କନକ ବ୍ୟୁରୋ : ମାଡ଼ି ଆସିଲା ପାହାଡ଼ି ଝରଣା । ଅଳ୍ପକେ ବର୍ତିଗଲା କାଉଡ଼ିଆଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ପଦ୍ମପୁର ନୃସିଂହନାଥ ମନ୍ଦିରରେ । ମନ୍ଦିର ପାଖରେ ଥିବା ଝରଣାରୁ ଜଳାଭିଷେକ ପାଇଁ ପାଣି ଉଠାଇବା ବେଳେ ହଠାତ ମାଡ଼ି ଆସିଲା ଝରଣା ଜଳ । ବିପଦସଂକୁଳ ଅବସ୍ଥାରେ ହାତ ଧରାଧରି ହୋଇ ଝରଣା ଅତିକ୍ରମ କଲେ କାଉଡ଼ିଆ ।

Advertisment

ଆଜି ଶ୍ରାବଣର ଶେଷ ସୋମବାର ହୋଇଥିବାରୁ ଜଳାଭିଷେକ ପାଇଁ ନୃସିଂହନାଥ ପୀଠରେ କାଉଡ଼ିଆଙ୍କ ଭିଡ଼ ଜମିଥିଲା । ପ୍ରସିଦ୍ଧ ଶୈବପୀଠ ହୋଇଥିବାରୁ ଜିଲ୍ଲା ବାହାରୁ ଏପରିକି ରାଜ୍ୟ ବାହାରୁ ଛତିଶଗଡରୁ ମଧ୍ୟ କାଉଡିଆ ମାନେ ଏଠାକୁ ଆସି ଜଳଲାଗି କରିଥାନ୍ତି । ଜଳାଭିଷେକ ପାଇଁ କାଉଡିଆ ମାନେ ପାଣି ଉଠାଉଥିବା ବେଳେ ବର୍ଷା କାରଣରୁ ଝରଣାରେ ପ୍ରବଳ ସ୍ରୋତରେ ପାଣି ମାଡି ଆସିଥିଲା । ଚାହୁଁଚାହୁଁ ଏଠାରେ ଜଳର ପ୍ରଖର ସ୍ରୋତ ଦେଖିବାକୁ ମିଳିଥିଲା । ଫଳରେ କିଛି କାଉଡିଆ ଏଠାରେ ଫଶି ରହିଥିଲେ । ପାଖାପାଖି ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ କାଉଡିଆ ମାନେ ଏଠାରେ ଫସି ରହିଥିଲେ । ହେଲେ ପରେ କାଉଡ଼ିଆମାନେ ସାହସ ଜୁଟାଇ ଝରଣା ପାର ହୋଇଥିଲେ । ପରସ୍ପରର ହାତ ଧରାଧରି ହୋଇ ପାଣିର ପ୍ରଖର ସ୍ରୋତକୁ କାଟି ଝରଣା ପାର କରିଥିଲେ କାଉଡିଆ ଏବଂ ନିଜର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ଅଚାନକ ଝରଣାରେ ଜଳସ୍ତର ବୃଦ୍ଧି କାରଣରୁ କିଛି ସମୟ ପାଇଁ ଘଟଣା ସ୍ଥଳରେ ଭୟର ବାତାବରଣ ଖେଳି ଯାଇଥିଲା ।