୯ ମାସ ପୂର୍ବରୁ ଭାଙ୍ଗିଲା ତେଲେଙ୍ଗାନା ସରକାର! ବିଧାନସଭାକୁ ଭଙ୍ଗ କରିବା ସହ ୧୦୫ ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ କେସିଆର

42

କନକ ବ୍ୟୁରୋ : ଆଶ୍ଚର୍ଯ୍ୟଜନକ ଭାବେ ବିଧାନସଭାକୁ ଆଗୁଆ ଭଙ୍ଗ କରିଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ୯ ମାସ ପୂର୍ବରୁ ବିଧାନସଭାକୁ ଭାଙ୍ଗି ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ୧୦୫ ଜଣ ପ୍ରାର୍ଥୀଙ୍କ ନାଁ ଆଗୁଆ ଘୋଷଣା କରିଛନ୍ତି । କେନ୍ଦ୍ରରେ ମୋଦି ସରକାର ଏକକ ନିର୍ବାଚନ ପାଇଁ ପ୍ରସ୍ତାବ ଦେଉଛନ୍ତି । ତେଣୁ ଯଦି ଲୋକସଭା ନିର୍ବାଚନ ଆଗୁଆ ହୁଏ ତାହେଲେ ତେଲେଙ୍ଗାନା ବିଧାନସଭା ଭୋଟ୍ ଏକାଠି ହେବ । ନଚେତ ଅଲଗା ଅଲଗା ନିର୍ବାଚନକୁ ଯିବ । ସେପଟେ ଓଡିଶା ମଧ୍ୟ ଆଗୁଆ ନିର୍ବାଚନକୁ ଯିବା ଲାଗି ପ୍ରସ୍ତୁତ ଥିବା ଜଣାଇସାରିଛି । ତେଣୁ ତେଲେଙ୍ଗାନା ରାସ୍ତାରେ ଓଡିଶା ଯିବା ନେଇ ଧାରଣା ଭିତରେ ସରଗରମ ହୋଇଛି ରାଜ୍ୟ ରାଜନୀତି ।

ତେଲେଙ୍ଗାନାରେ ଟିଆରଏସ ସରକାରଙ୍କ ୫ ବର୍ଷ ଅବଧି ପୂରିବାକୁ ଆହୁରି ୯ମାସ ବାକି ଥିବାବେଳେ ବିଧାନସଭାକୁ ଭଙ୍ଗ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ରାଜ୍ୟପାଳଙ୍କୁ ଭେଟି ରାଜ୍ୟ କ୍ୟାବିନେଟର ସଂକଳ୍ପ ପ୍ରଦାନ କରିବା ସହ ଆଗୁଆ ନିର୍ବାଚନ ନେଇ ସଂକେତ ଦେଇଛନ୍ତି ଟିଆରଏସ ମୁଖ୍ୟ । ୨୦୧୯ରେ ଲୋକସଭା ନିର୍ବାଚନ ସହ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥାନ୍ତା । ହେଲେ କେସିଆରଙ୍କ ଏହି ନିଷ୍ପତି ପରେ ଆଗାମୀ ନଭେମ୍ବର କିମ୍ବା ଡିସେମ୍ବରରେ ଅନ୍ୟ ୪ଟି ରାଜ୍ୟ ସହ ତେଲେଙ୍ଗାନା ନିର୍ବାଚନକୁ ଚାଲିଯିବା ସମ୍ଭାବନା ବଢିଯାଇଛି ।

ତେଲେଙ୍ଗାନା ରାଷ୍ଟ୍ର ସମିତି ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କ ଏଭଳି ନିଷ୍ପତି ପଛରେ ଏକ ବିରାଟ ରାଜନୈତିକ କାରଣ ବି ରହିଛି । ଏବେ ତେଲେଙ୍ଗାନାରେ ବିଧାନସଭା ଓ ଲୋକସଭା ନିର୍ବାଚନ ଅଲଗା ଅଲଗା ହେବ ।
– ଏକାଠି ନିର୍ବାଚନକୁ ଗଲେ ତ୍ରିମୁଖୀ ଲଢେଇର ସମ୍ଭାବନା ରହିଥିଲା
– ବିଜେପି ରାଜ୍ୟରେ ଟିଆରଏସ ଭୋଟ୍ ବିଭାଜନ କଲେ କଂଗ୍ରେସକୁ ଫାଇଦା ମିଳିବ
– ଆନ୍ଧ୍ର, ତେଲେଙ୍ଗାନା ଦୁଇ ତେଲୁଗୁ ପ୍ରଦେଶରେ କଂଗ୍ରେସର ସ୍ଥିତି ଭଲ ରହିଛି
– ବିଧାନସଭା ଭୋଟ୍ ଟିଆରଏସ ସପକ୍ଷରେ ଗଲେ ଲୋକସଭା ନିର୍ବାଚନରେ ଫାଇଦା
– ମୋଦି ବିରୋଧୀ ଜନମତ ଟିଆରଏସ ଭୋଟ୍କୁ ପ୍ରଭାବିତ କରିବ ନାହିଁ

ମୋଦି ସରକାରଙ୍କ ଏକକ ନିର୍ବାଚନ ପ୍ରସ୍ତାବ ପରେ ପ୍ରଥମ ରାଜ୍ୟ ଭାବେ ତେଲେଙ୍ଗାନା ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ହେଇଛି । ହେଲେ ଯଦି କେନ୍ଦ୍ର ସରକାର ଲୋକସଭା ନିର୍ବାଚନକୁ ଆଗୁଆ ନକରନ୍ତି ତେବେ ତେଲେଙ୍ଗାନାରେ ଅଲଗା ଅଲଗା ହେବ ବିଧାନସଭା ଓ ଲୋକସଭା ନିର୍ବାଚନ । କିନ୍ତୁ ଓଡିଶା ଦୁଇଟି ଯାକ ନିର୍ବାଚନ ଏକାଠି କରିବା ସପକ୍ଷରେ ରହିଛି । ବୁଧବାର ନିର୍ବାଚନ କମିସନଙ୍କୁ ଭେଟି ଏକାଠି ନିର୍ବାଚନ ପାଇଁ ଲିଖିତ ଅନୁରୋଧ ଜଣାଇଥିଲେ ବିଜେଡି ପ୍ରତିନିଧି ଦଳ । ଯଦି ଲୋକସଭା ନିର୍ବାଚନ ଆଗୁଆ କରାଯାଏ, ତେବେ ଓଡ଼ିଶା ବିଧାନସଭା ନିର୍ବାଚନ ଏହା ସହିତ କରିବାକୁ ଅନୁରୋଧ କରଥିଲେ ସାଂସଦ ପିନାକୀ ମିଶ୍ର ।

ନିର୍ବାଚନ ଖର୍ଚ୍ଚ ଓ ଆଚରଣ ବିଧି କଟକଣା ଅବଧି ହ୍ରାସ କରିବା ଯୁକ୍ତି ରଖି ଏକକାଳୀନ ନିର୍ବାଚନ ପାଇଁ ମୋଦି ସରକାର ଯୁକ୍ତି ବାଢୁଛନ୍ତି । ଏ ନେଇ ଲ’ କମିସନ ମଧ୍ୟ ସମ୍ମତି ଜଣାଇଛନ୍ତି । ଏହି ସ୍ଥିତିରେ ବିଜେଡିର ଏପରି ଆଭିମୁଖ୍ୟ ବେଶ ଗୁରୁତ୍ୱ ରଖୁଛି । ଏକାଥରକେ ଦୁଇଟି ଜାତୀୟ ଦଳର ମୁକାବିଲା କରିବାକୁ ରଣନୀତି କରିଛି ବିଜେଡି । ସାରା ଦେଶରେ ବିକ୍ଷିପ୍ତ ଲଢେଇରୁ ବିଜେଡିକୁ ବିଶେଷ ଫାଇଦା ମିଳିବା ଦଳ ଅନୁମାନ କରୁଛି