କବିସୂର୍ଯ୍ୟନଗର ରାଜନୀତିରେ ହଲଚଲ । ବିଜେଡି ଛାଡିବାକୁ ପ୍ରସ୍ତୁତ ହେଲେଣି ସ୍ୱର୍ଗତ ରାଣୀ ଭି ସୁଜ୍ଞାନ ଦେଓଙ୍କ ସମର୍ଥକ ।

506

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା କବିସୁର୍ଯ୍ୟବଗର ରାଜନୀତିରେ ହଲଚଲ । ବିଜେଡି ଛାଡିବାକୁ ପ୍ରସ୍ତୁତ ହେଲେଣି ହଜାର ହାଜର ରାଣୀଙ୍କ ସମର୍ଥକ । ଖଲ୍ଲିକୋଟ ଭଳି କବିସୂର୍ଯ୍ୟନଗରରେ ସମାନ ସ୍ଥିତି । ଦିନକୁ ଦିନ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବିଜେଡି ପାଇଁ ଅଡୁଆ ହେଉଛନ୍ତି ରାଣୀ ସମର୍ଥକ । କୁହାଯାଉଛି, ମନାଇବାରେ ଅସମର୍ଥ ହେଲେ ବିଜେଡି ବିଧାୟିକା ପ୍ରାର୍ଥୀ ଲତିକା ପ୍ରଧାନ ।

ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ । ନିର୍ବାଚନର ତାରିଖ ଯେତେ ପାଖଉଛି ସେତେ ରୋଚକ ହେଉଛି କବିସୂର୍ଯ୍ୟନଗର ରାଜନୀତି । ଦୀର୍ଘ ଦିନ ହେଲା ବିଧାୟିକା ଲତିକା ପ୍ରଧାନଙ୍କ ବିରୋଧରେ ସ୍ଥାନୀୟ ନେତା କର୍ମୀଙ୍କ ଅସନ୍ତୋଷ ଲାଗି ରହିଥିବା ବେଳେ ଏଥର ମଧ୍ୟ ଦଳ ତାଙ୍କୁ ପ୍ରାର୍ଥୀ କରିଛି । ଲତିକାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଆସୁଛନ୍ତି ଖଲ୍ଲିକୋଟ ରାଣୀ ତଥା କାବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ସମର୍ଥକ ।

ରାଣୀଙ୍କ ଦେହାନ୍ତ ପରେ ରାଣୀଙ୍କ ପୁତୁରା ସାକେତ ରାମାରାଓଙ୍କୁ କାବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ କରୁ ବୋଲି ଦାବି କରୁଥିଲେ ରାଣୀଙ୍କ ସମର୍ଥକ । କିନ୍ତୁ ଦଳ ଲତିକା ପ୍ରଧାନଙ୍କୁ ରିପିଟ କରିଛି । ରଣୀ ସମର୍ଥକ ଏହାକୁ ନେଇ ବିରୋଧ କରୁଛନ୍ତି । ପୂର୍ବତନ ଜିଲ୍ଲା ପରିଷଦ ମନୋଜ କୁମାର ପାଣ୍ଡିଙ୍କ ନେତୃତ୍ୱରେ କର୍ମୀମାନେ ଏକାଠି ହୋଇ ଲତିକା ପ୍ରଧାନଙ୍କୁ ବିରୋଧ କରିବା ସହ ବିଜେଡି ଛାଡି ବିଜେପିରେ ସାମିଲ ହେବେ ବୋଲି କହିଛନ୍ତି ।

ଏହି ବାଦବିବାଦ ଭିତରେ ବିଜେଡି ପ୍ରାର୍ଥୀ ପ୍ରଚାର ଆରମ୍ଭ କରିନଥିବା ବେଳେ ବିଜେପି ତାର ପ୍ରଚାର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛି । ଫଳରେ ଚଳିତ ସାଧାରଣ ନିର୍ବାଚନରେ ଏକ ବଡ ଫାଇଟ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।