ମୋଦି ସରକାରଙ୍କୁ ଆହ୍ୱାନ ଦେଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ । କହିଲେ ବିରୋଧୀଙ୍କୁ ଏକଜୁଟ୍ କରି ସାରା ଦେଶରେ ଏନଡିଏ ସରକାର ବିରୋଧରେ କରିବି ରାଲି

299

କନକ ବ୍ୟୁରୋ : ମୋଦି ସରକାର ଓ ବିଜେପିକୁ ଚ୍ୟାଲେଞ୍ଜ ଦେଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲଙ୍ଗାନା ରାଷ୍ଟ୍ରସମିତିର ଅଧ୍ୟକ୍ଷ କେ.ଚନ୍ଦ୍ରଶେଖର ରାଓ । କେ.ସି.ଆର ଏକ ସଭାରେ କହିଛନ୍ତି କି ବିଜେପିକୁ ଟକ୍କର ଦେବାକୁ ସେ ଦେଶର ସମସ୍ତ ବିରୋଧୀ ଦଳ ମାନଙ୍କୁ ଏକତ୍ରିତ କରିବେ । ଡିସେମ୍ବର ଦ୍ୱିତୀୟ ସପ୍ତାହରେ ସେ ଏନଡିଏ ବିରୋଧୀ ଦଳ ମାନଙ୍କୁ ନେଇ ହାଇଦ୍ରାବାଦରେ ଏକ କନକ୍ଲେଭର ଆୟୋଜନ କରିବେ । ସେ କହିଛନ୍ତି କି ‘ଆମ୍ଭ ମାନଙ୍କୁ ମୋଦି ସରକାରଙ୍କ ବିରୋଧରେ ଠିଆ ହେବା ଦରକାର । ଆପଣ ସହଯୋଗ କରନ୍ତୂ ତେଲଙ୍ଗାନା ରାଷ୍ଟ୍ରସମିତି ଲଢେଇ ଲଢିବ’ ।
ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କେସିଆର କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ କି ସେ ରେଳ ଷ୍ଟେସନରେ ଚା ବିକୁଥିଲେ ହେଲେ ପ୍ରଧାନମନ୍ତ୍ରୀ ହେବା ପରେ ସେ ଭାରତୀୟ ରେଳକୁ ବିକି ଦେଲେ । ଏକ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କେସିଆର କହିଛନ୍ତି କି ଭଗବାନ ଜାଣନ୍ତି ସେ ଚା ବାଲା କୁଆଡେ ଗଲେ । ଦେଶର ସରକାରୀ ସଂସ୍ଥାନ ମାନଙ୍କୁ ଘରୋଇକରଣ କରିବାର କ’ଣ ଆବଶ୍ୟକ ରହିଛି । କ’ଣ ଆବଶ୍ୟକ ରହିଛି ଦେଶର ଲୋକମାନଙ୍କ ଉପରେ ଅନ୍ୟାୟ ଭାବେ ବିଭିନ୍ନ କର ଲଦିବା । କୃଷକ ବିରୋଧୀ କୃଷି କାନୁନ୍ ପ୍ରଣୟନ କରି ଦେଶର କୃଷକ ମାନଙ୍କ ଭାଗ୍ୟକୁ ପୁଞ୍ଜିପତି ହାତରେ ଟେକି ଦେବା ମୋଦି ସରକାରଙ୍କ କର୍ପୋରେଟ୍ ପ୍ରେମକୁ ପଦାରେ ପକାଇଛି । ସୂଚନା ଥାଉକି, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେସିଆର ବିଜେପି ବିରୋଧରେ ଏକ ସାମୁଖ୍ୟ ଗଠନ କରିବାକୁ ଚାହୁଁଥିଲେ । ଏନେଇ ବି ସେ ଏନଡିଏ ବିରୋଧୀ ଦଳ ମାନଙ୍କ ସହ ଆଲୋଚନା କରିଥିଲେ । ହେଲେ ତାଙ୍କ ସ୍ୱପ୍ନ ସାକାର ହୋଇ ପାରି ନଥିଲା । କାରଣ ତାଙ୍କ ବିରୋଧରେ ଠିଆ ହୋଇଥିଲେ ଚନ୍ଦ୍ରବାବୁ ନାଇଡୁ ।