ବିବାହ ବନ୍ଧନରେ ଆବଦ୍ଧ ହେବେ କି କ୍ୟାଟ୍ରିନା- ଭିକି? ଡିସେମ୍ବରରେ ବିବାହ ନେଇ ଚର୍ଚ୍ଚା ।

157

କନକ ବ୍ୟୁରୋ: ବିବାହ କରିବାକୁ ଯାଉଛନ୍ତି ବଲିଉଡର ବର୍ତ୍ତମାନର ସବୁଠାରୁ ଚର୍ଚ୍ଚିତ ଯୋଡି ଭିକି କୌଶଲ ଓ କ୍ୟାଟ୍ରିନା କୈଫ । ଆଉ ରାଜସ୍ଥାନରେ ହେବ ଏମାନଙ୍କ ଡେଷ୍ଟିନେସନ୍ ୱେଡିଂ । ଏଭଳି ଖବର ଏବେ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ସାଉଁଟିଛି । ଖବର ମିଳିଛି କେବଳ କିଛି ଅନ୍ତରଙ୍ଗ ବନ୍ଧୁ ଓ ପରିବାର ଲୋକ ହିଁ ଏହି ବିବାହରେ ସାମିଲ ହେବେ ।

ତେବେ ଖୁବଶୀଘ୍ର ହାତରୁ ଦୁଇ ହାତ ହେବାକୁ ଯାଉଛନ୍ତି ଭିକି କୌଶଲ ଓ କ୍ୟାଟ୍ରିନା କୈଫ । ଭିକି ଓ କ୍ୟାଟ୍ରିନାଙ୍କ ବିବାହ ଖବର ନେଇ ଏବେ ଉଠୁଛି ପଡୁଛି ମାୟାନଗରୀ । ସୋସିଆଲ ମିଡିଆରେ ବି ଢେର ଚର୍ଚ୍ଚା । ଡିସେମ୍ବର ୭ ରୁ ୯ ତାରିଖ ଭିତରେ ବିବାହ ବନ୍ଧନରେ ଆବଦ୍ଧ ହୋଇ ପାରନ୍ତି ଏହି ଯୋଡି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରାଜସ୍ଥାନରେ ଡେଷ୍ଟିନେସନ ୱେଡିଂ କରି ପାରନ୍ତି ଏମାନେ । ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ଭିକି ଓ କ୍ୟାଟଙ୍କ ପାଇଁ ବିବାହ ଡ୍ରେସ ଡିଜାଇନ କରିବେ ।

ରାଜସ୍ଥାନରେ ଭବ୍ୟ ଆୟୋଜନ ସହ ଉଭୟ ବିବାହ କରିପାରନ୍ତି । ତେବେ କ୍ୟାଟ୍ରିନା କୈଫ୍ ଏହାକୁ ଉଡା ଖବର ବୋଲି କହିଛନ୍ତି । ଗତ କିଛିଦିନ ହେବ କ୍ୟାଟ୍ରିନା ଓ ଭିକିଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇ ଆସୁଛି । ଦୁହେଁ ଲୁଚା ଛପା ଏନଗଜେମେଣ୍ଟ କରି ସାରିଥିବା ମଧ୍ୟ ଶୁଣିବାକୁ ମିଳୁଛି । ଦୁଇଜଣଙ୍କୁ ପ୍ରାୟ ସବୁ ପାର୍ଟି ଫଙ୍କସନରେ ଏକାଠି ଦେଖିବାକୁ ମିଳୁଛି । ଯାହା ଏ ଅନୁମାନକୁ ବେଶ ଖୋରାକ ଯୋଗାଉଛି । ନିକଟରେ ଭିକିଙ୍କର ସରଦାର ଉଦ୍ଧମ ସିଂ ରିଲିଜ ହୋଇଛି ଯେଉଁଥିରେ ଭିକିଙ୍କର ଦମଦାର ଅଭିନୟର ଝଲକ ଦେଖିବାକୁ ମିଳିଛି । ସେହିପରି ଆଗକୁ କ୍ୟାଟ୍ରିନାଙ୍କ ଅଭିନିତ ସୂର୍ଯ୍ୟବଂଶୀ ରିଲିଜ ହେବାର ଅଛି । ତେବେ ଦେଖିବାକୁ ବାକି ରହିଲା ଉଭୟଙ୍କ ବିବାହ ଖବର ଗୁଜବ ନାଁ ସତ ହେଉଛି ।