ପୁଣି ଅଶାନ୍ତ କାଶ୍ମୀର ଘାଟି: ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ, ଆତଙ୍କୀଙ୍କ ଗୁଳିରେ ଟଳି ପଡିଲେ କାଶ୍ମୀର ପଣ୍ଡିତ

117

କନକ ବ୍ୟୁରୋ: ଜମ୍ମୁ-କାଶ୍ମିରରେ ଆତଙ୍କରାଜ । ଶ୍ରୀନଗରର ଲାଲଚୌକ, ବାନ୍ଦିପରା ସହ ଏକାଧିକ ଅଂଚଳରେ ଆକ୍ରମଣ କରି ୩ ଜଣଙ୍କୁ ହତ୍ୟା କରିଛନ୍ତି ଆତଙ୍କୀ । ମୃତକଙ୍କ ମଧ୍ୟରେ ଦୁଇଜଣ ସ୍ଥାନୀୟ ବାସିନ୍ଧା ରହିଥିବା ବେଳେ ଅନ୍ୟଜଣେ ବିହାର ବାସିନ୍ଦା ଥିବା ପୋଲିସ ସ୍ପଷ୍ଟ କରିଛି । ତେବେ ଆତଙ୍କବାଦୀଙ୍କ ଗୁଳିରେ ୬୮ ବର୍ଷୀୟ କାଶ୍ମୀର ପଣ୍ଡିତ ମାଖନ ଲାଲ ବିନ୍ଦରୁ ପ୍ରାଣ ହରାଇଛନ୍ତି ।

ଘାଟିରେ ସେନାର ଲଗାତାର ସର୍ଚ୍ଚ ଅପରେସନ୍ ଭିତରେ ପୁଣି ମୁଣ୍ଡ ଟେକିଛି ଆତଙ୍କରାଜ । ଶ୍ରୀନଗରରେ ଆକ୍ରମଣ କରି ୩ ଜଣଙ୍କୁ ହତ୍ୟା କରିଛନ୍ତି ଆତଙ୍କୀ । ଆଉ ମୃତଙ୍କ ଭିତରେ ରହିଛନ୍ତି କାଶ୍ମୀର ପଣ୍ଡିତ ମାଖନ ଲାଲ ବିନ୍ଦରୁ । ଶ୍ରୀନଗରରେ ଭିନ୍ନ ଭିନ୍ନ ସ୍ଥାନରେ ଆଖିବୁଜା ଗୁଳିଚାଳନା କରି ସହରରେ ଆତଙ୍କ ଖେଳାଇବାକୁ ଚେଷ୍ଟା କରିଛନ୍ତି ଆତଙ୍କବାଦୀ ।

ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀନଗର ଲାଲଚୌକ, ଲାଲବଜାର ଓ ବାନ୍ଦିପୁରା ଅଂଚଳରେ ଫାୟାରିଂ କରି ତିନିଜଣଙ୍କୁ ହତ୍ୟା କରିଛନ୍ତି ଆତଙ୍କୀ । ତେବେ ଲାଲଚୌକରେ ଫାରମାସିଷ୍ଟ ତଥା କାଶ୍ମୀର ପଣ୍ଡିତ ମାଖନ ଲାଲଙ୍କ ହତ୍ୟାକୁ ନେଇ ଉତେଜନା ଦେଖିବାକୁ ମିଳିଛି । ଘଟଣାକୁ ନେଇ କାଶ୍ମିରୀ ପଣ୍ଡିତ ସଂଗଠନ ସମେତ ବିଭିନ୍ନ ରାଜନୈତିକ ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆତଙ୍କୀ କାର୍ଯ୍ୟକଳାପ ବିରୋଧରେ କଠୋର କାର୍ଯାନୁଷ୍ଠାନ ପାଇଁ ଏମାନେ ଦାବି କରିଛନ୍ତି । ମାଖନା ଲାଲଙ୍କ ଝିଅ ଡାକ୍ତର ଶ୍ରଦ୍ଧା ବିନ୍ଦରୁ କହିଛନ୍ତି ଆତଙ୍କବାଦୀ ମାନେ କେବଳ ଆତଙ୍କ ଖେଳାଇବା ଜାଣିଛନ୍ତି । ସାମ୍ନାକୁ ଆସିକି ଯୁକ୍ତି କରିବାର ତାଙ୍କର ସାହସ ନାହିଁ ।

ମଙ୍ଗଳବାର ସନ୍ଧ୍ୟାରେ ପରିସ୍ଥିତି ସ୍ୱଭାବିକ ରହିଥିବା ବେଳେ ଲାଲଚୌକ ଛକରେ ଅଚାନକ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଫଳରେ ଘଟଣାସ୍ଥଳରେ ଟଳି ପଡିଥିଲେ କାଶ୍ମିରୀ ପଣ୍ଡିତ ମାଖନ ଲାଲ ବିନ୍ଦରୁ । ସେହିପରି ଲାଲବଜାର ଓ ବାନ୍ଦିପୁରା ଆତଙ୍କବାଦୀମାନେ ଅନ୍ୟ  ୨ ଜଣଙ୍କୁ ହତ୍ୟା କରିଥିଲେ ।