କନକ ବ୍ୟୁରୋ : ୨୦୨୩ ପାଇଁ ନୋବେଲ ପୁରସ୍କାର ଘୋଷଣା ସୋମବାର ଦିନ ହୋଇଛି । ଏହି କ୍ରମରେ ଆଜି ଫିଜିଓଲୋଜୀ ବା ମେଡିସିନ କ୍ଷେତ୍ର ପାଇଁ ଏହି ସମ୍ମାନ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଚଳିତବର୍ଷ କାଟଲିନ୍ କାରିକୋ ଓ ଡ୍ରିୱ ୱାଇଜମ୍ୟାନଙ୍କୁ ଚିକିତ୍ସା ବିଜ୍ଞାନରେ ଅଦ୍ଭୁଦ ଆବିଷ୍କାର ପାଇଁ ଏହି ସମ୍ମାନ ମିଳିଛି । ନ୍ୟୁକ୍ଲିଓସାଇଡ ବେସ୍ ସଂଶୋଧନ ସମ୍ବନ୍ଧୀୟ ଆବିସ୍କାର ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି । ଏହି ଆବିଷ୍କାର କରୋନା ଭୂତାଣୁ ଅର୍ଥାତ କୋଭିଡ-୧୯ ବିରୋଧରେ ପ୍ରଭାବଶାଳୀ ଏମଆରଏନଏ ଟିକା ବିକଶିତ କରିବାରେ ସହାୟକ ହୋଇଥିଲା ନୋବେଲ କମିଟି ସଂପାଦକ ଥୋମାସ ପର୍ଲମ୍ୟାନ କୋରୋଲିନସ୍କା ଇନଷ୍ଟିଚ୍ୟୁଟରେ ବିଜେତାଙ୍କ ନାମ ଘୋଷଣା କରିଛନ୍ତି ।

Advertisment

ଗତବର୍ଷ ଏହି ପୁରସ୍କାର ସ୍ୱିଡେନର ସ୍ୱାଣ୍ଟେ ପାବୋଙ୍କୁ ଫିଜିଓଲୋଜୀ ଓ ମେଡିସିନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ତାଙ୍କୁ ବିଲୁପ୍ତ ହୋମିନନର ଜେନେଟିକ୍ସ ଏବଂ ମାନବ ବିବର୍ତ୍ତନ ସମ୍ବନ୍ଧୀୟ ଆବିଷ୍କାର  ପାଇଁ ଏହି ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ସେହିଭଳି ୨୦୨୧ରେ ଡେଭିଡ୍ ଜୁଲିୟସ ଏବଂ ଆର୍ଡେନ ପାଟମିଟିୟମଙ୍କୁ ମେଡିସିନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ଶରୀରର ତାପମାତ୍ରା, ଚାପ ଏବଂ ଯନ୍ତ୍ରଣା ପ୍ରଦାନ କରୁଥିବା ରିସେପ୍ଟର ଆବିଷ୍କାର କରିଥିବାରୁ ଏହି ଦୁଇ ଗବେଷକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଉଭୟ ନୋବେଲ ବିଜେତା ଆମେରିକୀୟ ଥିଲେ ।

ମେଡିସିନରେ ନୋବେଲ ପୁରସ୍କାର ସହ ନୋବେଲ ପୁରସ୍କାର ଘୋଷଣା ଆରମ୍ଭ ହୋଇଛି । ଏହି କ୍ରମରେ ମଙ୍ଗଳବାର ଦନ ପଦାର୍ଥ ବିଜ୍ଞାନ, ବୁଧବାର ରସାୟନ ବିଜ୍ଞାନ ଓ ଗୁରୁବାର ସାହିତ୍ୟ ବିଭାଗ ପାଇଁ ପୁରସ୍କାର ଘୋଷଣା କରାଯିବ । ଶୁକ୍ରବାର ଦନ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯିବା ସହ ଅକ୍ଟୋବର ୯ ତାରିଖରେ ଅର୍ଥନୀତିରେ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯିବ ।

ଏହି ପୁରସ୍କାର ବିଜେତାଙ୍କୁ ୧୧ ନିୟୁତ ସୁଇଡିସ କ୍ରୋନର ଅର୍ଥାତ ୧ ନିୟୁତ ଆମେରିକୀୟ ଡଲାର ନଗଦ ରାଶି ପ୍ରଦାନ କରାଯିବ । ଏହି ପୁରସ୍କାରର ପ୍ରତିଷ୍ଠାତା ତଥା ସ୍ୱିଇଡସ୍ ଆବିସ୍କାରକ ଆଲଫ୍ରେଡ ନୋବେଲ ଛାଡି ଯାଇଥିବା ସମ୍ପତ୍ତିରୁ ପ୍ରାଦନ କରାଯାଇଥାଏ । ତାଙ୍କର ୧୮୯୬ ମସିହାରେ ପରଲୋକ ହୋଇଥିଲା ।