ଆକାଶ ଛୁଆଁ ପରିବା ଦର । ଦର ଶୁଣି ଲାଗୁଛି ଡର ।

129

କନକ ବ୍ୟୁରୋ : କେବଳ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇନାହିଁ । ଗତ କିଛି ଦିନ ଭିତରେ ପରିବା ଦର ଅଚାନକ ବୃଦ୍ଧି ପାଇବାରେ ଲାଗିଛି । କିଲୋ ପିଛା କୌଣସି ପରିବା ଦର ୫୦ଟଙ୍କା ତଳକୁ ନାହିଁ ।

ଆକାଶ ଛୁଆଁ ପରିବା ଦର । ଦର ଶୁଣି ଲାଗୁଛି ଡର । କାର୍ତିକ ମାସ ପୂର୍ବରୁ ପରିବା ଦରରେ ଯେମିତି ନିଆଁ ଲାଗିଯାଇଛି । ହୁ ହୁ ହୋଇ ବଢ଼ିଚାଲିଛି ପରିବା ଦର । ମାସକ ଭିତରେ ପରିବା ଦର କିଲୋ ପିଛା ପ୍ରାୟ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି । ମାସକ ତଳେ ପିଆଜ ୩୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ୫୦ଟଙ୍କାରେ ପହଞ୍ଚିଛି । ବାଇଗଣ କିଲୋ ପିଛା ୩୦ ଟଙ୍କା ଥିବାବେଳେ ଏବେ ୭୦ ଟଙ୍କାରେ ପହଞ୍ଚିଛି । ସେହିପରି ଟମାଟୋ ୩୦ଟଙ୍କାରୁ ୬୦ ଟଙ୍କା ହୋଇଛି । ପୋଟଳ ୩୦ଟଙ୍କାରୁ ୬୦ଟଙ୍କାରେ ପହଞ୍ଚିଛି । ଭେଣ୍ଡି ଦର ୨୦ଟଙ୍କାରୁ ୫୦ ଟଙ୍କା ହୋଇଛି । କାଙ୍କଡ ୪୦ଟଙ୍କାରୁ ୧୦୦ ଟଙ୍କା ପାର କରିଯାଇଛି । ପରିବା ଦରରେ ଅଚାନକ ବୃଦ୍ଧି ପାଇବା ଫଳରେ, ଏହା ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ମାଡ କରିଛି ।

ପରିବା ଦର ବୃଦ୍ଧି କେବଳ ଖାଉଟିଙ୍କ ଉପରେ ପ୍ରଭାବ ପକାଇଛି, ତା ନୁହେଁ ବ୍ୟବସାୟୀଙ୍କ ଉପରେ ବି ପ୍ରଭାବ ପକାଇଛି । ଯେଉଁ ଗ୍ରାହକ କେଜିଏ, ଦୁଇ କେଜି ପରିବା ନେଉଥିଲେ ସେମାନେ ଅଢ଼େଇ ଶହ ନେଇ କାମ ଚଳାଉଛନ୍ତି । ଫଳରେ ବିକ୍ରି କମୁଛି । ଆଉ ବିକ୍ରି କମିବା ଯୋଗୁଁ ବ୍ୟବସାୟୀଙ୍କ ରୋଜଗାର ପ୍ରଭାବିତ ହୋଇଛି । ପରିବା ଦର ବଢ଼ୁଥିଲେ ବି କେବେ କମିବ କାହା ପାଖରେ ଉତ୍ତର ନାହିଁ । ଆଗକୁ କାର୍ତିକ ମାସ ଆସୁଥିବାରୁ ପରିବା ଦର ବୃଦ୍ଧିକୁ ନେଇ ଚିନ୍ତାରେ ସମସ୍ତେ ।