କନକ ବ୍ୟୁରୋ : ଜ୍ୱାଳାମୁଖୀ କଥା ଆପଣ ସମସ୍ତେ ଜାଣିଛନ୍ତି । ମାଟିତଳୁ ବାହାରୁଥିବା ନିଆଁର ପିଣ୍ଡୁଳାର କ୍ରୁରତା ବିଷୟରେ ମଧ୍ୟ ଆପଣ ଅବଗତ । ତେବେ ଆପଣ ସମସ୍ତେ ଜାଣିଛନ୍ତି ଜ୍ୱାଳାମୂଖୀର ରଙ୍ଗ ଲାଲ ହୋଇଥାଏ । କିନ୍ତୁ ଆଜି ଯେଉଁ ଜ୍ୱାଳାମୁଖୀ ବାବଦରେ କହୁଛି ସେ ଜ୍ୱାଳାମୁଖୀର ରଙ୍ଗ ଲାଲ ବଦଳରେ ନୀଳ ହୋଇଥାଏ । ଠିକ୍ ଶୁଣିଲେ ଆପଣ । ଏଠି ନୀଳ ରଙ୍ଗର ଜ୍ୱାଳାମୁଖୀ ଦେଖିବାକୁ ମିଳିଥାଏ । ଇଣ୍ଡୋନେସିଆର ଜାଭା ୱାନୟୁବାଙ୍ଗରୀ ରି୍ଜେନ୍ସି ଏବଂ ବୋଣ୍ଡାବୃବୋସା ରିଜେନ୍ସିର ସୀମାରେ ଥିବା ଜ୍ୱାଳାମୁଖୀର ରଙ୍ଗ ଲାଲ ବଦଳରେ ନୀଳ ରଙ୍ଗ ଦେଖିବାକୁ ମିଳେ । ଏହା ସମସ୍ତଙ୍କୁ ଟିକେ ଚିନ୍ତାରେ ପକାଇଛି । ପ୍ରକୃତିର ଏହି ବିଚିତ୍ର ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି ।

Advertisment

ଏହି ନୀଳ ରଙ୍ଗର ଜ୍ୱାଳାମୁଖୀର ୪ଟି ବିଶେଷତ୍ତ୍ୱ ରହିଛି । ପ୍ରଥମଟି ହେଉଛି ଏହାର ନୀଳ ଲାଭା । ଦ୍ୱିତୀୟଟି ହେଉଛି ନୀଳରଙ୍ଗର ନିଆଁ । ତୃତୀୟଟି ଏସିଡ ଥିବା ପୋଖରୀ । ଚତୁର୍ଥରେ ସଲଫର ଖନନ ସ୍ଥାନ । ଏହି ନୀଳ ରଙ୍ଗର ଜ୍ୱାଳାମୁଖୀ କାୱା ଇଜେନ ଜ୍ୱାଳାମୁଖୀ ଭାବେ ଏହା ପରିଚିତ । ଶେଷ ଥର ପାଇଁ ୧୯୯୯ ମସିହାରେ ଏହି ଜ୍ୱାଳାମୁଖୀରୁ ଲାଭା ନିର୍ଗତ ହୋଇଥିଲା । ଏହା ୨୦ କିମି ଦୂର ଯାଏ ବ୍ୟାପିଥାଏ । ଏହି ଅଞ୍ଚଳରେ ଅନେକ ପାହାଡ ରହିଥାଏ । ଏହି ପାହାଡ ଭିତରେ ବି ସବୁଠାରୁ ଭୟାନକ ହେଉଛି ଗୁରୁଙ୍ଗ ମେରୋ ପିଷ୍ଟ୍ରିଟୋବ୍ଲୋକନି । ଏହାଠାରୁ ହିଁ ନୀଳ ରଙ୍ଗର ଲାଭା ବାହାରିଥାଏ । ଗୁରୁଙ୍ଗ ମେରୋର ଅର୍ଥ ନିଆଁର ପାହାଡ ।

ଏଠାରେ ଗୋଟିଏ କ୍ରେଟର ରହିଛି, ଏହାର ବ୍ୟାସ ୧ କିଲୋମିଟର । ଏଠାରେ ନୀଳ ରଙ୍ଗର ପାଣି ଥାଏ । ଯାହା ପୂରା ଏସିଡିକ ହୋଇଥାଏ । କହିବାପାରିବା ଏହା ଏସିଡର ଗୋଟିଏ ପୋଖରୀ । ଏଠାରୁ ଲୋକ ସଲଫର ଖନନ କରିନେଇଥାନ୍ତି । ଏହାକୁ ଖନନ କରୁଥିବା ଜଣେ ଲୋକଙ୍କୁ ଦୈନିକ ୧୩ ଡଲାର ବା ୧୦୧୩ ଟଙ୍କା ଦରମା ମିଳିଥାଏ ।

ନ୍ୟାସନାଲ ଜିଓଗ୍ରାଫିରେ ଏହି ବାବଦରେ ଜଣାପଡିବା ପରେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶେଷ କରି ଏଠାକୁ ରାତିରେ ଲୋକ ପର୍ବତ ଚଢିବାକୁ ଆସିଥାନ୍ତି । ନୀଳ ଲାଭା ରାତିରେ ସୁନ୍ଦର ଦିଶୁଥିବାରୁ ଏହା ଦେଖିବାକୁ ମଧ୍ୟ ସୁନ୍ଦର ଲାଗିଥାଏ । ୨ ଘଣ୍ଟାର ଯାତ୍ରା ପରେ ହିଁ ଲୋକ ଏହାକୁ ଦେଖିପାରିଥାନ୍ତି । ପୁଣି ୪୫ ମିନିଟର ଯାତ୍ରା ପରେ ତଳେ ଥିବା ଏସିଡ ପୋଖରୀ ପାଖରେ ମଧ୍ୟ ପର୍ଯ୍ୟଟକ ପହଞ୍ଚିଥାନ୍ତି । ଏଠାକୁ ଯାଉଥିବା ପର୍ଯ୍ୟଟକ କେମିକାଲ ମାସ୍କ ପିନ୍ଧି ସେଠାକୁ ଯାଇଥାନ୍ତି । କାରଣ ସଲଫରର ଗନ୍ଧରେ ସେମାନେ ଅସୁସ୍ଥ ହୋଇପାରନ୍ତି । ତେଣୁ ସେଠାକୁ ଯିବା ପୂର୍ବରୁ ସମସ୍ତ ସୁରକ୍ଷାକୁ ଦୃଷ୍ଟି ଦିଆଯାଇଥାଏ । ସଲଫ୍ୟୁରିକ ଗ୍ୟାସ ଯୋଗୁ ଏଠାରୁ ବାହାରୁଥିବା ଲାଭା ନୀଳ ଦେଖାଯାଇଥାଏ ।