୨୦୨୪ରେ କିଏ ଦେବ ମୋଦୀଙ୍କୁ ଟକ୍କର? ନୀତିଶ ହେବେ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡାଇଲେ ନୀତିଶ…

179

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦୀ ପୁଣିଥରେ ଏନଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ । କିନ୍ତୁ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ତାହା ସବୁଠାରୁ ବଡ଼ ପ୍ରଶ୍ନ । ମୋଦୀଙ୍କୁ ଟକ୍କର ଦେବା ପାଇଁ ନୀତୀଶ କୁମାର ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ତେଜସ୍ୱୀ ଯାଦବଙ୍କ ସହ କିଛି ନେତା ମତ ଦେଇସାରିଛନ୍ତି । କିନ୍ତୁ ଯେତେବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ନୀତୀଶ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ପ୍ରଶ୍ନ କରାଗଲା । ସେତେବେଳେ କେସିଆର ସିଧାସଳଖ ଜବାବ ନଦେଇ ନୀତୀଶଙ୍କୁ ଦେଶର ବରିଷ୍ଠ ନେତା ବୋଲି ଆଖ୍ୟା ଦେଲେ । ସେପଟେ ନୀତୀଶ ମଧ୍ୟ ହସିକି ପ୍ରଶ୍ନକୁ ଏଡ଼ାଇବାକୁ ଚେଷ୍ଟା କରିଥିଲେ ଏବଂ ନିଜ ସିଟରୁ ଉଠିବାକୁ ପ୍ରୟାସ କରିଥିଲେ ।

  • ଉଠିଯାଉଥିଲେ ନୀତୀଶ
  • ହାତ ଧରି ବସାଇଲେ କେସିଆର

ବିହାର ଗସ୍ତରେ ଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ମିଳିତ ସାମ୍ବାଦିକ ସମ୍ମିନଳୀରେ ଯୋଗ ଦେଇଥିଲେ । ଯେତେବେଳେ କେସିଆରଙ୍କୁ ପ୍ରଶ୍ନ କରାଗଲା ଯେ, ୨୦୨୪ ସାଧାରଣ ନିର୍ବାଚନରେ ବିରୋଧୀ ଦଳର ନେତୃତ୍ୱ ନୀତୀଶ କୁମାର ନେବେ କି? ନୀତୀଶ କୁମାର ହେବେ କି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ପ୍ରଶ୍ନ ଶୁଣିବା ପରେ ନୀତୀଶ ଅସୁବିଧାଜନକ ଅନୁଭୂତ କରିଥିଲେ ଏବଂ ସିଟରୁ ଉଠିଯାଇଥିଲେ । କିନ୍ତୁ କେସିଆର ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ନୀତୀଶ କୁମାର ବସିବାକୁ ପ୍ରସ୍ତୁତ ନଥିଲେ । ଏହାରି ଭିତରେ କେସିଆର କେତେବେଳେ ନୀତୀଶଙ୍କ ହାତ ତ କେତେବେଳେ ତାଙ୍କ ପୋଷାକକୁ ଟାଣି ବସାଇବାକୁ ପ୍ରୟାସ କରୁଥିଲେ । କିନ୍ତୁ ନୀତୀଶ ବସିବାକୁ ଆଦୌ ରାଜି ହେଉନଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ହଲରେ ଥିବା ସବୁ ସାମ୍ବାଦିକ ହସିବାରେ ଲାଗିଲେ । ଆଉ ଉଠିବା ଓ ବସିବାର ଅଭିଯାନ ତିନି ମିିନିଟ୍ ଧରି ଜାରି ରହିଲା ।

ଗୋଟିଏ ପଟେ ସାଧାରଣ ନିର୍ବାଚନରେ ବିଜେପିକୁ ଘେରିବା ପାଇଁ ବିରୋଧୀ ଏକଜୁଟ ହେବା କଥା କହୁଛନ୍ତି । ସେପଟେ ବିରୋଧୀ କିନ୍ତୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ତାହା ସ୍ପଷ୍ଟ କରୁନାହିଁ । ଏହାରି ଭିତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନୀତୀଶଙ୍କ ନାଁ ନନେବା ବିରୋଧୀଙ୍କ ଭିତରେ ଫାଟ ଥିବା ଜଣାପଡୁଛି ।