କନକ ବ୍ୟୁରୋ : ନିକଟରେ ଯୋଗୀ ସରକାର ଯେଉଁ ଘୋଷଣା କରିଛନ୍ତି ତାକୁ ନେଇ ସାରା ଦେଶରେ ଆରମ୍ଭ ହୋଇଛି ତର୍କବିତର୍କ, ବିରୋଧ ଓ ସମର୍ଥନ । ପ୍ରଶ୍ନ ଉଠୁଛି କାହିଁକି କାଉଡ଼ିଆଙ୍କ ପାଇଁ ହଠାତ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଲେ? ହୋଟେଲରେ ମାଲିକଙ୍କ ପ୍ରକୃତ ପରିଚୟ ଦେବା କ’ଣ ପାଇଁ ଜରୁରୀ ମନେହେଲା? ଏହା କେବଳ କାଉଡିଆଙ୍କ ଧାର୍ମିକ ମନୋଭାବନାକୁ ଦୃଷ୍ଟିରେ ରଖି କରାଯାଇଛି କି । ନା ଏହା ପଛରେ ରହିଛି କି କିଛି ରାଜନୈତିକ ଚାଲ? । ଗତ ନିର୍ବାଚନରେ ବିଜେପିର ପ୍ରଦର୍ଶନ ଆଶାନୁରୂପକ ରହିଛି। ଯାହା ପାଇଁ ଆଗାମୀ ନିର୍ବାଚନରେ ହିନ୍ଦୁ ଭୋଟକୁ ଏକାଠି କରିବାକୁ ଏହା ଏକ ରଣନୀତି ବୋଲି ଧରିନିଆଯାଇପାରେ ।
ବିଜେପି ସରକାର ଶ୍ରଦ୍ଧାଳୁଙ୍କୁ ଆସ୍ଥାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଥିବା ଯୁକ୍ତି ବାଢ଼େଇଛି । କାରଣ ପରିଚୟ ବଦଳାଇ ଶୁଦ୍ଧ ଶାକାହାରୀ ଖାଦ୍ୟ ବଦଳରେ ଆମିଷ ଖାଦ୍ୟ ବିକ୍ରି କାଉଡିଆଙ୍କ ଧାର୍ମିକ ମନୋଭାବନାକୁ କୁଟାରଘାତ ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଅସ୍ଥାୟୀଭାବେ ଏହି ନିର୍ଦ୍ଦେଶାନାମା ଜାରି କରିଛନ୍ତି । ମାତ୍ର ଏହି ନିଷ୍ପତିକୁ ବିରୋଧୀ ନୁହେଁ, ଏନଡିଏର ଦୁଇ ସହଯୋଗୀ ଦଳ ଜେଡିୟୁ ଓ ଆରଏଲଡି ବିରୋଧ କରି ପୁର୍ନ ସମୀକ୍ଷା ପାଇଁ ଦାବି କରିଛନ୍ତି । ସେପଟେ ହିନ୍ଦୁ ସଂଗଠନ ସ୍ବାଗତ ଜଣାଇଛନ୍ତି ।
ଏବେ ପ୍ରଶ୍ନ ଉଠିଛି ଏଭଳି ନିଷ୍ପତ୍ତି ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି କି? ଆଗକୁ ମୁସଲିମ ଓ ହିନ୍ଦୁଙ୍କ ମଧ୍ୟ ବିବାଦ ବଢ଼ାଇବ କି? ଦେଶରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହେବ କି? ପରିଚୟ ସାର୍ବଜନୀନ କରିବା ପରେ ମୁସଲିମ ବ୍ୟବସାୟୀ ଦୀର୍ଘଦିନ ପାଇଁ କ୍ଷତି ସହିବ କି?