କନକବ୍ୟୁରୋ: କେଦାରନାଥରେ ଫସିଥିବା କେନ୍ଦୁଝରର ୪ କାଉଡ଼ିଆ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ସୋନପ୍ରୟାଗରୁ ଆସି ଋଷିକେଶ ପହଞ୍ଚିବା ପରେ ଓଡ଼ିଶା ଅଭିମୁଖେ ଯାତ୍ରା କରୁଛନ୍ତି ୪ଜଣ ଓଡ଼ିଆ। ଉତ୍କଳ ଏକ୍ସପ୍ରେସ ଟ୍ରେନରେ ଆସି ପୁରୀରେ ପହଂଚିବେ ୪କାଉଡ଼ିଆ। ତେଲକୋଇ ଓ ସଦର ଥାନା ଅଞ୍ଚଳର ୪ ଜଣ କାଉଡ଼ିଆ ଉତ୍ତରାଖଣ୍ଡର କେଦାରନାଥରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ୪ ଦିନ ଧରି ଫଶି ରହିବା ପରେ ଗତକାଲି ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ସକାଳ ୭ଟାରୁ ପାଦରେ ଚାଲି ଚାଲି ଆସିବା ପରେ ଅପରାହ୍ନ ୨ଟାରେ ଭୀମତାଲ ନିକଟ ଏକ ଅସ୍ଥାୟୀ ହେଲିପ୍ୟାଡରୁ ଆକାଶ ମାର୍ଗରେ ଉଦ୍ଧାର କରାଯାଇଛି।

Advertisment

ସୋନପ୍ରୟାଗରୁ ଗାଡ଼ିରେ ଆସି ରାତି ୯ଟାରେ ଋଷିକେଶ ପହଞ୍ଚିଥିଲେ। ଆଜି ସକାଳୁ ଋଷିକେଶରୁ ଉତ୍କଳ ଏକ୍ସପ୍ରେସ ଟ୍ରେନରେ ଓଡ଼ିଶା ଫେରୁଛନ୍ତି। ପୁରୀରେ ପହଂଚିବା ପରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯିବେ ୪ଜଣ ଓଡ଼ିଆ। କେଦାରନାଥରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବାରେ ଭାରତୀୟ ସେନାବାହିନୀ, ଏସଡିଆରଏଫ,ଏନଡିଆରଏଫ ଓ ବାୟୁସେନା ନିୟୋଜିତ ହୋଇଛନ୍ତି। ଦୀର୍ଘ ୪ ଦିନ ହେଲାଣି ଉଦ୍ଧାର କାର୍ୟ୍ୟ ଜାରୀ ରହିଛି। କେଦାରନାଥରେ ଜଳାଭିଷେକ ପାଇଁ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଜଗମୋହନପୁର ପଞ୍ଚାୟତ ସରୁଆଳି ଗ୍ରାମର କାର୍ତ୍ତିକେଶ୍ବର ଖିଲାର, ଜଗମୋହନପୁର ଗ୍ରାମର ସଦାନନ୍ଦ ସାହୁ, ଦୋବଲାପାଳ ପଞ୍ଚାୟତ ଚନ୍ଦ୍ରଶେଖରପୁର ଗ୍ରାମର ମହେଶ୍ୱର ପ୍ରଧାନ ଓ ସଦର ଥାନା କେମ୍ପସଡା ଗ୍ରାମର ଋଷିନାଥ ମହାନ୍ତ ମିଶି ଗତ ୨୭ ତାରିଖ ଦିନ ଘରୁ ଯାଇଥିଲେ। ୩୧ ତାରିଖ ଜଳଲାଗି କରିବା ପରେ ୧ ତାରିଖ ଫେରିବା ଯୋଜନା ରହିଥିଲା।

୩୧ ତାରିଖ ରାତିରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ଅଟକି ରହିଥିଲେ। ସୋନପ୍ରୟାଗ ଓ ଗୌରୀକୁଣ୍ଡ ମଧ୍ୟରେ ଅବସ୍ଥିତ ରାଜପଥ ଧୋଇ ନେବା ସହିତ ଭୀମତାଲ ଟ୍ରେକ ଲାଇନରେ ଭୂସ୍ଖଳନ ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। କେଦାରନାଥରେ ୪ ଦିନ ଅଟକିବା ପରେ ଖାଇବା ପିଇବା ରହିବା ଓ ଶ୍ବାସ କ୍ରିୟାରେ ସମସ୍ୟାରେ ପଡ଼ିଥିଲେ। ଗଣମାଧ୍ୟମରେ ଖବର ପ୍ରକାଶ ପରେ ରାଜ୍ୟ ସରକାର ଓ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର ପାଇଁ ଉଦ୍ୟମ ହୋଇଥିଲା। ବର୍ତ୍ତମାନ ସୁରକ୍ଷିତ ଅବସ୍ଥାରେ ଘରକୁ ଫେରୁଛନ୍ତି ।