‘କୌନ ବନେଗା କରୋଡପତି’: ଦ୍ୱିତୀୟ ଥର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ପ୍ରଶ୍ନ କଲେ ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ 

267

କନକ ବ୍ୟୁରୋ: କୌନ ବନେଗା କରୋଡ଼ପତି’ କାର୍ୟ୍ୟକ୍ରମରେ ଦ୍ୱିତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ପ୍ରଶ୍ନ ପଚାରିଲେ ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ ।  ସୋନି ଏଣ୍ଟରଟେନମେଣ୍ଟ ଚ୍ୟାନେଲର ଆଜି(୧୮.୧୧.୨୦୨୧) ରାତ୍ରିରେ ଲୋକପ୍ରିୟ କାର୍ୟ୍ୟକ୍ରମ ‘କୌନ ବନେଗା କରୋଡ଼ପତି’ର ହୋଷ୍ଚ୍ କରୁଥିବା ଦେଶର ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ ପୁଣି ଥରେ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଏକ ପ୍ରଶ୍ନ ପଚାରିଛନ୍ତି । ପ୍ରଶ୍ନଟି ଥିଲା ଚଳିତ ଜୁଲାଇ ମାସରେ କ୍ୟାବିନେଟ ଅଦଳବଦଳ ହେବା ପରେ କିଏ ଭାରତର ଶିକ୍ଷା ମନ୍ତ୍ରୀ ହେଲେ ? ପ୍ରଶ୍ନର ଉତ୍ତରରେ ୪ଟି ସମ୍ଭାବ୍ୟ ଉତ୍ତର ଥିଲା – ରମେଶ ପୋଖରିୟାଲ, ସ୍ମୃତି ଇରାନୀ, ପ୍ରହ୍ଲାଦ ଯୋଶୀ ଏବଂ ଧର୍ମେନ୍ଦ୍ର ପ୍ରଧାନ । ଏହାର  ଉତ୍ତରରେ ହଟ୍ ସିଟରେ ବସିଥିବା ଉତ୍ତରପ୍ରଦେଶ ଲକ୍ଷ୍ନୌର ଜନୈକ ଛାତ୍ର ମାନସ ଅନିଲ ଗାଏକ୍ୱାଡ଼୍ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିବା ସଠିକ୍ ଉତ୍ତର ଦେଇଥିଲେ । ପରେ ଅମିତାଭ୍ ବଚ୍ଚନ ଧର୍ମେନ୍ଦ୍ର ପ୍ରଧାନ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ମଧ୍ୟ ଥିବା କହିଥିଲେ । ତେବେ ଦୁଇ ଥର ଏହି କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେଇ ପ୍ରଶ୍ନ ହେବା ନେଇ  ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନାଯୋଗ୍ୟ, ଚଳିତବର୍ଷ ଜୁଲାଇ ୭ ତାରିଖରେ କେନ୍ଦ୍ର କ୍ୟାବିନେଟରେ ଅଦଳବଦଳ ହେବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରଣାଳୟ ସହ ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ଦାୟିତ୍ୱ ମିଳିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତି -୨୦୨୦କୁ କାର୍ୟ୍ୟକାରୀ କରିବା ଦିଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିରନ୍ତର କାର୍ୟ୍ୟ କରୁଛନ୍ତି ।

୩୦ ସେପ୍ଟେମ୍ବରରେ ଏହି ‘କୌନ ବନେଗା କରୋଡ଼ପତି’ କାର୍ୟ୍ୟକ୍ରମରେ ଅମିତାଭ ବଚ୍ଚନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଦେଖାଇ ସେ କେଉଁ ନାମରେ ପରିଚିତ ବୋଲି ପ୍ରଶ୍ନ ପଚାରିଥିଲେ । ସମ୍ଭାବ୍ୟ ଉତ୍ତର ମାନଙ୍କ ମଧ୍ୟରୁ ହଟ୍ ସିଟରେ ବସିଥିବା ବ୍ୟକ୍ତି ଅଶ୍ୱିନୀ କୁମାର ସିହ୍ନା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଜ୍ଜ୍ୱଳା ମ୍ୟାନ୍ ବୋଲି କହି ସଠିକ୍ ଉତ୍ତର ଦେଇଥିଲେ ।