କନକ ବୁରୋ : ଟଣା ହେଲା ବୁବୁ ଜେନାର ଜିପ୍ । ଲୋକଙ୍କୁ ଆତଙ୍କିତ କରିବାକୁ ଖଣ୍ଡା, ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ସହ ଆତଙ୍କ ସୃଷ୍ଟିକାରୀ ଭିଡିଓ ଭାଇରାଲ୍‌ କରୁଥିବା କେବିଏନ୍‌ ଗ୍ରୁପ୍‌ର ଏକ ଜିପ୍‌କୁ ଜବତ କରିଛି ନୂଆପଲ୍ଲୀ ଥାନା ପୁଲିସ । ଏହି ଜିପ୍‌କୁ ବ୍ୟବହାର କରି ପୁଲିସର ମୋଷ୍ଟ ୱାଣ୍ଟେଡ୍‌ ବୁବୁ ପରିଚାଳିତ କେବିଏନ୍‌ ଗ୍ୟାଙ୍ଗ୍‌ ବିଭିନ୍ନ ଭିଡିଓ କରିଥିଲେ । ଏହି ଗ୍ରୁପ୍‌ ପଛରେ ପଡ଼ିଥିବା ପୁଲିସ ଟିମ୍‌ ଗତକାଲି ଘାଟିକିଆ ଦତ୍ତାତ୍ରେୟ ଆପାର୍ଟମେଣ୍ଟ ନିକଟସ୍ଥ ଏକ ପରିତ୍ୟକ୍ତ ସ୍ଥାନରୁ ଏହି ଜିପ୍‌କୁ ଠାବ କରିଥିଲା। ଦୁର୍ବୃତ୍ତମାନେ ଜିପ୍‌କୁ ବଡ଼ କାଇଦାରେ ପଲିଥିନ୍‌ ଘୋଡ଼ାଇ ରଖିଥିଲେ । ପରିତ୍ୟକ୍ତ ସ୍ଥାନ ହୋଇଥିଲେ ବି ଉକ୍ତ ଗ୍ୟାଙ୍ଗ୍‌ର କେହି ଜିପ୍‌ ଉପରେ ନଜର ରଖିଥିବା ଜଣାପଡ଼ିଛି ।

Advertisment

ସୂଚନାଯୋଗ୍ୟ କେବିଏନ୍ ଗ୍ୟାଙ୍ଗ୍‌ର ମୁଖିଆ ବୁବୁ ଓ ତା’ର ଅନ୍ୟ ପ୍ରାୟ ୨୦ ସହଯୋଗୀ ଏବେ ବି ଫେରାର୍ ଅଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଏକାଧିକ ସ୍ଥାନରେ ବାରମ୍ବାର ଚଢ଼ଉ କରୁଛି। ଗତକାଲି ଏହି ଜିପ୍‌ ଥିବା ସୂଚନା ପାଇ ପୁଲିସ ସେଠାରେ ଚଢ଼ଉ କରିଥିଲା । ଜିପ୍‌ଟି ବାହାରେ ଥିବାରୁ ନଜର ରଖିଥିବା ବୁବୁ ସହଯୋଗୀକୁ ଠାବ କରିବା ସମ୍ଭବ ହୋଇନଥିଲା। ତଥାପି ପୁଲିସ ଟିମ୍‌ ଆପାର୍ଟମେଣ୍ଟ୍‌ ଓ ଆଖପାଖ ଅଞ୍ଚଳରେ ଛାନ୍‌ଭିନ୍ କରିଥିଲା । କିନ୍ତୁ ଜିପ୍ ଛଡ଼ା ଅନ୍ୟ କିଛି ମାରଣାସ୍ତ୍ର ବା ବୁବୁ ସହଯୋଗୀର ପତ୍ତା ମିଳିନଥିଲା । ଏବେ ବୁବୁ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ ପ୍ରାଇଭେଟ୍ କରିବା ସହିତ ଆତଙ୍କ ସୃଷ୍ଟିକାରୀ ଭିଡିଓ ସବୁକୁ ହଟାଇଦେଇଛି।