ଟାର୍ଗେଟ୍ କିଲିଂକୁ ନେଇ ଆକ୍ସନମୋଡରେ ସରକାର, ଘାଟିରୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି ହେଲେ ୧୭୭ ଶିକ୍ଷକ

290

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ଏବେ ଟାର୍ଗେଟ୍ କିଲିଂ ଚରମସୀମାରେ ପହଂଚିଛି । ଅସାମାଜିକ ତତ୍ତ୍ୱମାନେ ଦୈନିକ କେଉଁଠି ନା କେଉଁଠି ହିନ୍ଦୁମାନଙ୍କୁ ଟାର୍ଗେଟ କରି ହତ୍ୟା କରିବାରେ ଲାଗିଛନ୍ତି । ଏସବୁ ଭିତରେ ସରକାର କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଇଛନ୍ତି । ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ ଚାକିରି କରୁଥିବା କାଶ୍ମୀର ପଣ୍ଡିତମାନଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ଏନେଇ ଶ୍ରୀନଗର ମୁଖ୍ୟା ଶିକ୍ଷାଧିକାରୀ ତରଫରୁ ଜାରି କରାଯାଇଥିବା ଚିଠିରୁ ଏହି ସୂଚନା ମିଳିଛି । ସୂଚନା ମୁତାବକ ଘାଟିରୁ ୧୭୭ ଜଣ ଶିକ୍ଷକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି ।

ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାରଦିନ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ ଜମ୍ମୁ-କାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା, ଜାତୀୟ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଅଜିତ ଡୋଭାଲ, ଜମ୍ମୁ-କାଶ୍ମୀର ଡିଜିପି ଦିଲବାଗ ସିଂ, କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା, କେନ୍ଦ୍ରୀୟ ରିଜର୍ଭ ପୋଲିସର ମହାନିର୍ଦ୍ଦେଶକ କୁଲଦୀପ ସିଂ ପ୍ରମୁଖ ଯୋଗ ଦେଇଥିଲେ ।

ସେପଟେ ଏଭଳି ଘଟଣାକୁ ଦେଖି ଶହ ଶହ କାଶ୍ମୀର ପଣ୍ଡିତ ଘାଟି ଛାଡି ଅନ୍ୟଆଡେ ପଳାୟନ କରୁଛନ୍ତି । ଏଣୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଗତକାଲି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଟାର୍ଗେଟ୍ କିଲିଂକୁ ନେଇ କାଶ୍ମୀର ପଣ୍ଡିତମାନେ ରାସ୍ତା ଉପରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ।