କନକ ବ୍ୟୁରୋ : ବିଶିଷ୍ଟ କଥକ ନୃତ୍ୟଗୁରୁ ପଣ୍ଡିତ ବିରଜୁ ମହାରାଜଙ୍କର ପରଲୋକ ହୋଇଛି । ୮୩ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ଦିଲ୍ଲୀ ସ୍ଥିତ ବାସଭବନରେ ସେ ଆଖିବୁଜିଥିବା ତାଙ୍କ ନାତି ସ୍ୱରାନ୍ସ ମିଶ୍ରା ଟ୍ୱିଟ କରି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ପଣ୍ଡିତ ବିରଜୁ ମହାରାଜ ୧୬ ତାରିଖ ରାତିରେ ନିଜର ନାତି ସହିତ ଖେଳୁଥିବା ବେଳେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ । ଏହାପରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ । ସଙ୍ଗେସଙ୍ଗେ ତାଙ୍କୁ ଦିଲ୍ଲୀର ସାକେତ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । କିଛିଦିନ ଆଗରୁ ପଣ୍ଡିତ ବିରଜୁ ମହାରାଜ କିଡନି ରୋଗରେ ପୀଡ଼ିତ ହୋଇଥିଲେ ଏବଂ ତାଙ୍କର ଡାଇଲିସିସ୍ କରାଯାଉଥିଲା ।

Advertisment

ବିରଜୁ ମହାରାଜଙ୍କ ପ୍ରକୃତ ନାମ ହେଉଛି ବୃଜମୋହନ ମିଶ୍ର । ୪ ଫେବୃୟାରୀ ୧୯୩୮ରେ ଲକ୍ଷ୍ନୌରେ ଜନ୍ମ ଗ୍ରହଣ କରିଥିଲେ । କଥକ ନୃତ୍ୟ ପାଇଁ ପଦ୍ମବିଭୂଷଣ ସମେତ ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଏକ ଖାନଦାନୀ କଥକ ନୃତ୍ୟଶିଳ୍ପୀ ପରିବାରରେ ଜନ୍ମିତ ବିରଜୁ ମହାରାଜ ପିଲାଟି ଦିନରୁ ନିଜର ପିତା ଜଗନ୍ନାଥ ମହାରାଜଙ୍କ ଠାରୁ ନୃତ୍ୟଶିକ୍ଷା ଆରମ୍ଭ କରିଥିଲେ । ମାତ୍ର ୧୩ ବର୍ଷ ବୟସରେ ସେ ମଂଚରେ ନୃତ୍ୟ ପରିବେଷଣ ଆରମ୍ଭ କରିଥିଲେ । ୧୯୪୭ ମସିହାରେ  ତାଙ୍କର ବାପାଙ୍କର ପରଲୋକ ହେବା ପରେ ନିଜର ଦୁଇ ଦାଦା ତଥା ଲକ୍ଷ୍ନୌ ଘରାନାର ପ୍ରସିଦ୍ଧ ନୃତ୍ୟଗୁରୁ ଲଚ୍ଛୁ ମହାରାଜ ଓ ଶମ୍ଭୁ ମହାରାଜଙ୍କ ଠାରୁ ନୃତ୍ୟର ଉଚ୍ଚତର ଶିକ୍ଷା ଗ୍ରହଣ କରିଥିଲେ । ନୃତ୍ୟ କ୍ଷେତ୍ରରେ ସକ୍ରିୟ ହେବା ପରେ ବିରଜୁ ମହାରାଜ ବେଶ ଲୋକପ୍ରିୟ ହୋଇଉଠିଥିଲେ । ଯୁବାବସ୍ଥାରେ ହିଁ ସେ ନିଜକୁ ଜଣେ ଅପ୍ରତିଦ୍ବନ୍ଦ୍ବୀ ଶିଳ୍ପୀ ତଥା ଗୁରୁ ଭାବେ ପ୍ରତିପାଦିତ କରିଥିଲେ । ଦେଶ-ବିଦେଶରେ ପଣ୍ଡିତ ବିରଜୁ ମହାରାଜଙ୍କର ବହୁ ଶିଷ୍ୟଶିଷ୍ୟା ରହିଛନ୍ତି ।

୧୯୮୪ ମସିହାରେ ବିରଜୁ ମହାରାଜଙ୍କୁ ସଂଗୀତ ଏକାଡେମି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯୮୬ ମସିହାରେ ତାଙ୍କୁ ‘ପଦ୍ମ ବିଭୂଷଣ’ ଉପାଧିରେ ଭୂଷିତ କରାଯାଇଥିଲା । ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ଓ ଇନ୍ଦିରା କଳା ସଂଗୀତ ବିଶ୍ବବିଦ୍ୟାଳୟ ତାଙ୍କୁ ସମ୍ମାନସୂଚନ ଡକ୍ଟରେଟ୍ ପ୍ରଦାନ କରିଥିଲେ । ଏଥିସହ ସ୍ବକୀୟ ପ୍ରତିଭା ଲାଗି ସେ ବହୁ ଭାବେ ପୁରସ୍କୃତ ଓ ସମ୍ମାନିତ ହୋଇଥିଲେ । ଭାରତୀୟ ସିନେ-ଜଗତ ସହ ମଧ୍ୟ ପଣ୍ଡିତ ମହାରାଜଙ୍କର ସଂପର୍କ ରହିଥିଲା । ସେ ବହୁ ଚଳଚ୍ଚିତ୍ରରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ। ସେ ୨୦୧୨ରେ ‘ଉନ୍ନାନି କାନାଥୁ’ ଚଳଚ୍ଚିତ୍ରରେ ନୃତ୍ୟ ନିର୍ଦ୍ଦେଶନା ଲାଗି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ୨୦୧୬ରେ ‘ବାଜିରାଓ ମସ୍ତାନି’ ଚଳଚ୍ଚିତ୍ରର ‘ମୋହେ ରଙ୍ଗ ଦୋ ଲାଲ୍…’ ଗୀତର ନୃତ୍ୟ ସଂଯୋଜନା ଲାଗି ତାଙ୍କୁ ଫିଲ୍ମ ଫେୟାର ସମ୍ମାନ ପ୍ରଦାନ କରାଯାଇଥିଲା । ପଣ୍ଡିତ ବିରଜୁ ମହାରାଜଙ୍କ ବିୟୋଗରେ ଭାରତୀୟ କଳା ଜଗତରେ ଶୋକର ଛାୟା ଖେଳିଯାଇଛି ।