ବବାନା ଷ୍ଟାଡିୟମରେ ଆନ୍ଦୋଳନରତ ଚାଷୀଙ୍କ ପାଇଁ ଜେଲ ନିର୍ମାଣ କରିବାକୁ ଦିଲ୍ଲୀ ପୋଲିସ ଦେଇଥିଲା ପ୍ରସ୍ତାବ । ଖାରଜ କଲେ କେଜ୍ରିୱାଲ ସରକାର

132

କନକ ବ୍ୟୁରୋ : ପୁଣି ମୁଣ୍ଡ ଟେକିଛି ଚାଷୀ ଆନ୍ଦୋଳନ । ପଞ୍ଜାବ, ହରିଆଣା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଚାଷୀମାନେ ସେମାନଙ୍କ ଦାବି ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଚାଷୀମାନଙ୍କୁ ରାସ୍ତାରେ ଅଟକାଇବାକୁ ଦିଲ୍ଲୀ ପୋଲିସ କଡା ବନ୍ଦୋବସ୍ତ କରିଛି । ଏସବୁ ଭିତରେ କିଛି ଚାଷୀ ସଂଗଠନ ଟ୍ରାକ୍ଟର ସହ ଦିଲ୍ଲୀରେ ପହଂଚି ସାରିଛନ୍ତି । ପୋଲିସ ସେମାନଙ୍କ ଉପରକୁ ଲୁହାବୁହା ଗ୍ୟାସ ଛାଡିଛି । ରାସ୍ତାରେ କୀଳାପୋତି ଅଟକାଇବାକୁ ଚେଷ୍ଟା କରିଛି । ବିଭିନ୍ନ ସ୍ଥାନରେ ସମେଣ୍ଟର ବ୍ୟାରିକେଡ ଲଗାଇଛି ତ କେଉଁଠି କେଉଁଠି ଟ୍ରକ ଠିଆ କରି ଚାଷୀଙ୍କ ରାସ୍ତା ଅବରୋଧ କରିବାକୁ ଚେଷ୍ଟା କରିଛି ।

ଏସବୁ ଭିତରେ ଦିଲ୍ଲୀ ପୋଲିସ ବବାନା ଷ୍ଟାଡିୟମରେ ଆନ୍ଦୋଳନରତ ଚାଷୀଙ୍କ ପାଇଁ ଏକ ଜେଲ ନିର୍ମାଣ କରିବାକୁ କେଜ୍ରିୱାଲ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା । ହେଲେ ଦିଲ୍ଲୀ ସରକାର ଏହାକୁ ଖାରଜ କରିଦେଇଛନ୍ତି । ଦିଲ୍ଲୀ ସରକାର କହିଛନ୍ତି କି, କୃଷକମାନେ ଯେଉଁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ତାହା ନାର୍ଯ୍ୟ ଦାବି । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବା ଓ ନିଜର ହକ୍ ମାଗିବାକୁ ସମ୍ବିଧାନ ଅଧିକାର ଦେଇଛି । କୃଷକ ଦେଶର ଅନ୍ନଦାତା ତେଣୁ ସେମାନଙ୍କୁ ଜେଲରେ ଭର୍ତ୍ତି କରିବା ଠିକ୍ ନୁହେଁ । ଏହି କାରଣ ଦର୍ଶାଇ ଦିଲ୍ଲୀ ପୋଲିସର ପ୍ରସ୍ତାବକୁ ଖାରଜ କରିଛନ୍ତି କେଜ୍ରିୱାଲ ସରକାର ।

ସୂଚନା ଥାଉ କି, ଆଜି ବିଭିନ୍ନ କୃଷକ ସଂଗଠନ ସେମାନଙ୍କ ଦାବି ନେଇ ଦିଲ୍ଲୀରେ ପହଂଚିବା ପରେ ରାଜଧାନୀ ସଡକ ଜାମ୍ ହୋଇଛି । ୪୮ ନମ୍ବର ଜାତୀୟ ରାଜପଥରେ ଲମ୍ବା ଲାଇନ ଲାଗିଛି । ସେହିଭଳି ୯ ନମ୍ବର ଜାତୀୟ ରାଜପଥ ଗାଜିପୁର ସୀମା ନିକଟରେ କୃଷକଙ୍କ ପ୍ରବେଶ ରୋକିବାକୁ ଲୁହାର କୀଳା ଓ ତାରବାଡ ବିଛାଯାଇଛି ।