ରାଞ୍ଚିରେ ୪ କାଶ୍ମୀର ଯୁବକଙ୍କୁ ମାଡ, ସହର ଛାଡିବାକୁ ଧମକ ଦେବାସହ ବାଧ୍ୟକରି କୁହାଇଲେ ପାକିସ୍ତାନ ମୁର୍ଦ୍ଦାବାଦ

90

କନକ ବ୍ୟୁରୋ : ରାଞ୍ଚିର ଡୋରଣ୍ଡା ଥାନା ଅଞ୍ଚଳରେ ୪ ଜଣ କାଶ୍ମୀର ଯୁବକଙ୍କ ଉପରେ ମାଡ ହୋଇଥିବା ଖବର ଏବେ ଚର୍ଚ୍ଚାରେ ରହିଛି । କୁହାଯାଇଛି କି ଅସ୍ତ୍ର ଶସ୍ତ୍ର ସହ କିଛି ସ୍ଥାନୀୟ ଲୋକ ୪ ଜଣ କାଶ୍ମୀର ଯୁବକଙ୍କୁ ମାଡ ମାରିବା ସହ ପାକିସ୍ତାନ ମୁର୍ଦ୍ଦାବାଦ ନାରା ଲଗାଇବାକୁ ବାଧ୍ୟକରିଥିଲେ । ଏହି ଘଟଣାକୁ ନେଇ ପୋଲିସ ମାମଲା ରୁଜୁ କରିଛି । ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ଚେଷ୍ଟା କରୁଥିବା ବେଳେ ୪ ଜଣ କାଶ୍ମୀର ଯୁବକ ଏବେ ଭୟରେ ରହିଛନ୍ତି ।

ସୂଚନା ମୁତାବକ ରାଞ୍ଚିର ହାତୀଖାନାରେ ରହୁଥିବା ୪ ଜଣ କାଶ୍ମୀର ଯୁବକଙ୍କ ସହ ସ୍ଥାନୀୟ ଲୋକ ମାରପିଟ୍ କରିଥିଲେ । ଏହାସହ ସେମାନଙ୍କୁ ତୁରନ୍ତ ସହର ଛାଡିବାକୁ ଧମକ ଦେବା ସହ ବାଧ୍ୟକରି ପାକିସ୍ତାନ ମୁର୍ଦ୍ଦାବାଦ ନାରା ଲଗାଇଥିଲେ । ଏହି ଘଟଣା ପରେ ଯୁବକମାନେ ଭୟଭିତ ହୋଇ ପୋଲିସର ଆଶ୍ରୟ ନେଇଛନ୍ତି ।

ଯୁବକମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୀଡିତ ବିଲାଲ ଅହମ୍ମଦ କହିଛନ୍ତି କି, ୨୦ ବର୍ଷଧରି ସେ ଡୋରଣ୍ଡାଅଞ୍ଚଳରେ ଘର ଭଡାନେଇ ରହୁଛନ୍ତି । ଏହାସହ ଶୀତଋତୁରେ କାଶ୍ମୀରରୁ ଲୁଗା ଆଣି ଏଠାରେ ବ୍ୟବସାୟ କରିଥାନ୍ତି । ହେଲେ କିଛିଦିନ ହେବ କିଛି ସ୍ଥାନୀୟ ଲୋକ ତାଙ୍କ ପ୍ରତି ଖରାପ ବ୍ୟବହାର କରୁଛନ୍ତି । ଏହାସହ ତାଙ୍କୁ ଧମକ ଦେଇ ଅନେକ ଥର ମାରପିଟ୍ କରିଛନ୍ତି ।

ପୀଡିତ ଯୁବକମାନେ ପୋଲିସକୁ କହିଛନ୍ତି କି ଗୁରୁବାର ଦିନ ସୋନୁ ନାମକ ଜଣେ ଯୁବକ ଅସ୍ତ୍ରଶସ୍ତ୍ର ସହ ତାଙ୍କ ଉପରେ ଆକ୍ରମଣ କରିଥିଲା । ଏହାସହ ତାଙ୍କୁ ପାକିସ୍ତାନ ମୁର୍ଦ୍ଦାବାଦ ନାରା ଲଗାଇବାକୁ ବାଧ୍ୟ କରିଥିଲା । ଅନ୍ୟପଟେ ଏଭଳି ଘଟଣାରେ କିଛି ସ୍ଥାନୀୟ ଲୋକ ତାଙ୍କୁ ସୋନୁ ଠାରୁ ରକ୍ଷା କରିଥିବା କଥା ବି ପୀଡିତ ଯୁବକମାନେ କହିଛନ୍ତି । ଥାନା ପ୍ରଭାରୀ ରମେଶ କୁମାର ସିଂ କହିଛନ୍ତି କି କାଶ୍ମୀର ଯୁବକଙ୍କ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ପ୍ରୟାସ କରୁଛି ।