ପୁଅ ଶୋଇଯା ନହେଲେ କେଜ୍ରିୱାଲ ଆସିଯିବେ । ଶୋଲେ ଫିଲ୍ମର ଡାଇଲଗ ମାରି ବିରୋଧୀଙ୍କୁ ଟାର୍ଗେଟ କଲେ କେଜ୍ରିୱାଲ ।

106

କନକ ବ୍ୟୁରୋ : ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ବଡ ବୟାନ ଦେଇଥିଲେ ତାଙ୍କର ପୁରୁଣା ସାଥୀ କୁମାର ବିଶ୍ୱାସ । ଏପରିକି କେଜ୍ରିୱାଲଙ୍କର ଖଲିସ୍ଥାନୀ ସମର୍ଥକଙ୍କ ସହ ସୁ-ସମ୍ପର୍କ ଥିବା କହିଥିଲେ କୁମାର ବିଶ୍ୱାସ । ଆଉ ଏହାକୁ ପଞ୍ଜାବ ନିର୍ବାଚନରେ ମୁଦ୍ଦା କରିଥିଲା କଂଗ୍ରେସ । ତେବେ ଏଭଳି ଅଭିଯୋଗକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି କେଜ୍ରିୱାଲ । ସୋମବାର ଲକ୍ଷ୍ନୌର ଏକ ନିର୍ବାଚନୀ ସଭାରେ କେଜ୍ରିୱାଲ ଶୋଲେ ଫିଲ୍ମର ଲୋକପ୍ରିୟ ଡାଇଲଗରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ।

ନିର୍ବାଚନୀ ସଭାରେ କେଜ୍ରିୱାଲ କହିଛନ୍ତି, ଆତଙ୍କବାଦୀ ମାନେ ୨ ପ୍ରକାରର ଥାଆନ୍ତି । ପ୍ରଥମତଃ ସିଏ, ଯିଏ ଲୋକଙ୍କୁ ବନ୍ଧୁକ ମୁନରେ ଡରାଇଥାଏ । ଦ୍ୱିତୀୟତଃ ସିଏ, ଯିଏ ଦୁର୍ନୀତିଖୋରଙ୍କୁ ଡରାଇଥାଏ । କେଜ୍ରିୱାଲ ସେହିଭଳି ଆତଙ୍କବାଦୀ ଯିଏ ଭଷ୍ଟ୍ରାଚାରୀଙ୍କୁ ଡରାଏ । ଶୋଲେ ଫିଲ୍ମର ଡାଇଲଗ ସହ କେଜ୍ରିୱାଲ କହିଥିଲେ, ଯେତେବେଳେ ଶହେ-ଶହେ ମାଇଲ ପର୍ଯ୍ୟନ୍ତ ଲୋକେ ଭ୍ରଷ୍ଟାଚାର କରିଥାନ୍ତି ସେତେବେଳେ ମା’ କହିଥାଏ ପୁଅ ଶୋଇଯା ନହେଲେ କେଜ୍ରିୱାଲ ଆସିଯିବେ ।ଏହାପୂର୍ବରୁ ଆସିଥିବା ଅଭିଯୋଗର ଜବାବ ଦେଇ କେଜ୍ରିୱାଲ କହିଥିଲେ, ଯେଉଁ ବ୍ୟକ୍ତିଙ୍କୁ ଆତଙ୍କବାଦୀ କୁହାଯାଉଛି ସିଏ ଦିଲ୍ଲୀ ସରକାରୀ ସ୍କୁଲରେ ୧୨,୩୪୦ଟି ସ୍ମାର୍ଟ ଶ୍ରେଣୀଗୃହ କରିଛି । ଦେଶର ସମସ୍ତ ଦୁର୍ନୀତିଖୋର ଲୋକ ଏବେ ତାଙ୍କ ବିପକ୍ଷରେ ସ୍ୱର ଉଠାଇବା ଆରମ୍ଭ କରିଛନ୍ତି ।

ଏହାପୂର୍ବରୁ କେଜ୍ରିୱାଲ ବିଚ୍ଛିନ୍ନତାବାଦୀଙ୍କ ସମର୍ଥନ କରୁଥିବା ନେଇ ଗଣମାଧ୍ୟମରେ କହିଥିଲେ ଆମ ଆଦମୀ ପାର୍ଟିର ପୂର୍ବତନ ନେତା କୁମାର ବିଶ୍ୱାସ । ଆଉ ଏହି ଅଭିଯୋଗ ଆସିବା ପରେ କଂଗ୍ରେସ ଓ ବିଜେପିର ଟାର୍ଗେଟକୁ ଆସିଥିଲେ କେଜ୍ରିୱାଲ । ଆଉ ଏହାର ଜବାବରେ କେଜ୍ରିୱାଲ କହିଥିଲେ, ମୁଁ ବିଶ୍ୱର ସବୁଠୁ ସ୍ୱିଟ୍ ଆତଙ୍କବାଦୀ ଯିଏ ପିଲାଙ୍କ ପାଇଁ ସ୍କୁଲ ଓ ଲୋକଙ୍କ ପାଇଁ ହସ୍ପିଟାଲ କରିଛନ୍ତି ।