ପାକିସ୍ତାନ ଠାରୁ ଭାରତ ହାରିବା ପରେ ଖୁସିରେ ଝୁମିଲେ କାଶ୍ମୀର ଛାତ୍ର, ହ୍ୱାଟସଆପରେ ରଖିଲେ ଷ୍ଟାଟସ । ୩ ଛାତ୍ରଙ୍କୁ କଲେଜରୁ ବିଦା କଲେ କର୍ତ୍ତୃପକ୍ଷ ।

541

କନକ ବ୍ୟୁରୋ : ଉତ୍ତରପ୍ରଦେଶର ଆଗ୍ରାରେ ୩ କାଶ୍ମୀର ଛାତ୍ରଙ୍କୁ କଲେଜରୁ ବିଦା କରାଯାଇଛି । ଆଉ ଏହି ୩ ଛାତ୍ରଙ୍କୁ କଲେଜରୁ ବିଦା କରିବା ପଛର ବଡ କାରଣ ହେଲା ଭାରତ-ପାକିସ୍ତାନ ମ୍ୟାଚ୍ । ଟି-୨୦ ବିଶ୍ୱକପରେ ପାକିସ୍ତାନ ଠାରୁ ଭାରତ ପରାଜିତ ହେବା ପରେ ପାକିସ୍ତାନକୁ ପ୍ରଂଶସା କରି ଏଭଳି ଦଶା ଭୋଗିଛନ୍ତି ୩ ଛାତ୍ର । ଭାରତ ପରାଜିତ ହେବା ପରେ ପାକିସ୍ତାନର ପ୍ରଂଶସା କରି ହ୍ୱାଟସଆପରେ ଷ୍ଟାଟସ ରଖିଥିଲେ ୩ ଛାତ୍ର ।

ମିଳିଥିବା ସୂଚନା ମୁତାବକ, ବିଚପୁରୀରେ ଥିବା ବଲୱନ୍ତ ସିଂ ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ରହୁଥିବା ୩ ଛାତ୍ର ପାକିସ୍ତାନ ବିଜୟରେ ଖୁସି ମନାଇଥିଲେ । ହ୍ୱାଟସଆପରେ ଷ୍ଟାଟସ ରଖିଥିଲେ, ଆଉ ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ବିଜେପି ନେତାଙ୍କ ଏମାନଙ୍କ ବିରୋଧରେ ଜଗଦିଶାପୁର ଥାନାରେ ଏତଲା ଦାୟର କରିଥିଲେ । ଆଉ ଏତଲା ହେବା ପରେ ସ୍ଥାନୀୟ ଏସପି ବିକାଶ କୁମାର କହିଛନ୍ତି ୩ ଛାତ୍ରଙ୍କ ବିରୋଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅନ୍ୟପଟେ ପାକିସ୍ତାନକୁ ପ୍ରଂଶସା କରି ଷ୍ଟାଟସ ରଖିଥିବାରୁ କଲେଜ କର୍ତ୍ତୃପକ୍ଷ ମଧ୍ୟ ୩ ଛାତ୍ରଙ୍କୁ କଲେଜରେ ନିଲମ୍ବିତ କରିଛନ୍ତି । ୩ ଛାତ୍ର କେନ୍ଦ୍ର ସରକାରଙ୍କ ଯୋଜନା ଅଧିନରେ ଉକ୍ତ କଲେଜରେ ପାଠ ପଢୁଥିଲେ । ତେଣୁ ଏ ବାବଦରେ ପ୍ରଧାନମନ୍ତ୍ରୀ ଅଫିସ ଓ ଏଆଇସିଟିଇକୁ ଅବଗତ କରାଯାଇଛି । ତେବେ କଲେଜ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେବା ପରେ ୩ ଛାତ୍ର କ୍ଷମାପ୍ରାର୍ଥନା କରିଛନ୍ତି ।

ଏସବୁ ଭିତରେ ବିଜେପି ଯୁବ ମୋର୍ଚ୍ଚାର ସ୍ଥାନୀୟ ନେତା କହିଛନ୍ତି, ମଙ୍ଗଳବାର କିଛଇ ଛାତ୍ର କହିଥିଲେ ଯେ ଆରବିଏସ ଇଞ୍ଜିନିୟରିଂ କଲେଜରେ ୩ ଜଣ ଛାତ୍ର ପାକିସ୍ତାନର ବିଜୟ ପରେ ପାକିସ୍ତାନ ଜିନ୍ଦାବାଦ ନାରା ପକାଉଥିଲେ । ଆଉ ସୋସିଆଲ ମିଡ଼ିଆରେ ଏହି ପୋଷ୍ଟ ସେୟାର କରିଥିଲେ । ଯେଉଁ କାରଣରୁ ବିଜେପି ଯୁବା ମୋର୍ଚ୍ଚା କଲେଜ କ୍ୟାମ୍ପସରେ ପହଞ୍ଚିଥିଲା । କିନ୍ତୁ ସେତେବେଳକୁ ୩ ଜଣ ଛାତ୍ରଙ୍କୁ ସସପେଣ୍ଡ କରି ଦିଆଯାଇଥିଲା । ତେବେ ଦେଶ ବିରୋଧୀ ଗତିବିଧିରେ ସାମିଲ ଥିବା କାରଣରୁ ୩ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।