କାହିଁକି ନଦୀକୁ ଡେଇଁଲେ ଦେବବ୍ରତ ? ଘନଘନ ଚାଲିଛି ସର୍ଚ୍ଚ ଅପରେସନ୍, ହେଲେ ମିଳୁନି କାଠଯୋଡିରେ ନିଖୋଜ ଯୁବକଙ୍କ ପତ୍ତା ।

1,437

କନକ ବ୍ୟୁରୋ : କାଠଯୋଡି ବ୍ରିଜ୍ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ନିଆଳିର ଦେବବ୍ରତ ମହାପାତ୍ରଙ୍କ କୌଣସି ଖୋଜଖବର ମିଳୁନାହିଁ । ଆଜି ବି କାଠଯୋଡିରେ ରେସକ୍ୟୁ ଅପରେସନ କରାଯାଇଥିବା ବେଳେ ଉଦ୍ଧାରକାରୀ ଦଳ ନଦୀ ଭିତରୁ କିଛି ବି ପାଇନାହାନ୍ତି । ସେପଟେ ଦେବବ୍ରତ ଏବଂ ତାଙ୍କ ପତ୍ନୀଙ୍କ ଭିତରେ ଦୀର୍ଘଦିନ ହେଲା କଳି ଲାଗିରହିଥିଲା ଏବଂ ଏଥିରେ ଅତିଷ୍ଠ ହୋଇ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ପରିବାରଲୋକେ ଅଭିଯୋଗ କରିଛନ୍ତି ।

ଯାଜପୁରରୁ ନିଆଳି ଆଡକୁ ବାଇକ୍ ଆଗେଇ ଚାଲିଥିଲା ଆଉ ବାଇକ୍ ଉପରେ ବଢି ଚାଲିଥିଲା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି । ୭୦ କିମି ଯାତ୍ରା ଭିତରେ ସ୍ୱାମୀ-ସ୍ତ୍ରୀଙ୍କ ତୁତୁ ମେମେ ଏତେ ବଢିଯାଇଥିଲା ଯେ, ଅତିଷ୍ଠ ହୋଇ ଦେବବ୍ରତ ଶେଷରେ କାଠଯୋଡି ବ୍ରିଜ୍ ଉପରେ ବାଇକ ରଖି ସ୍ତ୍ରୀ ଓ ୪ ବର୍ଷର ପୁଅ ସାମ୍ନାରେ ନଦୀକୁ ଡେଇଁପଡିଥିଲେ । ଦେବବ୍ରତଙ୍କ ଆତ୍ମହତ୍ୟା ଉଦ୍ୟମ ପଛରେ କିଛି ଏମିତି କାହାଣୀ ସାମ୍ନାକୁ ଆସିଛି । ଆଉ ଏଥିପାଇଁ ସ୍ତ୍ରୀ ଓ ଶ୍ୱଶୁର ଘର ଦାୟୀ ବୋଲି ଅଭିଯୋଗ କରିଛନ୍ତି ଦେବବ୍ରତଙ୍କ ପରିବାର ।

ତେବେ ପ୍ରଶ୍ନ ଉଠୁଛି, କାହିଁକି ନଦୀକୁ ଡେଇଁଲେ ଦେବବ୍ରତ ? ଦୁଇ ପରିବାରର ଦୁଇଟି ମତ । ଗୋଟିଏ ପଟେ ଶ୍ୱଶୁର ଘର ଉପରେ ଦେବବ୍ରତଙ୍କ ପରିବାର ଅଭିଯୋଗ ଆଣୁଥିବା ବେଳେ ଦେବବ୍ରତଙ୍କ ଶଳା କହିଛନ୍ତି, ତାଙ୍କ ଭଉଣୀ ଓ ଭିଣୋଇ ମଧ୍ୟରେ କିଛି ବି କଳି ନଥିଲା । ବରଂ ଭିଣୋଇ ଦେବବ୍ରତ ସିଜୋଫିନିଆ ରୋଗରେ ପୀଡିତ ଥିଲେ । ଏବଂ ପୂର୍ବରୁ ମଧ୍ୟ ଥରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ମିଳୁନି ଦେବବ୍ରତଙ୍କ ପତ୍ତା । କାଠଯୋଡିରେ ଚାଲିଲା ଉଦ୍ଧାରକାର୍ଯ୍ୟ । ଦ୍ୱିତୀୟ ଦିନ ପାଇଁ କାଠଯୋଡିରେ ଦେବବ୍ରତଙ୍କୁ ଖୋଜିବାକୁ ସକାଳୁ ଅପରେସନ ଆରମ୍ଭ ହୋଇଥିଲା । ପାୱାର ବୋଟରେ ଓଡ୍ରାଫ୍ ଏବଂ ଅଗ୍ନିଶମ ଟିମ୍ ଗଭୀର ଜଳରେ ଦିନ ତମାମ ଖୋଜାଖୋଜି କରିଥିଲେ । ତେବେ ଦେବବ୍ରତଙ୍କ ପତା ମିଳିପାରିନାହିଁ । ଗୋଟିଏ ପଟେ କାଠଯୋଡିରେ ଦେବବ୍ରତଙ୍କୁ ଖୋଜା ଯାଉଥିବା ବେଳେ ପୁଅକୁ ହରାଇ ପୁରା ପରିବାର ଭାଂଗି ପଡିଛନ୍ତି । ସେପଟେ ଦେବବ୍ରତଙ୍କ ସ୍ତ୍ରୀଙ୍କୁ ପଚରାଉଚରା କରିଛି ପୋଲିସ ।