‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସଂପାଦକ ଦାୟିତ୍ୱ ନେଲେ କସ୍ତୁରୀ ମହାପାତ୍ର, ଲେନିନ୍ ମହାନ୍ତିଙ୍କୁ ବିଦାୟୀ ସମ୍ବର୍ଦ୍ଧନା

‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସଂପାଦକ ଦାୟିତ୍ୱ ନେଲେ କସ୍ତୁରୀ ମହାପାତ୍ର, ଲେନିନ୍ ମହାନ୍ତିଙ୍କୁ ବିଦାୟୀ ସମ୍ବର୍ଦ୍ଧନା

କନକ ବ୍ୟୁରୋ : ଓଡିଶା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପ୍ରକାଶ ପାଉଥିବା ରାଜ୍ୟ ସରକାରଙ୍କ ମୁଖପତ୍ର ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡିଶା ରିଭ୍ୟୁ’ ର ସଂପାଦକ ଭାବେ କସ୍ତୁରୀ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ କସ୍ତୁରୀ ମହାପାତ୍ର ବିଭାଗର ପ୍ରକାଶନ ଓ ରଚନା ଶାଖାର ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ମତ ବିନିମୟ କରିଥିଲେ । ଏହାସହ ଉଭୟ ପତ୍ରିକାର ଅଭିବୃଦ୍ଧି ନେଇ ସେମାନଙ୍କ ସହଯୋଗ ଅବ୍ୟାହତ ରହିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଉଭୟ ପତ୍ରିକାର ଗୁଣାତ୍ମକ ମାନ ବଜାୟ ରହିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
ଅନୁରୂପ ଭାବେ, ପୂର୍ବତନ ସଂପାଦକ ଡ. ଲେନିନ୍ ମହାନ୍ତି ଓଡିଶା ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବାରୁ ତାଙ୍କୁ ମଧ୍ୟ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି । ୨୦୧୦ ମସିହାରୁ ଲେନିନ୍ ମହାନ୍ତି ଏହି ଦୁଇଟି ପତ୍ରିକାର ସଂପାଦକ ଭାବେ କାର୍ଯ୍ୟ କରିବା ସହ ବିଭାଗ ଆନୁକୂଲ୍ୟରେ ଏକାଧିକ ପ୍ରକାଶନର ସଫଳ ସଂପାଦନା କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ।

ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ ନବ ନିଯୁକ୍ତ ସଂପାଦକ କସ୍ତୁରୀ ମହାପାତ୍ରଙ୍କୁ ସ୍ୱାଗତ ଜଣାଇଥିଲେ । ଏହାସହ ଡ. ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେପଟେ ବିଭାଗର ଅଧିକାରୀ ତଥା କର୍ମଚାରୀ ତାଙ୍କୁ ସବୁ ସମୟରେ ସହଯୋଗ କରିଥିବାରୁ ଡ. ମହାନ୍ତି କୃତଜ୍ଞତା ଜ୍ଞାପନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀଙ୍କ ସମେତ ଯୁଗ୍ମ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ସଂପାଦକ ଗୁରବୀର ସିଂ, ଉପ ନିର୍ଦ୍ଦେଶକ ସ୍ମିତା କର ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe