କାବେରୀ ଜଳକୁ ନେଇ ପୁଣି ତେଜିଲା ବିବାଦ: ପାଣି ନଛାଡ଼ିବାକୁ କର୍ଣ୍ଣାଟକରେ ଆନ୍ଦୋଳନ

58

କନକ ବ୍ୟୁରୋ: କାବେରୀ ନଦୀ ଜଳକୁ ନେଇ, ପୁଣି ଥରେ ବିବାଦ ତୀବ୍ର ହୋଇଛି । ତାମିଲନାଡୁକୁ କାବେରୀ ପାଣି ନଦେବାକୁ କର୍ଣ୍ଣାଟକର ବିଭିନ୍ନ ସଂଗଠନ ଦାବି କରିବା ପରେ, ଦୁଇ ରାଜ୍ୟ ମଧ୍ୟରେ ଆରମ୍ଭ ହୋଇଯାଇଛି ଟଣାଓଟରା । କାବେରୀ ଜଳକୁ ନଦେବାକୁ କର୍ଣ୍ଣାଟକରେ ଲଗାତାର ଭାବେ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଉଛି । ମଙ୍ଗଳବାର ଦିନ ବେଙ୍ଗାଳୁରୁ ବନ୍ଦ ପାଳନ କରାଯାଇଥିଲା । ଶୁକ୍ରବାର ପ୍ରାୟ ୧୨ଶହରୁ ଅଧିକ ଚାଷୀ ସଂଗଠନ ପକ୍ଷରୁ ରାଜ୍ୟବ୍ୟାପି ଆନ୍ଦୋଳନ ହୋଇଥିଲା । ରାସ୍ତାକୁ ଓହ୍ଲାଇ ହଜାର ହଜାର ଲୋକ ପ୍ରତିବାଦ କରିଥିଲେ । ବନ୍ଦ ପାଳନ କରିଥିଲେ । ଯାହା ଫଳରେ କର୍ଣ୍ଣାଟକରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଚାଷୀ ସଂଗଠନର ପ୍ରତିବାଦ ଓ ବିକ୍ଷୋଭ ଯୋଗୁଁ, ବସ୍ ଓ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ତେବେ ପରିସ୍ଥିତିକୁ ନିୟନନ୍ତ୍ରଣ କରିବା ପାଇଁ ଆନ୍ଦୋଳନକାରୀଙ୍କୁ କର୍ଣ୍ଣାଟକ ପୋଲିସ ଉଠାଇ ନେଇଥିଲା । ରାଜଧାନୀ ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ କରାଯାଇଛି । ତେବେ ଏସବୁ ଭିତରେ କାବେରୀ ଜଳ ପରିଚାଳନା ଅଥରିଟୀ , କାବେରୀ ଜଳ ନିୟନ୍ତ୍ରଣ କମିଟିର ନିର୍ଦ୍ଦେଶକୁ ପାଳନ କରିବାକୁ କର୍ଣ୍ଣାଟକ ସରକାରକୁ କହିଛନ୍ତି । ଏବଂ ଅକ୍ଟୋବାର ୧୫ ପର୍ଯ୍ୟନ୍ତ କର୍ଣ୍ଣାଟକକୁ ୩ହଜାର କ୍ୟୁସେକ ଜଳ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ କର୍ଣ୍ଣାଟକ ସରକାର ଅଡୁଆରେ ପଡିଛନ୍ତି ।

କାବେରୀ ଜଳ ଛାଡିବା ଦାବିରେ ତାମିଲନାଡୁରେ ମଧ୍ୟ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଛି । ନିୟମ ଅନୁସାରେ କାବେରୀ ଜଳ ଛାଡିବାକୁ ସେମାନେ ଦାବି କରି ପ୍ରତିବାଦ ଜଣାଇଛନ୍ତି । କାବେରୀର ଜଳ ଉପରେ ସେମାନଙ୍କର ମଧ୍ୟ ଅଧିକାର ରହିଥିବା ତାମିଲନାଡୁର ବିଭିନ୍ନ ସଂଗଠନ ପକ୍ଷରୁ କୁହାଯାଇଛି । କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ କାବେରୀ ଜଳକୁ ନେଇ ବିବାଦ ବହୁ ପୁରୁଣା । ଉଭୟ କର୍ଣ୍ଣାଟକ ଓ ତାମିଲନାଡୁର ଚାଷୀ କାବେରୀ ନଦୀ ଜଳ ଉପରେ ନିର୍ଭର କରନ୍ତି । ହେଲେ ଜଳ ବଂଟାକୁ ନେଇ ୧୪୦ ବର୍ଷ ଧରି ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି । ୨୦୧୬ ମସିହାରୁ ଏହି ମାମଲା ସୁର୍ପିମକୋର୍ଟରେ ଚାଲିଛି ।

କାବେରୀ ପାଣି ପାଇଁ କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ଯେମିତି ଲଢ଼େଇ ଚାଲିଛି, ଠିକ୍ ସେମିତି ମହାନଦୀ ପାଣି ପାଇଁ ଛତିଶଗଡ ଓ ଓଡିଶା ମଧ୍ୟରେ ବିବାଦ ଲାଗି ରହିଛି । ଛତିଶଗଡ ସରକାର ମହାନଦୀର ଉପରମୁଣ୍ଡରେ ଏକାଧିକ ଡ୍ୟାମ କରି ପାଣିକୁ ଅଟକାଇ ରଖିବାକୁୁ ନେଇ ମଧ୍ୟ ସମାନ ବିବାଦ ଲାଗି ରହିଛି । ଏହାକୁ ନେଇ ଶାସକ ଦଳ ବିଜେଡି ପକ୍ଷରୁ ଜୋରଦାର ବିରୋଧ କରାଯାଇଥିଲା । ଓଡିଶାରୁ ଦିଲ୍ଳୀ ପର୍ଯ୍ୟନ୍ତ ଆନ୍ଦୋଳନ ହୋଇଥିଲା । କିନ୍ତୁ ଏବେ ଓଡିଶା ପକ୍ଷରୁ ଆଉ ସେମିତି ଲଢ଼େଇ ହେଉନି କି ପ୍ରତିବାଦ କରାଯାଉନି । ଟ୍ରିବ୍ୟୁନାଲ ଉପରେ ସବୁ କଥା ଛାଡି ଦେଇ ରାଜ୍ୟ ସରକାର ସମସ୍ୟାର ସମାଧାନ ପାଇଁ ଯେମିତି ତତ୍ପରତା ଦେଖାଇବା କଥା ଦେଖାଉ ନାହାନ୍ତି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।