କନକ ବ୍ୟୁରୋ : ଆନ୍ଦୋଳନ ଦେବା ଧମକକୁ ନେଇ ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତିଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ସୁପ୍ରିମକୋର୍ଟ ପ୍ରଧାନବିଚାରପତି । ଏହାପରେ କିଛି ସମୟ ପାଇଁ ମାହୋଲ ଗମ୍ଭୀର ହୋଇଯାଇଥିଲା । ସୁପ୍ରିମକୋର୍ଟରେ ଆଇନଜୀବୀଙ୍କ ଚାମ୍ବର ବ୍ଲକ ନିର୍ମାଣ ପାଇଁ ଆବଂଟନ ଦାବି ସମ୍ପର୍କିତ ପିଟିସନ ଶୁଣାଣି ଲାଗି ତାଲିକାଭୁକ୍ତ କରିବାକୁ ନେଇ ଏସସିବିଏ ସଭାପତିଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ସିଜେଆଇ ।

Advertisment

ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ ଓ ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତି ବରିଷ୍ଠ ଆଇନଜୀବୀ ବିକାଶ ସିଂହଙ୍କ ମଧ୍ୟରେ ଉଚ୍ଚବାଚ ହୋଇଛି । ସିଜେଆଇ ଚନ୍ଦ୍ରଚୂଡଙ୍କୁ ଏସସି-ବିଏ ସଭାପତି ବିକାଶ ସିଂହ ଚିଠି ଲେଖି ଉକ୍ତ ପିଟିସନର ଜରୁରୀ ଶୁଣାଣି ଲାଗି ଦିନ ଧାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ଏହା ଏସସି-ବିଏ ସଦସ୍ୟଙ୍କ ଜୀବନ ଓ ଜୀବିକାର କଥା ଏବଂ ବାର ଆସୋସିଏସନ ପ୍ରତି ଅବିଚାର କରାଗଲେ ଓ ଏହାକୁ ଗୁରୁତ୍ୱ ନଦେଲେ, ଆସୋସିଏସନ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଚିଠିରେ ଉଲ୍ଲେଖ କରିଥିଲେ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ପ୍ରଧାନ ବିଚାରପତି ।

ଏପରିକି ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତିଙ୍କୁ କୋର୍ଟ ରୁମରୁ ବାହାରି ଯିବା ପାଇଁ କହିଥିଲେ ସିଜେଆଇ । ଜଷ୍ଟିସ ଚନ୍ଦ୍ରଚୂଡଙ୍କ ପୂର୍ବରୁ ପୂର୍ବତନ ପ୍ରଧାନବିଚାରପତି ଜଷ୍ଟିସ ୟୁୟୁ ଲଲିତଙ୍କ ପାଖକୁ ବି ସିଂହ ଅତିରିକ୍ତ ଜମିକୁ ଏସସିବିଏକୁ ଦିଆଯିବା ନେଇ ଚିଠି ଲେଖିଥିଲେ । ଗୁୁରୁବାର ଦିନ ଯେତେବେଳେ ପିଟିସନର ଶୁଣାଣି ଲାଗି ତାଲିକାଭୁକ୍ତ ହୋଇନଥିବା ଦେଖିଲେ ସେତେବେଳେ ସିଜେଆଇ ଚନ୍ଦ୍ରଚୂଡଙ୍କୁ ଦୁଇପଦ ଶୁଣାଇଥିଲେ । ଏଥିରେ ଜଷ୍ଟିସ ଚନ୍ଦ୍ରଚୂଡ କ୍ଷୁବ୍ଧ ହୋଇଯାଇଥିଲେ ।

ବିକାଶ ସିଂହ, ଏସସିବିଏ ସଭାପତି  : ମୁଁ ଏହି ପ୍ରସଙ୍ଗକୁ ବିଚାରପତିଙ୍କ ବାସଭବନ ପର୍ଯ୍ୟନ୍ତ ନେବାକୁ ଚାହୁଁନାହିଁ ।

ସିଜେଆଇ ଚନ୍ଦ୍ରଚୂଡ : ଏମିତି କ’ଣ ବ୍ୟବହାର କରାଯାଏ? ମୁଁ କାହାଦ୍ୱାରା ଭୟଭୀତ ହୋଇ କାମ କରିବାକୁ ଚାହେଁନା । ବସି ଯାଅ । କୋର୍ଟ ରୁମ ଛାଡି ବାହାରକୁ ଚାଲିଯାଅ ।

ବିକାଶ ସିଂହ, ଏସସିବିଏ ସଭାପତି : ଚାମ୍ବରଟିଏ ଲେଖାଏଁ ମିଳିବ ବୋଲି ଓକିଲମାନେ ୨୦ବର୍ଷ ହେଲା ଅପେକ୍ଷା କରି ବସିଛନ୍ତି । ମାତ୍ର, ବାରମ୍ବାର ଅନୁରୋଧ ସତ୍ତେ୍ୱ କୋର୍ଟ ତାଙ୍କ ଆବେଦନର ଶୁଣାଣି ପାଇଁ ତାରିଖ ବି ଧାର୍ଯ୍ୟ କରୁନାହାନ୍ତି ।

ସିଜେଆଇ ଚନ୍ଦ୍ରଚୂଡ : ଦୟାକରି ଉଚ୍ଚସ୍ୱରରେ କଥା ହୁଅନା । ଏସ୍ସିବିଏର ସଭାପତି ଭାବେ କଥାବାର୍ତ୍ତା କରିବାର ଶୈଳୀ ଏହା ନୁହେଁ । ସୁପ୍ରିମକୋର୍ଟକୁ ମିଳିଥିବା ଜମି ବାର୍ ଆସୋସିଏସନକୁ ଦେବାପାଇଁ ଆପଣ ଚାହୁଁଛନ୍ତି । ମୁଁ ନିଷ୍ପତ୍ତି ନେଇଛି । ୧୭ତାରିଖରେ ଏ ସମ୍ପର୍କରେ ଶୁଣାଣି ହେବ ।

ବିକାଶ ସିଂହ, ଏସସିବିଏ ସଭାପତି  : କହୁନାହଁ ବୋଲି ଆପଣ ଭାବନ୍ତୁ ନାହିଁ ଯେ ବାର୍ ଖୁସି ଅଛି । ୨୦ ବର୍ଷ ହେଲା ଓକିଲମାନେ ଚାମ୍ବରଟିଏ ପାଇବା ପାଇଁ ଅପେକ୍ଷା କରିଛନ୍ତି ।

ସିଜେଆଇ ଚନ୍ଦ୍ରଚୂଡ  : ମିଷ୍ଟର ସିଂହ, ମୁଁ ଭାରତର ପ୍ରଧାନ ବିଚାରପତି । ବେଂଚରେ ମୁଁ ବହୁବର୍ଷ ହେଲା ରହିଛି । ବାର୍ ସଦସ୍ୟଙ୍କୁ ମୁଁ ଆଜିଯାଏ ଡରିନି ଏବଂ ମୋ କାର୍ଯ୍ୟକାଳରେ ଆଉ ମାତ୍ର ଦୁଇ ବର୍ଷ ବାକି ଥିବା ବେଳେ ଏବେ ଡରିବି? ଆପଣଙ୍କୁ ସାଧାରଣ ପିଟିସନର ଭାବେ ବିଚାର କରାଯିବ । ଦୟାକରି ମୋତେ ଆପଣ ଚାହୁଁନଥିବା କିଛି କରିବାକୁ ବାଧ୍ୟ କରନ୍ତୁନି ।