କେବିସି ଠକ ରାଣାପ୍ରତାପ : ଗୋଟିଏ ଲୋକ ନାଁରେ କେବିିସି ଠକେଇ ଅଭିଯୋଗ । ପୂର୍ବରୁ ଦାମନଯୋଡି ଏବେ କଳାହାଣ୍ଡିରେ ଯୁବକଙ୍କ ଠାରୁ ଲୁଟିଲେ ୭୦ ହଜାର , ଯୁବକଙ୍କ ଆତ୍ମହତ୍ୟା 

274

କେବିସି ନାଁରେ ପୁଣି ଠକେଇ ଅଭିଯୋଗ । ଲୋକପ୍ରିୟ ଟେଲିଭିଜନ୍ କୁଇଜ୍ ଶୋ- କୌନ ବନେଗା କରୋଡପତି ନାଁ କହି ଯୁବକଙ୍କଠାରୁ ଟଙ୍କା ଠକି ନେବା ପରେ, ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲାରୁ ଆସିଛି ଏହି ଅଭିଯୋଗ ।

କେବିସି ନାଁରେ ରାଣାପ୍ରତାପ ନାମକ ଜଣେ ବ୍ୟକ୍ତି, ଲାଂଜିଗଡର ପ୍ରତାପ ବାରିକଙ୍କୁ ୨୫ ଲକ୍ଷ ପୁରସ୍କାର ଜିତିଥିବା କହିଥିଲେ । ଏହି ରାଶି ପାଇବା ପାଇଁ କିସ୍ତି କିସ୍ତିରେ ୭୦ ହଜାର ଟଙ୍କା ଦେଇଥିଲେ ପ୍ରତାପ । ପରେ ଯେତେବେଳେ ନିଜ ଟଙ୍କା ଫେରି ପାଇନଥିଲେ, ସେତେବେଳେ ନିରାଶ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ଠକ ରାଣାପ୍ରତାପକୁ ଗିରଫ କରିବା ପାଇଁ ଅନୁରୋଧ କରିଥିଲେ ପ୍ରତାପ ବାରିକ ।

ତେବେ ଏହା ପୂର୍ବରୁ କୋରାପୁଟ ଜିଲ୍ଳା ଦାମନଯୋଡି ନିକଟସ୍ଥ ଭୀମସେନ ଗୌଡ ନାମକ ଜଣେ ଯୁବକ ଏହି ଠକେଇର ଶିକାର ହୋଇଥିଲେ । ସେତେବେଳେ ଭୀମସେନଙ୍କ କହିବା ଅନୁଯାୟୀ , ରାଣା ପ୍ରତାପ ସିଂ ନାମକ ଜଣେ ବ୍ୟକ୍ତି ନିଜକୁ ‘କେବିସି’ର କର୍ମଚାରୀ ପରିଚୟ ଦେଇ ହ୍ୱାଟ୍ସଆପରେ କଲ୍ କରିଥିଲେ । ଆଉ କମ୍ପାନୀ ତରଫରୁ ଭୀମସେନ ୨୫ ଲକ୍ଷ ଟଙ୍କା ଲଟେରୀ ଜିତିଥିବା କହିଥିଲେ । ଏପରିକି ତାଙ୍କଠାରୁ ହ୍ୱାଟ୍ସଆପରେ ତାଙ୍କ ଫଟୋ ଓ ବ୍ୟାଙ୍କ ଆକାଉଂଟ ନେଇ ବ୍ୟାଙ୍କ ନାଁରେ ନକଲି ଦସ୍ତାବିଜ୍ ପ୍ରସ୍ତୁତ କରିଥିଲେ । ଏହାପରେ ଭୀମସେନଙ୍କୁ ଅକାଉଂଟକୁ ଗତ ମାସ ୩୧ ତାରିଖରେ ୨୫ ଲକ୍ଷ ଟଙ୍କା ଏସବିଆଇରୁ ଟ୍ରାନ୍ସଫର ହୋଇଥିବା ଦର୍ଶାଇ କିଛି ରସିଦ୍ ପଠାଇଥିଲେ । ଏଥିପାଇଁ ଟିକସ ବାବଦକୁ ଗୋଟିଏ ନିର୍ଦ୍ଧିଷ୍ଟ ଆକାଉଂଟରେ ପ୍ରଥମେ ୧୨ହଜାର ଓ ପରେ ୮୦ ହଜାର ଟଙ୍କା ପଠାଇବା ପାଇଁ କହିଥିଲେ । ଏଥିରେ ଭୀମସେନ ବିଶ୍ୱାସ କରି ଭୀମସେନ ସମସ୍ତ ଟଙ୍କା ଜମା କରିଥିଲେ । ତେବେ ଏହା ପୂର୍ବରୁ ମଧ୍ୟ ଏହିଭଳି ଘଟଣା ଘଟିଛି ଏବଂ ସବୁ ଘଟଣାର ସାଧାରଣ କଥା ହେଉଛି ଅଭିଯୁକ୍ତ ଠକର ନାଁ ରାଣାପ୍ରତାପ ।