଗୋଆରେ ନିଯୁକ୍ତି ସୃଷ୍ଟି କରିବ ।

କେଜ୍ରିୱାଲ କହିଛନ୍ତି, ପ୍ରତି ଘରୁ ଜଣେ ବେରୋଜଗାରୀଙ୍କୁ ନିଯୁକ୍ତି ଦିଆଯିବ । ରୋଜଗାର ମିଳିବା ପର୍ଯ୍ୟନ୍ତ ମାସିକ ୩୦୦୦ ଟଙ୍କା ଭତ୍ତା, ବେସରକାରୀ ସେକ୍ଟରରେ ଗୋଆ ଯୁବକଙ୍କ ପାଇଁ ୮୦ ପ୍ରତିଶତ ଚାକିରି ସଂରକ୍ଷଣ ରହିବ । ବେସରକାରୀ ଚାକିରି ପାଇଁ ନୂଆ ଆଇନ ଲାଗୁ କରାଯିବ । ସ୍କିଲ ୟୁନିଭରସିଟି ନିର୍ମାଣ କରାଯିବ । ଏହାଛଡା ଗୋଆରେ ସରକାରୀ ଚାକିରି ପାଇଁ ନେତାଙ୍କ ସହ ସମ୍ପର୍କ ଥିବା ଆବଶ୍ୟକ । ଏହି ପରମ୍ପରାକୁ ବନ୍ଦ କରିବା ସହ ପାରଦର୍ଶିତା ବ୍ୟବସ୍ଥା ଲାଗୁ କରିବୁ । ଏଠାରେ ନୂଅର ସ୍କୁଲ ଖୋଲିବ, ହସ୍ପିଟାଲ ଖୋଲିବ, ରାସ୍ତା ନିମା;ଣ ହେବ ଯାହାଦ୍ୱାରା ନିଯୁକ୍ତି ସୃଷ୍ଟି କରାଯାଇପାରିବ ।

ଗୋଆବାସୀଙ୍କ ପାଇଁ କେବଳ କେଜ୍ରିୱାଲ ଘୋଷଣା କରିନାହାନ୍ତି ବରଂ ଶାସକ ବିଜେପି ସରକାର ଉପରେ ବର୍ଷିଛନ୍ତି । କିଛି ଦିନ ପୂର୍ବେ ଗୋଆ ମୁଖ୍ୟମନ୍ତ୍ରୀ ମାଗଣା ପାଣି ନେଇ ଘୋଷଣା କରିଥିଲେ । କିନ୍ତୁ ଏହି ବ୍ୟବସ୍ଥା ଦିଲ୍ଲୀରେ କେବେଠୁ ଲାଗୁ ହୋଇ ସାରିଲାଣି । ଏହାପୂର୍ବରୁ ଉତ୍ତରାଖଣ୍ଡ ଗସ୍ତରେ ଯାଇ କେଜ୍ରିୱାଲ ଏଭଳି ଅନେକ ଘୋଷଣା କରିଛନ୍ତି । କାରଣ ଉତ୍ତରାଖଣ୍ଡରେ ମଧ୍ୟ ଆସନ୍ତାବର୍ଷ ନିର୍ବାଚନ ହେବ ।