କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ କେଦାରନାଥ ମନ୍ଦିରର ଗର୍ଭଗୃହରେ ସୁନା ପରସ୍ତ ଲଗାଇବାକୁ ନେଇ ବିରୋଧ ପ୍ରଦର୍ଶନ ତେଜିବାରେ ଲାଗିଛି । ଏପରିକି କେଦାରନାଥ ଧାମର ତୀର୍ଥ ପୁରୋହିତ ରାତିରେ ମନ୍ଦିରକୁ ଜଗି ରହିଛନ୍ତି । ତାଙ୍କର ଡର ରହିଛି ଯେ, ମନ୍ଦିର ସମିତି କାଳେ ରାତିରେ ଏହି ସୁନା ପରସ୍ତ ଲଗେଇବା କାମ ସାରିଦେବ ।

Advertisment

ମହାରାଷ୍ଟ୍ରର ଜଣେ ବଡ ଦାନୀ ଲୋକ କେଦାରନାଥ ମନ୍ଦିରର ଗର୍ଭଗୃହକୁ ସୁନା ପରସ୍ତ ଚଢାଇବାକୁ ପ୍ରସ୍ତାବ ଦେଇଥିଲେ । ତେବେ ଏହା ପୂର୍ବରୁ କିନ୍ତୁ ମନ୍ଦିରର ସେହି ଅଞ୍ଚଳକୁ ୨୩୦ କିଲୋ ଚାନ୍ଦିରେ ସଜାଯାଇଛି । ତେଣୁ ଏହାକୁ ହଟେଇ ଏହା ସ୍ଥାନରେ ସୁନା ପରସ୍ତ ଲଗେଇବାକୁ ସେ କହିଥିଲେ, ଯାହାକୁ ନେଇ ଏବେ ବିବାଦ ଦେଖାଯିବା ସହିତ, ଏହାକୁ ବିରୋଧ କରାଯାଉଛି ।

ତୀର୍ଥ ପୁରୋହିତଙ୍କ କହିବା କଥା, କେଦାରନାଥ ଧାମ ମୋକ୍ଷ ଧାମ ଅଟେ । ଏଠାରେ ଭକ୍ତମାନେ ବାବା କେଦାରନାଥଙ୍କ ଦର୍ଶନ କରି ମୋକ୍ଷ ପ୍ରାପ୍ତି କରିବାକୁ ଆସିଥାନ୍ତି । ନା କି କେଉଁ ଭକ୍ତ ସୁନା-ଚାନ୍ଦି ଦେଖିବାକୁ ଆସନ୍ତି । ମନ୍ଦିରର ଗର୍ଭଗୃହକୁ ସୁନା-ଚାନ୍ଦିରେ ସଜେଇବା ଫଳରେ ସେଠାକାର ପୌରାଣିକ ପରମ୍ପରା ନଷ୍ଟ ହେଇପାରେ ବୋଲି ସେ କହିଛନ୍ତି ।

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ମନ୍ଦିରର ଗର୍ଭଗୃହରେ ସୁନା ପରସ୍ତ ନଥିଲା, ଏହାସତ୍ତେ୍ୱ ମଧ୍ୟ ତୀର୍ଥଯାତ୍ରୀ ଭଗବାନଙ୍କ ଦର୍ଶନ କରିବାକୁ ଆସୁଥିଲେ । ତେବେ ଆଗାମୀ ଦିନରେ ଏହି କଥାକୁ ସେ ବଦ୍ରୀ-କେଦାର ମନ୍ଦିର ସମିତିର ସିଇଓଙ୍କୁ ଚିଠି ଲେଖିବେ । ଆଉ ମନ୍ଦିରର ଗର୍ଭଗୃହରେ ସୁନା ପରସ୍ତ ଲଗେଇବାର କାମ ରୋକିବେ ବୋଲି ତୀର୍ଥ ପୁରୋହିତ ଦାବି କରିଛନ୍ତି ।

କୌଣସି ବି ପରିସ୍ଥିତିରେ ମନ୍ଦିରର ଗର୍ଭଗୃହରେ ସୁନାର ପରସ୍ତ ଲଗେଇବାକୁ ଦିଆଯିବ ନାହିଁ । ଯଦି ଜୋର୍ ଜବରଦସ୍ତ କାମ କରାଯିବ । ତେବେ ଏହାକୁ ବିରୋଧ କରାଯିବ । ତେଣୁ ରାତିରେ ମନ୍ଦିରକୁ ଜଗି ରହୁଛନ୍ତି ତୀର୍ଥ ପୁରୋହିତ । ଅନ୍ୟପଟେ ବଦ୍ରୀ-କେଦାର ମନ୍ଦିର ସମିତିର ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟଙ୍କ କହିବା କଥା, ମନ୍ଦିରର ଗର୍ଭଗୃହରେ କୌଣସି କ୍ଷତି ଆସିବନି । ବର୍ତ୍ତମାନ ମନ୍ଦିରର ଗର୍ଭଗୃହରେ ଚାନ୍ଦିର ପରସ୍ତ ରହିଛି । ଏହାକୁ ହଟେଇ ସେହି ସ୍ଥାନରେ ସୁନାର ପରସ୍ତ ଦିଆଯିବ । ଏହାକୁ କେହି ଲୋକ ବିରୋଧ କରୁନାହାଁନ୍ତି । କିଛି ଲୋକ ହିଁ କେବଳ ଏହାକୁ ବିରୋଧ କରୁଛନ୍ତି ବୋଲି ସେ କହିଛନ୍ତି ।