ପାର୍ବଣର ଆଗମନ ପୂର୍ବରୁ ସଜେଇ ହେଲାଣି ପ୍ରକୃତିରାଣୀ । ବିଲଠାରୁ ନଦୀ ପଠା ସବୁଆଡେ ଶୋଭାପାଉଛି କାଶତଣ୍ଡୀ

167

କନକ ବ୍ୟୁରୋ : ପାର୍ବଣକୁ ସ୍ୱାଗତ କରିବା ପାଇଁ ସଜେଇ ହୋଇ ଗଲାଣି ପ୍ରକୃତିରାଣୀ । ବିଲଠାରୁ ପାଟ, ଜଳାଶୟ ଠାରୁ ଆରମ୍ଭ କରି ନଦୀ ପଠା ସବୁଠାରେ ଏବେ ଖିଲିଖିଲି ହସୁଛି ଧୋବ ଫର ଫର କାଶତଣ୍ଡୀ । ସତେ ଯେମିତି ଆଶ୍ୱିନର ନିର୍ମଳ ନୀଳ ଆକାଶ ତଳେ , ଧଳା ରଙ୍ଗର ଶାଢୀ ପରିଧାନ କରିଛି ଧରଣୀ ରାଣି । ବର୍ତମାନ ରାଶି ରାଶି କାଶତଣ୍ଡୀର ମାଳା ଦର୍ଶକଙ୍କୁ ବିଭୋର କରୁଛି । କଟକ ଜିଲ୍ଲା ନିଆଳି ଅଂଚଳରେ ଏବେ କାଶତଣ୍ଡୀର ମେଳା ସୃଷ୍ଟି କରିଛି ଅପରୂପ ଶୋଭା ରାଜି ।

ପାଖେଇ ଆସୁଛି ମାଆ ଦୁର୍ଗାଙ୍କ ପୂଜା । ଆଉ ଦୁର୍ଗା ପୂଜା ସହିତ ବେଶ୍ ଜମିବ ପାର୍ବଣଋତୁ । ଆଉ ମାଆଙ୍କୁ ଧରାପୃଷ୍ଠକୁ ସ୍ୱାଗତ କରିବାକୁ ଏବେ କାଶତଣ୍ଡୀ ଏପରି ପସରା ମେଲାଇ ଦେଇଛି । କାଶତଣ୍ଡୀର ଏପରି ସୌନ୍ଦର୍ଯ୍ୟରେ କବି ଓ ଲେଖକ ହୋଇଛନ୍ତି ଆନମନା । ଲେଖି ବସୁଛନ୍ତି ଅନେକ କବିତା ଓ ସାହିତ୍ୟ । ମହାମାରୀ କରୋନା ସମସ୍ତଙ୍କ ମନରୁ ଖୁସି ଛଡାଇ ନେଇଥିବା ବେଳେ, କାଶତଣ୍ଡୀ ଦେଖଣାହାରିଙ୍କ ମନରେ ଚେନାଏ ହସ ଆଣିଦେଇଛି।