ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନେଲେ କୋଭିଡ ଟିକା । ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ନେଲେ  କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍

88

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଦିନ କୋଭିଡ ଟିକାର ପ୍ରଥମ ଡୋଜ ନେଇଛନ୍ତି । ସେ ଦିଲ୍ଲୀ ସ୍ଥିତ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ନେଇଥିବା ସୂଚନା ମିଳିଛି ।

କେଜ୍ରିୱାଲଙ୍କ ସହିତ ତାଙ୍କ ବାପା ଓ ମା’ ବି ଟିକା ନେଇଛନ୍ତି । କହିରଖୁ କି ଅରବିନ୍ଦ କେଜ୍ରିୱାଲଙ୍କ ବୟସ ୫୨ ବର୍ଷ ହୋଇଥିଲେ ବି ସେ ଡାଇବେଟିସ୍ ରୋଗରେ ପୀଡିତ ଥିବାରୁ ତାଙ୍କୁ ଟିକା ଦିଆଯାଇଛି ।

ସୂଚନା ଥାଉକି ମାର୍ଚ୍ଚ ପହିଲାରୁ ଦେଶରେ କରୋନା ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏଥିରେ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଉଥିବା ବେଳେ ୪୫ ବର୍ଷରୁ ଅଧିକ ବ୍ୟାଧି ପୀଡିତଙ୍କୁ ଟିକା ଦିଆଯାଉଛି । ପୂର୍ବ ୩ ଦିନ ମଧ୍ୟରେ ଦେଶରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ଏବେ ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନ କମ୍ପାନୀର ଟିକା ଦିଆଯାଉଛି । ମିଳିଥିବା ସୂଚନା ମୁତାବକ ଏବେ ଦେଶରେ ମୋଟ ୧.୫ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି ।

ଏହି କ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ରକ୍ଷାମନ୍ତ୍ରୀ ରାଜନାଥ ସିଂ , ଏନସିପି ନେତା ଶରଦ ପାୱାରଙ୍କ ସମେତ ଦେଶରେ ଅନେକ ପରିଚିତ ଚେହେରା ଟିକା ନେଇସାରିଛନ୍ତି ।