ନଇ ପଠାରେ ଶୋଭାପାଉଛି କାଶତଣ୍ଡୀ । ପାର୍ବଣର ମିଳିଲାନି ସଂକେତ, ଆଶ୍ୱିନ ମାସରେ ନିର୍ମଳ ଆକାଶକୁ କାଶତଣ୍ଡୀର ଧବଳ ରୂପ ଅପରୂପ ଶୋଭା ବିମଣ୍ଡିତ କରୁଛି

215

କନକ ବ୍ୟୁରୋ : ପାର୍ବଣକୁ ପାଛୋଟି ନେବାକୁ ଧରାପୃଷ୍ଠକୁ ଓହ୍ଲାଇ ଆସିଛି କାଶତଣ୍ଡୀ । ପଦୀ ପଠାଠାରୁ ଆରମ୍ଭ କରି ଜଳାଶୟର ନିକଟ, କ୍ଷେତରୁ ଆରମ୍ଭ କରି ରସ୍ତାର ପାଶ୍ୱବର୍ତି ଅଂଚଳ, ସବୁଠାରେ ଏବେ ଦେଖିବାକୁ ମିଳିଛି କାଶତଣ୍ଡୀର ବିସ୍ତିର୍ଣ୍ଣ ଗାଲିଚା । ଆଶ୍ୱିନ ମାସରେ ନିର୍ମଳ ଆକାଶକୁ କାଶତଣ୍ଡୀର ଧବଳ ରୂପ ଅପରୂପ ଶୋଭା ବିମଣ୍ଡିତ କରୁଛି ।

ଗୁଣପୁରରେ ଏବେ କାଶତଣ୍ଡୀ ଅପରୂପ ଶୋଭା ଧାରଣ କରିଛି ବଂଶଧାରା ନଦୀ କୂଳରେ । ସୁଲୁ ସୁଲୁ ହୋଇ ପବନ ବହିଲେ ନଦୀ ପଠାରେ ବିସ୍ତୀର୍ଣ୍ଣ ଅଂଚଳରେ ଧବଳ ଚାଦର ବିଛାଇ ଦେଇଥିବା କାଶତଣ୍ଡୀ ଖିଲି ଖିଲି ହୋଇ ହସି ଉଠିବା ପରି ଲାଗୁଛି ।

ରାସ୍ତାରେ ଯିବା ବେଳେ ଦେଖଣାହାରି ଘଡିଏ ଅଟକି ଏହାର ଶୋଭାରାଜି ଦେଖିବାକୁ ଅଟକିଯିବ ନିଶ୍ଚୟ । କେବଳ ସେତିକି ନୁହଁ କବି ଓ ଲେଖକ ବି ଏହାର ଶୋଭାକୁ ଦେଖି ହୁଅନ୍ତି ଆନମନା । ଲେଖି ବସନ୍ତି କେତେ କବିତା ଓ କେତେ ଗପ । ଏବେ ବଂଶଧାରା ନଦୀ ପଠାର ଏହି କାଶତଣ୍ଡୀର ପସରା ଦେଖିବାକୁ ପ୍ରତ୍ୟକ ଦିନ ଲୋକଙ୍କ ଭିଡ ଛୁଟୁଛି । କାଶତଣ୍ଡୀର ମେଳରେ ସେଲଫି ନେବାକୁ ଭୁଲୁନାହାନ୍ତି ଲୋକେ ।