ପରିବାର ପାଇଁ ସ୍ୱାସ୍ଥ୍ୟବୀମା କରୁଥିଲେ ଏସବୁ କଥାକୁ ଦିଅନ୍ତୁ ଧ୍ୟାନ, ନଚେତ ଚିକିତ୍ସା ପରେ ବି ମିଳିବନି ବୀମାରାଶି

322

କନକ ବ୍ୟୁରୋ : ବଦଳୁଥିବା ଜୀବନଶୈଳୀ କାରଣରୁ ଏବେ ଅଧିକାଂଶ ଲୋକ ରୋଗଗ୍ରସ୍ତ । ଏସବୁ ରୋଗର ଚିକିତ୍ସା ପାଇଁ ଅନେକ ଅର୍ଥ ଖର୍ଚ୍ଚ ହେଉଛି । ହେଲେ ଯଦି ଆପଣଙ୍କ ନିକଟରେ ସ୍ୱାସ୍ଥ୍ୟବୀମା ଅଛି ତେବେ ଆପଣ ଚିକିତ୍ସା ଖର୍ଚ୍ଚରୁ ରକ୍ଷା ପାଇପାରିବେ ।

ସ୍ୱାସ୍ଥ୍ୟବୀମାକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇଛି । କୋଭିଡ-୧୯ ପରେ ସ୍ୱାସ୍ଥ୍ୟବୀମା କରାଉଥିବା ଲୋକଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ହେଲେ ଅନେକ ସମୟରେ ଦେଖିବାକୁ ମିଳିଛି କି ସ୍ୱାସ୍ଥ୍ୟବୀମା କ୍ଲେମ କରିବାରେ ଅନେକ ଅସୁବିଧା ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟବୀମା ନେବା ସମୟରେ କେଉଁ କେଉଁ କଥା ଉପରେ ଧ୍ୟାନ ରଖିଲେ ଆପଣ ଆଗକୁ ଅସୁବିଧାରେ ପଡିବେ ନାହିଁ ।

କୌଣସି ସ୍ୱାସ୍ଥ୍ୟବୀମା ଯୋଜନାରେ ଆପଣଙ୍କ ଠାରେ ଥିବା ପୁରୁଣା ରୋଗକୁ ଏକ ନିର୍ଦ୍ଦିଷ୍ଠ ସମୟ ପରେ କଭର କରାଯାଏ । ଏହା ଭିନ୍ନ ଭିନ୍ନ କମ୍ପାନୀମାନେ ଭିନ୍ନ ଭିନ୍ନ ଅବଧି ପରେ କଭର କରିଥାନ୍ତି । କିଛି କମ୍ପାନୀ ଅଛନ୍ତି ଯେଉଁମାନେ ବୀମା ନେବାର ୪୮ ମାସ ପରେ ପୁରୁଣା ରୋଗଗୁଡିକୁ କଭର କରିଥାନ୍ତି ତ କିଛି କମ୍ପାନୀ ୩୬ ମାସ ପରେ । ଅର୍ଥାତ ଏହି ଅବଧି ପୂର୍ବରୁ ଯଦି ଆପଣ ପୁରୁଣା ରୋଗ ପାଇଁ ଚିକିତ୍ସିତ ହେଉଛନ୍ତି ତେବେ ତାହାର ଖର୍ଚ୍ଚ ଆପଣ ନିଜ ପକେଟରୁ ଭରଣା କରିବାକୁ ପଡିଥାଏ ।

ଆପଣ ସ୍ୱାସ୍ଥ୍ୟବୀମା ନେବା ବେଳେ ଅଧିକାଂଶ ସହରରେ ଥିବା ହସ୍ପିଟାଲକୁ ଚୟନ କରନ୍ତୁ । ଅର୍ଥାତ ବଡ ନେଟୱର୍କ ଥିବା ହସ୍ପିଟାଲରେ ଆପଣ ଚିକିତ୍ସିତ ହେବା ସହଜ ହେବ । ଏହାସହ ଆପଣ ଚୟନ କରିଥିବା ହସ୍ପିଟାଲଗୁଡିକରେ ଯେଭଳି କ୍ୟାସଲେସ ଆଡମିଶନ ହୋଇପାରୁଥିବ ତାହା ଉପରେ ଆପଣ ନଜର ରଖିବା ନିହାତି ଜରୁରୀ । ଏହା ପରେ ଆଡମିଶନ ସମୟରେ ଆପଣଙ୍କୁ ବିଶେଷ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ଅନେକ ସମୟରେ ହସ୍ପିଟାଲରେ ବେଡ ଅଭାବ ବା ଅନ୍ୟ କୌଣସି କାରଣରୁ ଆପଣଙ୍କୁ ଘରେ ରହି ଚିକିତ୍ସିତ ହେବାକୁ ପଡିଥାଏ । ତେଣୁ ଆପଣଙ୍କୁ ଏଭଳି ଏକ ବୀମା ପଲିସି ଚୟନ କରିବା ଦରକାର ଯେଉଁଥିଣେ ଡେମୋସାଇଲରୀ ଅର୍ଥାତ ଘରେ ରହି ଚିକିତ୍ସା ହେଲେ ବି ଆପଣଙ୍କୁ ବୀମା କମ୍ପାନୀ ଦ୍ୱାରା ଚିକିତ୍ସା ଖର୍ଚ୍ଚ ମିଳିପାରୁଥିବ ।

ସେପଟେ ବୟସ ବଢିବା ସହ ସ୍ୱାସ୍ଥ୍ୟବୀମା ପଲିସି ମହଙ୍ଗା ହୋଇଥାଏ । ଏହି କାରଣରୁ ଆପଣଙ୍କୁ ଆଜୀବନ ରିନ୍ୟୁଆଲ କରିପାରୁଥିବା ସ୍ୱାସ୍ଥ୍ୟବୀମା ପଲିସି ନେବାର ଆବଶ୍ୟକତା ରହିଛି । ଏହାଦ୍ୱାରା ଆପଣଙ୍କୁ ବାରମ୍ବାର ପଲିସି ବଦଳାଇବାକୁ ପଡିନଥାଏ । ଫଳରେ ବରିଷ୍ଠ ନାଗରିକମାନେ ନିୟମିତ ମାଗଣାରେ ସେମାନଙ୍କ ସ୍ୱାସ୍ଥ୍ୟ ଯାଂଚ କରିବାର ସୁଯୋଗ ପାଇଥାନ୍ତି ।