କରୋନା ସଂକ୍ରମଣ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନିବେଦନ: ଲକଡାଉନ ସମୟ ସୀମାକୁ ଆଉ ୧୪ ଦିନ ବଢାଇ ଦିଆଯାଉ

568

କନକ ବ୍ୟୁରୋ: କରୋନା ସଂକ୍ରମଣ ରୋକିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓଙ୍କ ନିବେଦନ । ଆଉ ୧୪ ଦିନ ବଢାଇ ଦିଆଯାଉ ଲକଡାଉନ ସମୟ । ଏନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ନିଜର ପରାମର୍ଶ ରଖିଛନ୍ତି । ବୋଷ୍ଟନ କନସଲଟିଂ ଗ୍ରୁପର ରିପୋର୍ଟକୁ ଆଧାର କରି କେସିଆର କହିଛନ୍ତି ଏହି ରିପୋର୍ଟରେ ୩ ଜୁନ୍ ଯାଏଁ ଲକଡାଉନ ରଖିବାକୁ କୁହାଯାଇଛି । ସେଥିପାଇଁ ଏବେ ୧୪ ଅପ୍ରେଲରେ ଦେଶରେ ଶେଷ ହେବାକୁ ଯାଉଥିବା ୨୧ ଦିନିଆ ଲକଡାଉନକୁ ଆଉ ୨ ସପ୍ତାହ ପାଇଁ ବୃଦ୍ଧି କରିବାକୁ ସେ ନିବେଦନ କରିଛନ୍ତି । ଗତ ୨ ଅପ୍ରେଲରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ ।

 

ଏହି ସମୟରେ ଦେଶରୁ ଲକଡାଉନ ପ୍ରତ୍ୟାହାର କରିବାକୁ ସେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ପରାମର୍ଶ ଲୋଡିଥିଲେ । ଏହି କ୍ରମରେ ଏବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଆଉ ୨ ସପ୍ତାହ ଲକଡାଉନ ସମୟକୁ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି । ଏହି ବର୍ଧିତ ଲକଡାଉନକୁ ୧୫ ଅପ୍ରେଲରୁ ଆଉ ୨ ସପ୍ତାହ ଯାଏଁ ଲାଗୁ କରିବାକୁ କୁହାଯାଇଛି । ପୂର୍ବରୁ ମଧ୍ୟ ଉତରପ୍ରଦେଶ ସରକାର ଲକଡାଉନକୁ ନେଇ ନିଜ ମତ ସ୍ପଷ୍ଟ କରିସାରିଛନ୍ତି । ଯଦି ରାଜ୍ୟରେ ଗୋଟିଏ ମଧ୍ୟ କରୋନା ରୋଗୀ ରୁହନ୍ତି ତେବେ ଏପରି ସ୍ଥିତିରେ ୧୪ ଅପ୍ରେଲରେ ୟୁପିରୁ ଲକଡାଉନ ଖୋଲିବା ଅସମ୍ଭବ ହେବ । କାରଣ ଏହି ଗୋଟିଏ ହିଁ ସଂକ୍ରମଣ ଆଗକୁ ସମସ୍ତଙ୍କ ପାଇଁ ବିପଦ ପାଲଟି ଯିବ । ତେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ନେଇ ପ୍ରଧାନମନ୍ତ୍ରୀ କଣ ଜବାବ ରଖୁଛନ୍ତି ଏବେ ତାହା ଉପରେ ନଜର । ତେବେ ବର୍ତମାନ ଭାରତର ସ୍ଥିତିକୁ ଦେଖିଲେ ଆସନ୍ତା ୧୪ ଅପ୍ରେଲରେ ଦେଶରେ ଲକଡାଉନ ଖୋଲିବା ନେଇ ଆଶା ମଧ୍ୟ କ୍ଷୀଣ ଦେଖାଯାଉଛି ।