କନକ ବ୍ୟୁରୋ: ଯେଉଁ କଥାକୁ ସବୁେବେଳେ ତେଲେଙ୍ଗାନା ଏଡାଇ ଆସୁଥିଲା , ଏବେ ସେଥିରେ ରାଜି ହୋଇଛି । ରାଜ୍ୟରେ ତେଲେଙ୍ଗାନାର ଶାସକ ଦଳ ଭାରତ ରାଷ୍ଟ୍ର ସମିତି ପାଦ ଥାପିବା ପରେ ଆରମ୍ଭ କରିଛି ଗୋଟିଚାଳନା । ପ୍ରଥମ ପଦକ୍ଷେପ ସ୍ୱରୂପ ଓଡିଶା ସହ ଆନ୍ତଃରାଜ୍ୟ ବସ ଚଳାଚଳ ପାଇଁ ରାଜି ହୋଇଛନ୍ତି ତେଲେଙ୍ଗାନା ସରକାର । ଏନେଇ ପୂର୍ବରୁ ଅନେକ ଥର ଓଡିଶା ପ୍ରସ୍ତାବ ଦେଇଥିଲେ ବି ଗୁରୁତ୍ୱ ଦେଉନଥିଲା ତେଲେଙ୍ଗାନା । ଏବେ ଅବିଭକ୍ତ କୋରାପୁଟରୁ ତେଲେଙ୍ଗନ।। ଭିତରେ ୨୩ଟି ବସ ଚଳାଚଳ ପାଇଁ ଦୁଇ ରାଜ୍ୟର ପରିବହନ ଅଧିକାରୀଙ୍କ ମଧ୍ୟରେ ଚୁକ୍ତି ହୋଇଛି ।

ଓଡିଶା-ତେଲେଙ୍ଗାନା ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ
-ଓଡିଶାର ୫ଟି ରୁଟ୍ ଓ ତେଲେଙ୍ଗାନାର ୪ଟି ରୁଟ ଦେଇ ୨୩ ବସ ଗଡିବ
-ମୁଖ୍ୟତଃ ଜୟପୁର -ହାଇଦ୍ରାବାଦ, ନବରଙ୍ଗପୁର-ହାଇଦ୍ରାବାଦ ମଧ୍ୟରେ ବସ ଚାଲିବ
-ଭବାନୀପାଟଣା- ବିଜୟୱାଡା ଭାୟା ଭଦ୍ରାଚଳମକୁ ବସ ଯିବ
-ରାୟଗଡା-କରିମନଗର, ଜୟପୁର-ଭଦ୍ରାଚଳମ ମଧ୍ୟରେ ବସ ଗଡିବ

ପୂର୍ବରୁ ଏ ନେଇ ଓଡିଶା ପରିବହନ ନିଗମ , ତେଲେଙ୍ଗାନା ପରିବହନ ନିଗମକୁ ପ୍ରସ୍ତାବ ଦେଇଥିଲେ ବି ତେଲେଙ୍ଗାନା ସରକାର ସମ୍ମତି ଦେଇନଥିଲେ । ଏବେ କେସିଆର ଓଡିଶା ରାଜନୀତି ଉପରେ ଆଖି ପକାଇବା ପରେ ତେଲେଙ୍ଗାନା ସରକାର ଏଥିପାଇଁ ରାଜି ହୋଇଛନ୍ତି ।

ବର୍ତମାନ ଚୁକ୍ତି ଅନୁସାରେ, ଓଡିଶାରୁ ୧୩ ଓ ତେଲେଙ୍ଗାନାରୁ ୧୦ ବସ ଯିବାଆସିବା କରିବ । ଏହା ହେଲେ ଓଡିଶା-ତେଲେଙ୍ଗାନା ମଧ୍ୟରେ ସରକାରୀ ବସ ଗଡିଲେ ଟିକେଟ ଦର କମିବା ସହ ଘରୋଇ ବସ ମନମାନି କମିବା ଆଶା କରାଯାଉଛି ।